ଶ୍ରୀମନ୍ଦିର ପାଇଁ ୪ ତଦନ୍ତ କମିସନ୍ ଗଠନ ହୋଇଛି

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିଚାଳନାରେ ଉନ୍ନତୀକରଣ ଓ ସଂସ୍କାର ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସମୟରେ ୪ଟି ତଦନ୍ତ କମିସନ୍‌ ନିଯୁକ୍ତ କରିଥିଲେ। ବିଚାରପତି ବି କେ ପାତ୍ର କମିସନ୍‌, ରାଜ୍ୟପାଳ ବି ଡି ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନାର ଉନ୍ନତି ନିମନ୍ତେ ଗଠିତ କମିଟି, ବିଚାରପତି ପି କେ ମହାନ୍ତି କମିସନ୍‌ ଓ ବିଚାରପତି ବି ପି ଦାସ କମିସନ୍। ସେମାନଙ୍କର କିଛି ଗୁରୁତ୍ବପୂର୍ଣ୍ଣ ସୁପାରିସ୍‌କୁ କାର୍ଯ୍ୟକାରୀ କରାଯାଇଛି। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। କାର୍ଯ୍ୟକାରୀ ହୋଇ ନ ଥିବା ସୁପାରିସ୍‌ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ତାହା ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ୨୦.୧୨.୨୦୧୯ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ବିଚାରପତି ବି କେ ପାତ୍ରଙ୍କ କମିସନ୍‌ଙ୍କ ସୁପାରିସ୍‌ ଭିତ୍ତିରେ ଶ୍ରୀଜୀଉ ଧୂପମାନଙ୍କରେ କେବଳ କୋଠଭୋଗ ତୋଳାଯାଉଛି ଓ ଅନ୍ୟ ବରାଦି ଭୋଗ ତୋଳିବା ପାଇଁ ସୁପକାରମାନଙ୍କୁ ବାରଣ କରାଯାଇଛି ଏବଂ ସେମାନେ ବରାଦି ଭୋଗ ଭୋଗମଣ୍ଡପରେ ତୋଳୁଛନ୍ତି। ଶ୍ରୀମନ୍ଦିର ଆଇନର ଧାରା ୨୧(୨) (ଏଫ୍‌) ଅନୁଯାୟୀ ସେବକମାନଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ ନିମନ୍ତେ ମୁଖ୍ୟ ପ୍ରଶାସକ କ୍ଷମତାସମ୍ପନ୍ନ ଅଟନ୍ତି ଏବଂ ଧାରା ୨୪ ଅନୁଯାୟୀ ଶ୍ରୀମନ୍ଦିର ଅପିଲ ସବ୍‌-କମିଟି ଗଠନ କରାଯାଇଛି। ଶ୍ରୀମନ୍ଦିର ନାଟ ମଣ୍ଡପରେ ଗୋଟିଏ ହୁଣ୍ଡି ସ୍ଥାପନ କରାଯାଇଛି।

ରାଜ୍ୟପାଳ ବି ଡି ଶର୍ମାଙ୍କ କମିଟିଙ୍କ ସୁପାରିସ୍‌ ଭିତ୍ତିରେ ଭୂସମ୍ପତ୍ତିର ରକ୍ଷଣାବେକ୍ଷଣ, ସେବା ପୂଜା, ନୀତି, ସେବକ ନିଯୁକ୍ତି ଓ ସେବା ସର୍ତ୍ତ ଏବଂ ତୀର୍ଥ ଯାତ୍ରୀମାନଙ୍କୁ ରହଣି ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ବଘା ଅଞ୍ଚଳରେ ଥିବା ଶ୍ରୀଜୀଉଙ୍କ ଜମି ମଧ୍ୟରୁ ପ୍ରାୟ ୧୦୦ ଏକର ଜମି ଚିହ୍ନଟ କରାଯାଇ ତାହାକୁ ଚାଷ କରୁଥିବା ଭାଗଚାଷୀମାନଙ୍କ ଠାରୁ ବାର୍ଷିକ ଭାଗ ଧାନ ଆଦାୟ କରାଯାଇ ବିକ୍ରୟ କରାଯାଉଛି। ବଘା ଅଞ୍ଚଳରେ ଏକ ଖମାର ବି ନିର୍ମାଣ କରାଯାଇଛି। ସେହିପରି ଦୋଛିଆଁରେ ଏକ ଖମାର ଗୃହ ନିର୍ମାଣ କରାଯାଇ ଏହି ଅଞ୍ଚଳରେ ଥିବା ଜମିର ରକ୍ଷଣାବେକ୍ଷଣ ପାଇଁ ଖମାରି ନିୟୋଜନ କରାଯାଇଛି। ରାଜ୍ୟର ୨୪ ଜିଲ୍ଲାରେ ଶ୍ରୀଜୀଉଙ୍କର ୬୦,୪୨୬ ଏକର ୯୪୩ ଡିସିମିଲ୍‌ ଜମି ଚିହ୍ନଟ କରାଯାଇଛି। ତାହା ମଧ୍ୟରୁ ୩୪,୮୭୬ ଏକର ୯୮୩ ଡିସିମିଲ୍‌ ଜମି ସଂଶୋଧିତ ସତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି। କମିଟି ସୁପାରିସ୍‌୍ ଅନୁଯାୟୀ ଏହି ଜମିକୁ ବିକ୍ରୟ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମୋଦିତ ‘ସମାନ ନୀତି’ରେ ବର୍ଣ୍ଣିତ ବ୍ୟବସ୍ଥା ଭିତ୍ତିରେ ପଦ‌େକ୍ଷପ ଗ୍ରହଣ କରାଯାଉଛି। ଏହା ବାଦ୍ ଓଡ଼ିଶା ବାହାରେ ଅନ୍ୟ ୬ଟି ରାଜ୍ୟରେ ଥିବା ଶ୍ରୀଜୀଉଙ୍କ ୩୯୫ ଏକର ୨୫୨ ଡିସିମିଲ୍‌ ପରିମିତ ଜମି ଚିହ୍ନଟ କରାଯାଇଛି। ଏହାକୁ ବିକ୍ରୟ କରାଯିବା ନିମନ୍ତେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ରାଳାପ କରାଯାଇଛି। ବିଚାରପତି ପି କେ ମହାନ୍ତି କମିସନ୍‌ଙ୍କୁ ସୁପାରିସ୍‌ ଅନୁଯାୟୀ ନୀତି ନିର୍ଘଣ୍ଟ ଅନୁସାରେ ଦୈନିକ ନୀତି ସୁଚାରୁ ରୂପେ ସମ୍ପାଦନ କରାଯିବା ନିମନ୍ତେ ନିରନ୍ତର ପ୍ରୟାସ ଜାରି ରହିଛି।

ବିଚାପତି ବି ପି ଦାସ କମିସନଙ୍କ ସୁପାରିସ୍‌ ଅନୁଯାୟୀ ସିଂହଦ୍ବାର ଠାରୁ ଏକମୁଖ ରାସ୍ତାରେ ପ୍ରବେଶ ବ୍ୟବସ୍ଥା ପ୍ରଚଳନ କରାଯାଇ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଗର୍ଭ ଗୃହକୁ ସେବକମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶକୁ ନିଷେଧ କରାଯିବା ସହ ଭିତରକାଠ ନିକଟରେ ଯାତ୍ରୀମାନେ ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ଖରାରୁ ରକ୍ଷା କରିବା ପାଇଁ ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ସିଂହଦ୍ବାର ପର୍ଯ୍ୟନ୍ତ ଛାମୁଣ୍ଡିଆ ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ପରିସରକୁ ପରିଷ୍କାର ରଖିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପରିମଳ କର୍ମଚାରୀ ନିୟୋଜନ କରାଯାଇଛି।

The post ଶ୍ରୀମନ୍ଦିର ପାଇଁ ୪ ତଦନ୍ତ କମିସନ୍ ଗଠନ ହୋଇଛି first appeared on Sambad.

from ରାଜ୍ୟ | Sambad https://ift.tt/3tyNIB3

Post a Comment

0 Comments