
ପଟାଙ୍ଗି : କେବଳ କୋଟିଆ ନୁହଁ। ଆନ୍ଧ୍ର ସୀମାନ୍ତ ଓଡ଼ିଶାର ଅନ୍ୟ ଗାଁ ଉପରେ ବି ଆନ୍ଧ୍ର ସରକାରଙ୍କ ନଜର ରହିଛି। ଗତ ୧୩ତାରିଖ ଦିନ କୋଟିଆ ବ୍ୟତୀତ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବଡ଼ର ଗ୍ରାମବାସୀ ବି ଭୋଟ ଦେଇଥିବା ସୂଚନା ମିଳିଛି। ଆନ୍ଧ୍ରର ସାର୍କୀ ଗାଁରେ ହୋଇଥିବା ବୁଥ୍ରେ ଉପରୋକ୍ତ ଗାଁର ୬୦ରୁ ଊର୍ଦ୍ଧ୍ବ ଭୋଟର ସରପଞ୍ଚ ନିର୍ବାଚନରେ ମତଦାନ କରିଛନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ବି ଆନ୍ଧ୍ର ପ୍ରଶାସନ ପକ୍ଷରୁ କରାଯାଇଥିଲା। ୪ଦିନ ପରେ ଏ ନେଇ ସୂଚନା ମିଳିବା ପରେ ପ୍ରଶାସନ ଆଜି ହଠାତ୍ ତତ୍ପରତା ପ୍ରକାଶ କରିଛି।
ଓଡ଼ିଶାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରୁଥିବା ଜଣାପଡ଼ିବା ପରେ ସାରା ରାଜ୍ୟରେ ଆଲୋଡ଼ନ ଖେଳି ଯାଇଥିଲା। କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପୂରା ଧ୍ୟାନ କୋଟିଆ ଉପରେ କେନ୍ଦ୍ରିତ ହୋଇଥିବା ବେଳେ ସୀମାନ୍ତର ଅନ୍ୟ ଅଞ୍ଚଳ ପ୍ରତି ଆଦୌ ଗୁରୁତ୍ବ ଦିଆଯାଇ ନଥିଲା। ଏହାର ଫାଇଦା ନେଇଥିଲା ଆନ୍ଧ୍ର ପ୍ରଶାସନ। ସଂପୂର୍ଣ୍ଣ ଗୋପନୀୟତା ରଖି କୋଟିଆ ଠାରୁ ପ୍ରାୟ ୧୨ କିଲୋମିଟର ତଥା ଆନ୍ଧ୍ର ସୀମାନ୍ତ ଗାଲିଗାବଡ଼ର ଗାଁ ଲୋକଙ୍କୁ ପ୍ରଭାବିତ କରି ମତଦାନ କରାଇଛି। ଏ ନେଇ ଆଜି ଜଣାପଡ଼ିବା ପରେ ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ରାଜସ୍ବ ନିରୀକ୍ଷକ ଜି. ଡମୁରୁ, ବରିଷ୍ଠ କିରାଣି, ଆଇଆଇସି ବିଜୟରାଜ ମାଝୀ ପ୍ରମୁଖ ଗାଲିଗାବଡ଼ର ଗାଁରେ ପହଞ୍ଚିଥିଲେ। ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ ବି କେହି କିଛି କହିବାକୁ ମନା କରି ଦେଇଥିଲେ। ତେବେ ଗାଲିଗାବଡ଼ର ଅଙ୍ଗନବାଡି କର୍ମୀ ରହିତମଣି ଖରା ଏ ନେଇ ଏକ ବିସ୍ତୃତ ରିପୋର୍ଟ ସିଡିପିଓଙ୍କୁ ପ୍ରଦାନ କରିଛନ୍ତି। ଏହାର ନକଲ ପଟାଙ୍ଗି ବିଡିଓ, ତହସିଲଦାର, ଆଇଆଇସିଙ୍କୁ ପ୍ରଦାନ କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ହୋଇଛି।
The post ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ : ଗାଲିଗାବଡ଼ର ଗ୍ରାମବାସୀ ବି ଦେଇଥିଲେ ଭୋଟ୍ first appeared on Sambad.
from ରାଜ୍ୟ – Sambad https://ift.tt/3qoahae
0 Comments