ପିପିଲି ଉପନିର୍ବାଚନ ଲାଗି ବିଜ୍ଞପ୍ତି : ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଏପ୍ରିଲ ୧୭ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ। ଆଜିଠାରୁ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୩୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ଦାଖଲ ଜାରି ରହିବ। ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ।ଏପ୍ରିଲ ୩ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ମଇ ୨ ତାରିଖରେ ଭୋଟ ଗଣତି କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ତେବେ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି। ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ ରହିପାରିବେ । ସବୁଠାରୁ ବଡ଼କଥା ହେଲା କି, ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ  ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି। ନିର୍ବାଚନରେ ସଂଶ୍ଳିଷ୍ଟ ଥିବା ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯିବ। ସମସ୍ତଙ୍କୁ ଠିକ୍ ସମୟରେ ଟିକାକରଣ ମଧ୍ୟ କରାଯିବ। ପ୍ରଚାର ବେଳେ ବେଶି ସଂଖ୍ୟାରେ ଗାଡ଼ି ବ୍ୟବହାର କରିପାରିବେ। କିନ୍ତୁ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ରହିବ। ପୂର୍ବ ଉପନିର୍ବାଚନ ଭଳି ସାମାଜିକ ଦୂରତା ନିୟମ ପାଳନ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ଯୋଗୁ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

The post ପିପିଲି ଉପନିର୍ବାଚନ ଲାଗି ବିଜ୍ଞପ୍ତି : ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ first appeared on Sambad.

from ରାଜ୍ୟ | Sambad https://ift.tt/2Qyqlt1

Post a Comment

0 Comments