କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ରାଜନୀତି; ଭର୍ତ୍ତୃହରିଙ୍କ ପରେ ପ୍ରସ୍ତାବିତ ଅଞ୍ଚଳ ବୁଲିଲେ ଅପରାଜିତା

କଟକ-ବିଦ୍ୟାଧରପୁର : କଟକରେ କେନ୍ଦ୍ରୀୟ ବିଦ୍ୟାଳୟ-୨କୁ ନେଇ ଗୋଟିଏ ପଟେ ବିବାଦ ଓ ଅନ୍ୟପଟେ ରାଜନୀତି ବଢିବାରେ ଲାଗିଛି। ଦୁଇଦିନ ପୂର୍ବରୁ କଟକ ସାଂସଦ ତଥା ବିଜେଡି ନେତା ଭର୍ତ୍ତୃହରି ମହତାବ ସ୍କୁଲ ପାଇଁ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଥିବାବେଳେ ଆଜି ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଏହି ସ୍ଥାନ ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ-୨ ପାଇଁ ରାଜ୍ୟ ସରକାର ଏଯାଏ ଜାଗା ଯୋଗାଇ ପାରୁନଥିବାରୁ ଏହା ଆନ୍ତରିକତାର ଅଭାବ ଦର୍ଶାଉଛି ଏବଂ ଏଭଳି ସ୍ଥିତିରେ ପିଲାଙ୍କ ଜୀବନ ଏବେ ଗୋଦାମରେ କଟୁଛି ବୋଲି ସେ କଟାକ୍ଷ କରିଛନ୍ତି।

ଆଜି ସାଂସଦ ଅପରାଜିତା ସରକାରୀ ପ୍ରେସ ଜାଗାରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ର ଭିତ୍ତିଭୂମି ପରଖିବା ସହିତ ନୂଆପଡ଼ା ଠାରେ ଦ୍ବିତୀୟ କାମ୍ପସ୍‌ ପାଇଁ ପ୍ରସ୍ତାବିତ ଜମି ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିସରରେ ଅଭିଭାବକ ସଂଘ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଅପରାଜିତା କହିଥିଲେ ଯେ, ସଂଘର ସଦସ୍ୟମାନେ ଚାରିଆଡୁ ନିରାଶ ହୋଇ ତାଙ୍କ ପାଖରେ ପହଞ୍ଚି ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରିଥିଲେ। ଫଳରେ ଏ ସଂପର୍କରେ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ତାଙ୍କୁ ବିଭାଗ ପକ୍ଷରୁ ଉତ୍ତର ମିଳିଥିଲା ଯେ କଟକର କେନ୍ଦ୍ରୀୟ ବିଦ୍ୟାଳୟ-୨ ପାଇଁ ୮କୋଟି ଟଙ୍କା ମଞ୍ଜୁର କରାଯାଇଛି। କିନ୍ତୁ ରାଜ୍ୟ ସରକାର ଚିହ୍ନଟ କରିଥିବା ଜମି କେନ୍ଦ୍ରୀୟ ବିଦ୍ୟାଳୟ ନାମରେ ହସ୍ତାନ୍ତର କରୁନଥିବା ଯୋଗୁଁ ସମାସ୍ୟା ଉପୁଜୁଛି। ରାଜ୍ୟ ସରକାର ‘ମୋ ସ୍କୁଲ ଯୋଜନା’ରେ କୋଟି କୋଟି ଟଙ୍କା ଅନୁଦାନ ଦେବାକୁ ଘୋଷଣା କରୁଥିବାବେଳେ କଟକର ଗର୍ବ ଏହି କେନ୍ଦ୍ରୀୟ ବିଦ୍ୟାଳୟ-୨ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ କୁଣ୍ଠିତ କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି? ଅପରାଜିତାକଙ୍କୁ ପ୍ରେସ୍‌ ଛକରୁ ବିଜେପି କର୍ମୀମାନେ ଶୋଭାଯାତ୍ରାରେ ନେଇଥିବା ବେଳେ ସଦର ପଂଚାୟତ ସମିତି ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଶ୍ରୀମନ୍ତିନୀ ବେହେରା, ପୂର୍ବତନ କର୍ପୋରେଟର କୈଳାସ ବସ୍ତିଆ, ରାକେଶ ସ୍ବାଇଁ, ବାଟୁଆ ଗୋଚ୍ଛାୟତ ଓ ନୂଆପଡ଼ା ପୂଜା କମିଟିର ଅନେକ କର୍ମକର୍ତ୍ତା ସ୍ବାଗତ କରିଥିଲେ।

ଅପରାଜିତାଙ୍କ ଆଜିର ଗସ୍ତ ପୂର୍ବରୁ ଦୁଇ ଦିନ ତଳେ ଭର୍ତ୍ତୃହରି ମହତାବ ମଧ୍ୟ କେନ୍ଦ୍ରୀୟ ବିଦ୍ୟାୟ-୨ର ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଥିଲେ। ଭର୍ତ୍ତୃହରିଙ୍କ ସହିତ ବି ଅନେକ ବିଜେଡି ନେତା ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

ଅନ୍ୟପକ୍ଷରେ, ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ବ ସଂପ୍ରସାରଣ ଯୋଜନାରେ ଉଚ୍ଛେଦ ହେଉଥିବା ବସ୍ତିବାସିନ୍ଦାଙ୍କୁ ନୂଆପଡ଼ାରେ ଥଇଥାନ ପାଇଁ ପ୍ରଶାସନ ନିଷ୍ପତ୍ତି ନେବାପରଠାରୁ ଏହି ବିବାଦ ଏବେ ରାଜନୈତିକ ‌ମୋଡ଼ ନେବାକୁ ବସିଛି। ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ-୨ ଅଞ୍ଚଳକୁ ସ୍କୁଲ ପାଇଁ ବିକଶିତ କରାଯାଉ ନ ଥିବାବେଳେ ସେହି ଅଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ଜୋରଦାର ପଦକ୍ଷେପ ବିରୋଧରେ ଅଞ୍ଚଳବାସୀ ବି ମୁହଁ ଖୋଲିବା ଆରମ୍ଭ କରିଛନ୍ତି। କିନ୍ତୁ, ଏହି ଘଟଣାରେ ଭର୍ତ୍ତୃହରି ଆଗକୁ ଆସିଥିବାବେଳେ ବିଜେଡିର ଅନ୍ୟ ନେତାମାନେ ଚୁପ୍‌ ରହିଛନ୍ତି।

ଅପରାଜିତାଙ୍କ ଗସ୍ତ ସମୟରେ ଉପସ୍ଥିତ ଥିବା ସ୍କୁଲ ଅଭିଭାବକ ସଂଘର ସଭାପତି ଇନ୍ଦ୍ରଜିତ ବିଶ୍ବାଳ, ସଦସ୍ୟ ସନ୍ତୋଷ କୁମାର ସାହୁ, ଅନୀଲ ସାମଲ, ସୀତାଂଶୁ ସାହୁ ପ୍ରମୁଖ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ୨୦୦୮ମସିହାରେ କେନ୍ଦ୍ରୀୟ ବିଦ୍ୟାଳୟ ସହିତ କାମ୍ପସ-୨ ଖୋଲିବା ପାଇଁ ଚୁକ୍ତି କରିଥିଲେ। ସରକାର ଜମି ଯୋଗାଇ ଦେବାକୁ ଚୁକ୍ତି କରିଥିଲେ। ୨୦୧୦ ମସିହାରେ ନୂଆପଡ଼ା ଠାରେ ୮ଏକର ଜମି ଚିହ୍ନଟ ହୋଇଥିଲା। ଦୀର୍ଘ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଏବେ ଶୀତଳଭଣ୍ଡାରରେ ପଡ଼ି ରହିଛି। ସ୍କୁଲରେ ୫୬୭ ଜଣ ଛାତ୍ରଛାତ୍ରୀ ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି। ୩୦୦ ବର୍ଗ ଫୁଟ ଆଜବେଷ୍ଟସ ଘରେ ୫୫ ଜଣ ବସୁଛନ୍ତି। ବର୍ଷା ଦିନେ ସ୍କୁଲରେ ନର୍ଦ୍ଦମା ପାଣି ପଶୁଥିବା ସେମାନେ ଅଭିଯୋଗ କରିଛନ୍ତି।

The post କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ରାଜନୀତି; ଭର୍ତ୍ତୃହରିଙ୍କ ପରେ ପ୍ରସ୍ତାବିତ ଅଞ୍ଚଳ ବୁଲିଲେ ଅପରାଜିତା first appeared on Sambad.



from ରାଜ୍ୟ – Sambad https://ift.tt/2NYJwLE

Post a Comment

0 Comments