ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: କଳଙ୍କିତ ଅଧ୍ୟାୟର ଶେଷ ଫର୍ଦ୍ଦ ଲେଖିବ ସିବିଆଇ

ଭୁବନେଶ୍ବର: ୨୨ ବର୍ଷ ତଳେ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଭଳି ଏକ ବହୁଚର୍ଚ୍ଚିତ ଜଘନ୍ୟକାଣ୍ଡର ଶେଷ ଫର୍ଦ୍ଦ(ଶେଷ ଚାର୍ଜସିଟ୍‌) ଲେଖିବାକୁ ଯାଉଛି ସିବିଆଇ। ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଖୋଜି ଖୋଜି ହତାଶ ହେବା ପରେ ଚୁପ୍ ବସିଥିବା ସିବିଆଇକୁ ଶେଷରେ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସ ବଡ଼ ସହଯୋଗ କରିଛି। ‘ସାଇଲେଣ୍ଟ ଭାଇପର୍‌’ ଅପରେସନ୍‌ ଦ୍ବାରା କମିସନରେଟ୍‌ ପୁଲିସ ମହାରାଷ୍ଟ୍ରରୁ ବିବନକୁ ଗିରଫ କରି ସମସ୍ତଙ୍କୁ ଅଚାନକ ଚକିତ କରିଦେଇଛି। ୨୨ ବର୍ଷ କାଳ ବଡ଼ ଚତୁରତାର ସହ ସମସ୍ତଙ୍କ ଆଖିରେ ଧୂଳି ଦେଇ ଆତ୍ମଗୋପନ କରିଥିବା ବିବନର ସବୁ ଚାଲ୍‌କୁ କମିସନରେଟ୍‌ ପୁଲିସର ଏହି ଅପରେସନ୍ ବିଫଳ କରିଦେଇଛି। ପୂର୍ବରୁ ଏହି ମାମଲାର ୨ ଅଭିଯୁକ୍ତଙ୍କ ବିଚାର ସରିଥିଲା। ଏବେ ସିବିଆଇ ବିବନକୁ କାଠଗଡ଼ାରେ ଠିଆ କରାଇ ଏହି କଳଙ୍କିତ ମାମଲାରେ ପୂର୍ଣ୍ଣ‌େଚ୍ଛଦ ପକାଇବ। ତେଣୁ କେଉଁ କୋଣରେ ଅଳନ୍ଦୁ ଭିତରେ ପଡ଼ିଥିବା ବିବନ ଫାଇଲ୍‌କୁ ପୁଣି ସିବିଆଇ ଖୋଜିଛି ଓ ଆଜି କମିସନରେଟ୍‌ ପୁଲିସର ସହଯୋଗ ଲୋଡ଼ିଛି।

ଆଜି ସିବିଆଇ ଅଫିସର ଶ୍ରୀ ଚନ୍ଦ୍ରା ଓ ସିବିଆଇ ଓକିଲ ପୁଲିସ କମିସନରଙ୍କୁ ଭେଟିଛନ୍ତି। ବିବନ ସମ୍ପର୍କରେ ତଥ୍ୟ ହାସଲ କରିଛନ୍ତି। କମିସନରେଟ୍‌ ପୁଲିସର ସାଇଲେଣ୍ଟ ଭାଇପର୍ ବାବଦରେ ପୂର୍ବରୁ ସିବିଆଇ କିଛି ଜାଣିନଥିବାରୁ ବିବନର ଫେରାର୍‌ କାହାଣୀ ବାବଦରେ ତଥ୍ୟ ସଂଗ୍ରହ କରିଛନ୍ତି। ସିବିଆଇ ଅଧିକାରୀ ଆଜି ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ପ୍ରାୟ ଅଧଘଣ୍ଟା ଆଲୋଚନା କରିଥିଲେ। ବିଶେଷକରି ମହାରାଷ୍ଟ୍ର ପୁନେରେ ସେ କେମିତି ଏତେ ବର୍ଷ ଧରି ଆତ୍ମଗୋପନ କରିଥିଲା ଓ କମିସନରେଟ୍‌ ପୁଲିସର ଅପରେସନ୍ କିଭଳି ତାକୁ ଠାବ କରିଥିଲା, ଏସବୁ ତଥ୍ୟକୁ ସେମାନଙ୍କ ଭିତରେ ଆଲୋଚନା ହୋଇଛି। ଏମିତିକି ସାଇଲେଣ୍ଟ ଭାଇପର ଅପରେସନ୍ ଟିମ୍‌କୁ ନେଇ ସିବିଆଇ ଟିମ୍‌ ବିବନ କାମ କରୁଥିବା ପୁନେ ଆମ୍ବିଭାଲି ଯିବ ବୋଲି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ତେବେ ଭବିଷ୍ୟତରେ ସିବିଆଇକୁ ଏହି ମାମଲାରେ କମିସନରେଟ୍‌ ପୁଲିସ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ସିପି ଡ. ଷଡ଼ଙ୍ଗୀ କହିଛନ୍ତି। ତେବେ ବିବନକୁ ସିବିଆ‌ଇ ରିମାଣ୍ଡରେ ଆଣିବ କି ନାହିଁ, ସେସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଫେରାର୍ ବାବଦରେ ସବୁ ତଥ୍ୟ ହାତକୁ ନେବା ପରେ ସିବିଆଇ ତାକୁ ରିମାଣ୍ଡରେ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

ସିବିଆଇ ବିବନକୁ ନେଇ ଖୋଳତାଡ୍‌ ଆରମ୍ଭ କରିଥିବାବେଳେ କମିସନରେଟ୍‌ ପୁଲିସ ମଧ୍ୟ ତା’ର ଅପରାଧର ତାଲିକା ବାବଦରେ ଅନୁସନ୍ଧାନ ଚଳାଇଛି। ‘ବାରଙ୍ଗ କିଙ୍ଗ୍‌’ ବୋଲି ସେତେ‌ବେଳେ ଉକ୍ତ ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ବିବନର ବାରଙ୍ଗ ସହ ଅନ୍ୟ କେଉଁ ଥାନାରେ ମାମଲା ଅଛି କି ନାହିଁ ଖୋଳତାଡ୍‌ ଆରମ୍ଭ କରାଯାଇଛି। ଏତେବଡ଼ ସଂଗିନ୍ ମାମଲାରେ ଅଭିଯୁକ୍ତ ଥିବା ବିବନକୁ ଫେରାର୍ କରାଇବାରେ ବା ରହିବାରେ କେଉଁମାନେ ସହଯୋଗ କରୁଥିଲେ, ସେନେଇ ତଦନ୍ତ ଆରମ୍ଭ ହୋଇଛି। ତେଣୁ ବିବନ ଗିରଫ ହେବା ପରେ ବାରଙ୍ଗ ଥାନା ନରଣପୁର ଅଞ୍ଚଳରେ କିଛି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ଖବର ମିଳୁଛି। ଅଞ୍ଜନା ଗଣଦୁଷ୍କର୍ମ ମାମଲା ପରେ ବି ବିବନ ନାଁରେ ଆଉ ଏକ ଜାମିନବିହୀନ ପରୱାନା ଥିବା ଜଣାପଡ଼ିଛି। ଏକ ସମ୍ବେଦନଶୀଳ ମାମଲାରେ ସେ ସାକ୍ଷୀ ଥିଲା ଓ ଫେରାର୍ ଥିବା କାରଣରୁ ଆଉ କୋର୍ଟରେ ହାଜର ହୋଇପାରିନଥିଲା। ତେଣୁ ତା ନାଁରେ ବହୁଦିନ ହେଲା ଏହି ୱାରେଣ୍ଟ ଜାରି ହୋଇ ପଡ଼ିଛି।

ଛଦ୍ମନାମରେ ବ୍ୟାଙ୍କ୍‌ ଆକାଉଣ୍ଟ ହିଁ କାଳ ହେଲା
ବିବନ ଉକ୍ତ ବୀଭତ୍ସ କାଣ୍ଡ ପରେ ମହାରାଷ୍ଟ୍ର ପଳାଇଥିଲା ଓ ପୁନେ ଆମ୍ବିଭାଲିରେ ଏକ ଘରୋଇ ସଂସ୍ଥାରେ ପାଣି ପାଇପ୍‌ ମିସ୍ତ୍ରି ଚାକିରି କରୁଥିଲା। ସେଠାରେ ତାକୁ ୧୮ ହଜାର ଟଙ୍କା ଦରମା ମିଳୁଥିଲା ଓ ରହିବା ପାଇଁ ସଂସ୍ଥା ପକ୍ଷରୁ ମାଗଣାରେ ଘର ମିଳିଥିଲା। ନିଜକୁ ଜଳନ୍ଧର ସ୍ବାଇଁ ବୋଲି ପରିଚୟ ଦେଇଥିଲା। ସେହି ଅନୁସାରେ ଏକ ଆଧାର କାର୍ଡ କରାଇଥିଲା। ସେଥିରେ ବାପାଙ୍କ ନାମ ପରମାନନ୍ଦ ସ୍ବାଇଁ ବଦଳରେ ପି ସ୍ବାଇଁ ରଖିଥିଲା। କିନ୍ତୁ ଠିକଣା ବଦଳାଇ ନଥିଲା। ଜଳନ୍ଧର ନାମରେ ଏକ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିଥିଲା ଓ ଏହି ଆକାଉଣ୍ଟରେ ସେ ସେଠାରେ ଟଙ୍କା ଜମା କରୁଥିଲା। ଏଟିଏମ୍‌ କାର୍ଡଟି ପରିବାର ଲୋକଙ୍କୁ ଦେଇଥିଲା। ତେଣୁ ପରିବାରଲୋକେ ସହଜରେ ଏଟିଏମ୍‌ କାର୍ଡ ଜରିଆରେ ଟଙ୍କା ଉଠାଉଥିଲେ। ପୁଲିସକୁ ଭୁଆଁ ବୁଲାଇବା ପାଇଁ ସେ ସମସ୍ତ ଉଦ୍ୟମ କରିଥିଲା। ହେଲେ‌ ବିଳମ୍ବରେ ହେଉ ପଛେ ସେହି ଏଟିଏମ୍‌ ଓ ଆକାଉଣ୍ଟ ହିଁ ତା ପାଇଁ କାଳ ହୋଇ ଠିଆ ହୋଇଥିଲା। ଜେଲ୍‌ରେ ଅଭିଯୁକ୍ତ ପଦିଆ ସାହୁର ଦୟନୀୟ ମୃତ୍ୟୁ(ଅଣ୍ଟା ଭାଙ୍ଗି ଯିବାରୁ ଅଚଳ ହୋଇ ପଡ଼ିଥିଲା) ପରେ ପୁଲିସ ବିବନକୁ ଖୋଜିବା ଆରମ୍ଭ କରିବାବେଳେ ଏହି ବ୍ୟାଙ୍କ ଆକାଉଣ୍ଟ ହିଁ ପୁଲିସର ମୁଖ୍ୟ ଅସ୍ତ୍ର ହୋଇଥିଲା।

The post ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: କଳଙ୍କିତ ଅଧ୍ୟାୟର ଶେଷ ଫର୍ଦ୍ଦ ଲେଖିବ ସିବିଆଇ first appeared on Sambad.



from ରାଜ୍ୟ – Sambad https://ift.tt/3bwIfDb

Post a Comment

0 Comments