
ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ ହେବ। ପାଠପଢ଼ା ଆରମ୍ଭ ହେବାର ୨ରୁ ୩ ମାସ ମଧ୍ୟରେ ଉକ୍ତ ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ପୁରୁଣା ପାଠର ରିଭିଜନ କରାଇବେ। ଛାତ୍ରଛାତ୍ରୀଙ୍କ ଦକ୍ଷତାସ୍ତର ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲଗୁଡ଼ିକରେ ଏହି ନିୟମ ଲାଗୁ ହେବ। ତେଣୁ ଏଦିଗରେ ପଦକ୍ଷେପ ନେବା ଲାଗି ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ଜୁନ୍ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇପାରେ।
ଅପରପକ୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉନ୍ନୀତ ହେବା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ଯୋଗୁଁ ଗତ ଏକ ବର୍ଷ ହେଲା ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରି ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଫ୍ଲାଇନ୍ରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି। ଅନ୍ଲାଇନ୍ରେ ପାଠପଢ଼ା କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ତାହା ସରକାରୀ ବିଦ୍ୟାଳୟରେ ଶତ ପ୍ରତିଶତ ସଫଳ ହୋଇନି। ମାତ୍ର ୨୫ ଲକ୍ଷ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଶିକ୍ଷା ଗ୍ରହଣ କରିଛନ୍ତି। ଆହୁରି ଅଧାରୁ ଅଧିକ ପିଲା ପାଠପଢ଼ି ପାରି ନାହାନ୍ତି। ତେଣୁ ଉକ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ସମ୍ଭବପର ନୁହେଁ। ସେଥିପାଇଁ ଗତବର୍ଷ ଯେଉଁଭଳି ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦିଆଯାଇଥିଲା ଚଳିତବର୍ଷ ମଧ୍ୟ ସେହି ଢାଞ୍ଚା ଆପଣାଯିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଘରୋଇ ସ୍କୁଲ କର୍ତୃପକ୍ଷ ପରୀକ୍ଷା କରିବେ କି ନାହିଁ ସେନେଇ ବିଜ୍ଞପ୍ତିରେ କିଛି ସ୍ପଷ୍ଟ କରାଯାଇ ନାହିଁ।
The post ସ୍କୁଲ ଖୋଲିଲେ ରିଭିଜନ୍ କ୍ଲାସ୍, ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ first appeared on Sambad.from ରାଜ୍ୟ | Sambad https://ift.tt/3rZOpCO
0 Comments