ରାଜ୍ୟକୁ ଘା‌ରିଲାଣି କଳା-ଜ୍ବର ଭୟ, ସ୍କ୍ରବ୍-ଟାଇଫସ୍‌ର ମଧ୍ୟ ପରୀକ୍ଷା କରାଯିବ

ନମୁନା ପରୀକ୍ଷା କରିବା ଲାଗି
ଆର୍ଏମ୍‌ଆରସିକୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : କରୋନା ସଂକ୍ରମଣ ଭୟ ଥମି ନ ଥିଲା ବେଳେ କଳା-ଜ୍ବର(ଭିସେରାଲ ଲେଇସମେନିଆସିସ୍) ଭୟ ଘାରିଲାଣି। ଦେଶର କେତେକ ରାଜ୍ୟରେ ଏହି ରୋଗ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପ‌ଦକ୍ଷେପ ଗ୍ରହଣ କରିଛନ୍ତି। କେବଳ କାଲା-ଜର ନୁହେଁ, ସ୍କ୍ରବ୍ ଟାଇଫସର ସ୍ଥିତି ସଂପର୍କରେ ଜାଣିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରଏମ୍‌ଆରସିକୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି। ଆରଏମ୍‌ଆରସି ପକ୍ଷରୁ ସେରୋ ସର୍ଭେ ପାଇଁ ସଂଗୃହୀତ ହୋଇଥିବା ରକ୍ତ ନମୁନାରୁ କଳା-ଜ୍ବର ସଂପର୍କରେ ଜାଣିବା ଲାଗି କୁହାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଓଡ଼ିଶାରେ କଳା-ଜ୍ବର ସ୍ଥିତି ଅତ୍ୟନ୍ତ ନଗଣ୍ୟ ରହିଛି। ମାତ୍ର ଗତ କିଛିଦିନ ତଳେ ବିହାରରେ ପୁଣିଥରେ କଳା-ଜ୍ବର ବ୍ୟାପିବା ପରେ ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ଆଗୁଆ ସତର୍କତା ଅବଲମ୍ବନ କରିଛି। ରାଜ୍ୟର କେଉଁ ଜିଲ୍ଲାରେ ଏହାର ଉପସ୍ଥିତି ରହିଛି ତାହା ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନାହିଁ। ତେବେ ସ୍ବାସ୍ଥ୍ୟ ବିଭାଗ ଏହାକୁ ହାଲ୍‌କା ଭାବେ ଗ୍ରହଣ ନ କରି ନମୁନା ପରୀକ୍ଷା ଜରିଆରେ ସ୍ଥିତି ସଂପର୍କରେ ଜାଣିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଗତବର୍ଷ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭୂତାଣୁ ସଂକ୍ରମଣ ଯୋଗୁଁ ଲୋକଙ୍କ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ସଂପର୍କରେ ଜାଣିବା ଲାଗି ଆରଏମ୍‌ଆରସି ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ସେରୋ ସର୍ଭେ କରାଯାଇଥିଲା। ଭୁବନେଶ୍ବର, କଟକ, ରାଉରକେଲା, ଗଜପତି, ଗଞ୍ଜାମ ଭଳି ସ୍ଥାନରେ ସେରୋ ସର୍ଭେ ହୋଇଥିଲା। ଏପରିକି କିଛି ସ୍ଥାନରେ ଏକାଧିକ ଥର ସର୍ଭେ କରାଯାଇଛି। ତେଣୁ ଆରଏମ୍‌ଆରସି ପାଖରେ ସଂଗୃହୀତ ନମୁନାର ସିରମ ରହିଛି। ତେଣୁ ଏହାକୁ ବ୍ୟବହାର କରି କଳା-ଜ୍ବର ସଂପର୍କରେ ଜାଣିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

କଳା-ଜ୍ବର ସାଧାରଣଭାବେ ଲେସମାନିଆ ଡୋନୋଭାନି ପାରାସାଇଟ୍ ଦ୍ବାରା ହେଉଥିବା ବେଳେ ସ୍ୟାଣ୍ଡ ମାଛି ଦ୍ବାରା ଏହା ବ୍ୟାପିଥାଏ। କଳା-ଜ୍ବରରେ ପୀଡ଼ିତ ରୋଗୀକୁ ମାଈ ସ୍ୟାଣ୍ଡ ମାଛି କାମୁଡ଼ିବା ପରେ ଅନ୍ୟକୁ କାମୁଡ଼ିଲେ ତାହା ବ୍ୟାପିବାକୁ ଆରମ୍ଭ କରିଥାଏ। କଳା-ଜ୍ବର ଯୋଗୁଁ ଜ୍ବର ହେବା ସହିତ ଓଜନ କମିବା, ରକ୍ତ ହୀନତା ଓ ଯକୃତ ଓ ପ୍ଲିହା ଫୁଲି ଯାଇଥାଏ। ଠିକ୍ ସମୟରେ ଚିକିତ୍ସା ନ କଲେ ରୋଗୀ ପ୍ରାଣ ହରାଇବା ନିଶ୍ଚିତ। ସେହିପରି ସ୍କ୍ରବ୍ ଟାଇଫ୍‌ସ ଟିଙ୍କ ଦ୍ବାରା ବ୍ୟାପିଥାଏ। ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଜ୍ବର ସହିତ ଘା’ ସୃଷ୍ଟି ହୋଇଥାଏ। ଯଦିଓ କିଛିବର୍ଷ ପୂର୍ବରୁ ଓଡ଼ିଶାରେ ଏହାର ଉପସ୍ଥିତି ନ ଥିଲା, ହେଲେ ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏକାଧିକ ଲୋକଙ୍କଠାରେ ଏଭଳି ରୋଗ ନଜରକୁ ଆସୁଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରେ ସ୍କ୍ରବ୍ ଟାଇଫସର ସ୍ଥିତି ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ନାହିଁ। ତେଣୁ ପରୀକ୍ଷା ପରେ ଏହାର ସ୍ଥିତି ସଂପର୍କରେ ସ୍ପଷ୍ଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଆରଏମ୍‌ଆରସି ଏହି ଦୁଇ ରୋଗର ପରୀକ୍ଷା କରିବା ଲାଗି ସହମତି ପ୍ରକାଶ କରିଥିବା ସୂଚନା ମିଳିଛି।

The post ରାଜ୍ୟକୁ ଘା‌ରିଲାଣି କଳା-ଜ୍ବର ଭୟ, ସ୍କ୍ରବ୍-ଟାଇଫସ୍‌ର ମଧ୍ୟ ପରୀକ୍ଷା କରାଯିବ first appeared on Sambad.

from ରାଜ୍ୟ | Sambad https://ift.tt/38WvuRO

Post a Comment

0 Comments