
କଟକ : କଟକରେ ପୁଣି କାୟା ମେଲାଇବା ଆରମ୍ଭ କରିଛି କରୋନା। ସୋମବାର ଦିନ ବାରଙ୍ଗ ଅଞ୍ଚଳର ନିର୍ଦ୍ଦିଷ୍ଟ ଏକ ଶିକ୍ଷାନୁଷ୍ଠାନରୁ ଆଉ ୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏକାଧିକ ପଜିଟିଭ୍ ବାହାରି ଥିବା ଶିକ୍ଷାନୁଷ୍ଠାନରୁ ୧୪୯ଟି ସ୍ବାବ୍ରୁ ଜଣେ ଓ ସହରର ଏକ ବିଶ୍ବବିଦ୍ୟାଳୟରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଯାଏ ସହରର ତିନୋଟି ଘରୋଇ ଅନୁଷ୍ଠାନ ଓ ଗୋଟିଏ ସରକାରୀ ଅନୁଷ୍ଠାନରୁ ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଘଟଣା ଚିନ୍ତାର କାରଣ ହୋଇଛି।
ସୋମବାର ଦିନ କଟକର ବିଶ୍ବବିଦ୍ୟାଳୟ ସାଇକୋଲୋଜି ବିଭାଗରୁ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ସେହି ବିଭାଗକୁ ସିଲ୍ କରି ଦିଆଯାଇଛି। ଅନ୍ୟପଟେ ଗୋପାଳପୁର ଅଞ୍ଚଳରେ ଗୋଟିଏ ପରିବାରର ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ସେହି ପରିବାରର ଜଣେ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସରକାରୀ ତଥ୍ୟ ଅନୁଯାୟୀ କଟକରେ ଗଲା ୧୭ ତାରିଖରୁ ୨୧ ତାରିଖ ୫ ଦିନ ଭିତରେ ୧୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ମାସ୍କ ପିନ୍ଧି ନଥିଲେ ଜରିମାନା ଆଦାୟ କଡାକଡି କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ଏସ୍ସିବିରେ ବି ପୁଣି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ଏସ୍ସିବି କରୋନା ୱାର୍ଡ ଖାଲିଥିବା ବେଳେ ଆଜି ୱାର୍ଡରେ ୧୫ଜଣ ଓ ଆଇସିୟୁରେ ୧୦ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଏସ୍ସିବି କୋଭିଡ୍ ହସ୍ପିଟାଲରେ ୨୫ ଜଣ ଚିକିତ୍ସିତ ହେଉଥିବା ବେଳେ ୱାର୍ଡରେ ସକାଳେ ଜଗତ୍ସିଂହପୁର ଅଞ୍ଚଳର ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
The post କଟକରେ ଚିନ୍ତା ବଢ଼ାଉଛି କରୋନା first appeared on Sambad.from ରାଜ୍ୟ | Sambad https://ift.tt/3f0971U
0 Comments