ଭୁବନେଶ୍ୱର: ଲଗାତାର ୫ ଦିନ ପାଇଁ ବିଧାନସଭାରେ ସମାନ ସ୍ଥିତି ଜାରି ରହିଛି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳ ହଟ୍ଟଗୋଳ କରିଥିଲେ | ବିରୋଧୀ ଦଳ ପକ୍ଷରୁ ମଣ୍ଡି ଅବ୍ୟବସ୍ଥାକୁ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ନାରାବାଜି କରିଥିଲେ ଶାସକ ଦଳର ବିଧାୟକ ।
ଆଉ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ | ଆଉ ପୁଣି ଦିନ ୧୨ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ଅନ୍ୟପଟେ ଆଜି ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି |
ବିଜେଡି ପକ୍ଷରୁ କୁହାଯାଇଛି ଯେ ସୁବାସ ଆତ୍ମହତ୍ୟା ଉଦ୍ୟମ କରି ଗୃହର ଗାରିମା ନଷ୍ଟ କରିଛନ୍ତି | ଯେତେବେଳେ ଯାଏଁ ସୁବାସ କ୍ଷମା ପ୍ରାର୍ଥନା ନ କରିଛନ୍ତି ସେତେବେଳେ ଯାଏଁ ଗୃହ ଚଲାଇଦେବୁନି ବୋଲି କହିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ଅନ୍ୟପଟେ ଗୃହ ଅଚଳ ନେଇ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ଶାସକ ଦଳ କାହିଁକି ରାଜଭବନ ଯାଇଥିଲେ ସେ କଥା ସେ ଜାଣିଥିବେ। ସର୍ବଦଳୀୟ ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ଧାନ କିଣା। ମଣ୍ଡିରୁ ଧାନ ଉଠିପାରୁନି। ରେଙ୍ଗାଲିରେ ଚାଷୀ ଆତ୍ମହତ୍ୟା କଲେଣି। ମୁଖ୍ୟ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା କଥା ଶାସକ ଦଳ କହୁଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୄହକୁ ଭୁଲ ତଥ୍ୟ ଦେଇଥିବାରୁ ପ୍ରଥମେ ସେ କ୍ଷମା ମାଗନ୍ତୁ । ପ୍ରଥମେ ମଣ୍ଡିରୁ ଧାନ ଉଠୁ ଓ ଯୋଗ୍ୟ ଚାଷୀଙ୍କଠାରୁ ସରକାର ଧାନ କିଣନ୍ତୁ ନଚେତ ଆନ୍ଦୋଳନ ଜାରି ରହିବ।
ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ବିଜେଡି-ବିଜେପି ମିଳିତ ଭାବେ ବିଧାନସଭା ଚଳାଇ ଦେଉନାହାନ୍ତି। କଂଗ୍ରେସ ଦାବି କରୁଛି ମୁଖ୍ୟମନ୍ତ୍ରୀ ଗୄହର ନେତା ଭାବରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରି ଗୄହକୁ ଚଳାନ୍ତୁ। ୫ଦିନ ଧରି ଗୄହ ଅଚଳ ଥିବାବେଳେ ସାଧାରଣ ଲୋକଙ୍କ ଟଙ୍କା ଖର୍ଚ୍ଚ ହେଉଛି। ମଣ୍ଡିରୁ ଧାନ ଉଠିବା ଦରକାର ଓ ସରକାର ଏ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି |
The post ବିଧାନସଭାର ପଞ୍ଚମ ଦିନରେ ବି ଅଚଳାବସ୍ଥା ଜାରି: ଅପରାହ୍ନ ୪ଟା ଯାଏଁ ମୁଲତବୀ ରହିଲା ଗୃହ first appeared on Sambad.from ରାଜ୍ୟ | Sambad https://ift.tt/3eOn6YE
0 Comments