ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ୍‌ ଦେବରାଜ ପ୍ରଧାନ ଆଉ ନାହାନ୍ତି

ଭୁବନେଶ୍ବର : ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ, ଐତିହାସିକ ତଥା ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଦେବରାଜ ପ୍ରଧାନ(୭୦) ଆଉ ନାହାନ୍ତି। ଶୁକ୍ରବାର ପୂର୍ବାହ୍ନରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବର ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଆଜି ଅନେକ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ପ୍ରଧାନଙ୍କୁ ତାଙ୍କ ଭୁବନେଶ୍ବରସ୍ଥିତ ଗୌରୀ ଗାର୍ଡେନ କମ୍ପ୍ଲେକ୍ସସ୍ଥିତ ବାସଭବନରେ ଶେଷ ଦର୍ଶନ କରିଛନ୍ତି।

ବରଗଡ଼ ସହରରେ ରୋହିଣିଆରେ ଏକ ସମ୍ଭ୍ରାନ୍ତ ଓ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ପ୍ରଧାନ ପିଲା ଦିନୁ ଓଡ଼ିଶା ପ୍ରାଚୀନ ଇତିହାସ ଜାଣିବାକୁ ବ୍ୟାକୁଳ ଥିଲେ। ବରଗଡ଼ରୁ ଶିକ୍ଷା ସମାପ୍ତ ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ପ୍ରତ୍ନତତ୍ତ୍ବ ବିଷୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପରେ ନୂଆଦିଲ୍ଲୀ ଓ ଇଂଲଣ୍ଡର ୟର୍କସାୟାରରେ ପ୍ରତ୍ନତତ୍ତ୍ୱ ଉପରେ ସ୍ୱତନ୍ତ୍ର ତାଲିମ ନେଇଥିଲେ। ସ୍ବର୍ଗତ ପ୍ରଧାନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ର ଲାଙ୍ଗୁଡି ପାହାଡ଼ର ପ୍ରତ୍ନତାତ୍ତ୍ବିକ ଖନନ କରି ଅଶୋକଙ୍କ ଦ୍ୱାରା ଲିଖିତ ବିରଳ ଶିଳାଲିପି ଓ ପୁଷୁପୁକିଲି(ପୁଷ୍ପଗିରି) ମହାବିହାର ସମ୍ପର୍କିତ ୪ଟି ଶିଳାଲିପି ଆବିଷ୍କାର କରିଥିଲେ। ଏପରିକି ଚୀନ ପରିବ୍ରାଜକ ହୁଏନ୍‌ସାଂଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ବି ବହୁ ଉପାଦେୟ ତଥ୍ୟ ସେ ବାହାର କରି କେବଳ ଓଡ଼ିଶା କି ଭାରତ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ। ଲାଙ୍ଗୁଡ଼ି ସମେତ ବଜ୍ରଗିରି, କାୟମା, ରାଧାନଗର ଭଳି ବହୁ ମୁଣ୍ଡିଆ ପାହାଡ଼ ଓ ସମତଳ ଅଞ୍ଚଳରେ ତାଙ୍କ ଟିମ୍‌ ସର୍ବେକ୍ଷଣ ପରେ ଉତ୍‌ଖନନ କରି ଇତିହାସ ରଚିଥିଲେ। ଏପରିକି ଖନନରୁ ପ୍ରାପ୍ତ ଶିଳାଲିପି ସବୁର ପଠନ କରିଥିଲେ ଭାରତର ବିଶିଷ୍ଟ ଲିପିତତ୍ତ୍ବବିତ ପ୍ରଫେସର ବି.ଏନ୍‌. ମୁଖାର୍ଜୀ। ସ୍ବର୍ଗତ ପ୍ରଧାନଙ୍କ ଦ୍ୱାରା ଇଂରାଜୀରେ ଲିଖିତ ଅନେକ ଗବେଷଣାତ୍ମକ ନିବନ୍ଧ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପତ୍ରିକାରେ ପ୍ରକାଶ ପାଇଥିଲା।

ଓଡ଼ିଶାର ଯୁବ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କ ସହ ମିଶି ସ୍ବର୍ଗତ ପ୍ରଧାନ ବହୁ ଗବେଷଣାତ୍ମକ ନିବନ୍ଧ ଓଡ଼ିଆରେ ଲେଖିଥିଲେ। ବିଶେଷ କରି ଲାଙ୍ଗୁଡ଼ି, ପୁଷୁପୁକିଲି ମହାବିହାର, ଶ୍ରୀମନ୍ଦିର ପଥର ଖସିବାର କାରଣ ଓ ଦକ୍ଷିଣ ପୂର୍ବ ଏସୀୟ ଦେଶ ଉପରେ ଗବେଷଣାତ୍ମକ ଉପାଦେୟ ନିବନ୍ଧ ଓଡ଼ିଶାର ବହୁ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ଆଜି ବି ଉକ୍ତ ଆଲେଖ୍ୟଗୁଡ଼ିକର ଗୁରୁତ୍ୱ ରହିଛି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ଝିଅ ଗୀତା ମେହେଟା ଓ ସାନ ପୁଅ ତଥା ଏବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମେରିକାରୁ ଓଡ଼ିଶା ଆସିଲେ ବିଭିନ୍ନ ଐତିହାସିକ କ୍ଷେତ୍ର ବୁଲିବାକୁ ଯାଉଥିଲେ I ବିଜୁ ବାବୁଙ୍କ ନିର୍ଦେଶରେ ଦେବରାଜ ବାବୁ ଉଭୟ ଗୀତା ଓ ନବୀନଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଦେଖାଇବା ସହ ସେସବୁରୁ ତାତ୍ପର୍ଯ୍ୟ ବୁଝାଉଥିଲେ।

The post ବିଶିଷ୍ଟ ପ୍ରତ୍ନତତ୍ତ୍ବବିତ୍‌ ଦେବରାଜ ପ୍ରଧାନ ଆଉ ନାହାନ୍ତି first appeared on Sambad.



from ରାଜ୍ୟ – Sambad https://ift.tt/2OPrT0I

Post a Comment

0 Comments