ଏବେ ବନ୍ଦ ହେବନି ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ପଶୁଛି। ଯେଉଁଥିପାଇଁ ମାସକ ମଧ୍ୟରେ ଭୁବନେଶ୍ୱରରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନକୁ ସିଲ୍‌ କରାଗଲାଣି। ଆଉ ଦୁଇରୁ ତିନୋଟି ଉପରେ ନଜର ରଖାଯାଇଛି। ବିଶେଷକରି ଗତକାଲି ରାଜ୍ୟର ୩ଟି ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିବାରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଭୟଭୀତ ହୋଇପଡ଼ିଛନ୍ତି। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର୍‌ ବନ୍ଦ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ତେବେ ଆଜି ପୁଣିଥରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବ ଘୋଷଣା ଦୋହରାଇଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ କୌଣସି ସ୍ଥାନରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ନଜରକୁ ଆସିନି। ଯାହା ହୋଇଛି, ଘରୋଇ ଶିକ୍ଷାନୁଷ୍ଠାନରେ। ତେଣୁ ବିଦ୍ୟାଳୟ ବନ୍ଦ ହେବ ନାହିଁ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ନିୟମିତ ଭାବେ ଚାଲିବ। ଆସନ୍ତା ୩୦ ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭ୍ୟାସ ପରୀକ୍ଷା ଅଛି। ତାହା ଅନୁଷ୍ଠିତ ହେବ। ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ ଚଳାଇଛନ୍ତି। ତେଣୁ ସ୍କୁଲ ବନ୍ଦ ହେବାର ପ୍ରଶ୍ନ ଉଠୁନି। ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଚାପମୁକ୍ତ ହୋଇ ପରୀକ୍ଷା ଲାଗି ପ୍ରସ୍ତୁତ ହୁଅନ୍ତୁ। ପାଠପଢ଼ାରେ ମନୋନିବେଶ କରନ୍ତୁ।

ଅଭିଭାବକମାନେ ଘରେ ସେମାନଙ୍କ ପିଲାଙ୍କ ଦେଖାଶୁଣା କରିବା ସହ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ଓଷ୍ଟାର ସାଧାରଣ ସଂପାଦକ ପ୍ରକାଶ ମହାନ୍ତି କହିଛନ୍ତି ଯେ ସ୍କୁଲ ବନ୍ଦ ନ କରିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ସରକାରୀ ସ୍କୁଲରେ ନିରାପଦରେ ପିଲା ପାଠ ପଢ଼ୁଛନ୍ତି। ଏବେ ସେମିତି ଛାନିଆ ହେବାର ସମୟ ଆସିନି। ଏପ୍ରିଲ ୧୫ ପରେ କରୋନା ଓ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଉ।

The post ଏବେ ବନ୍ଦ ହେବନି ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ first appeared on Sambad.

from ରାଜ୍ୟ | Sambad https://ift.tt/39t1q0F

Post a Comment

0 Comments