ପଶ୍ଚିମ ଓଡ଼ିଶାରେ ଫେରିଲା କରୋନା : ବଢ଼ୁଛି ସଂଖ୍ୟା ଓ ସଂକ୍ରମଣ ହାର

ସମ୍ବଲପୁର : କରୋନାର ଦ୍ବିତୀୟ ଲହର୍‌ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ପଶ୍ଚିମ ଓଡ଼ିଶାରେ ଲୋକଙ୍କ ମନରେ ଭୟ ଆରମ୍ଭ ହୋଇଛି। ଏହାର ମଧ୍ୟ ବିଶେଷ କାରଣ ରହିଛି। ଜାନୁଆରି ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଫେବ୍ରୁଆରିରେ ଏହାର ବିପରୀତ ଦିଗ ଦେଖିବାକୁ ମିଳିଛି। ହଠାତ୍‌ କରୋନାର ମୋଡ଼ ବଦଳିବା ଭଳି ମନେ ହେଉଛି। ଧୀରେ ଧୀରେ ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ରାଜ୍ୟରେ ଚିହ୍ନଟ ହେଉଥିବା ମୋଟ୍‌ ସଂକ୍ରମିତଙ୍କ ମଧ୍ୟରେ ପାଖାପାଖି ଅଧାରୁ ଅଧିକ ସଂକ୍ରମିତ ପଶ୍ଚିମ ଓଡ଼ିଶାରୁ ଚିହ୍ନଟ ହେଉଛନ୍ତି। ଯାହା ଲୋକଙ୍କ ମନରେ ଥିବା ଦ୍ବିତୀୟ ଲହର୍‌ ଭୟକୁ ଦ୍ବିଗୁଣିତ କରିଛି। ଏହା ସହିତ ବିଭିନ୍ନ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଓ କୋଭିଡ୍‌ ନିୟମ ପାଳନ ପାଇଁ ଲୋକଙ୍କୁ ପୁନଃ ସଚେତନ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି।

ଗତ ୭ ଦିନକୁ ହିସାବକୁ ନେଲେ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ୍‌ ଉପରେ ୫୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨୮୨। ଯାହା ଏହି ୭ ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ୍‌ ସଂକ୍ରମିତଙ୍କ ୫୩.୫୧ ପ୍ରତିଶତ। ଅନ୍ୟପଟେ ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୫ଟି ଜିଲ୍ଲାରୁ ଗତ ୭ ଦିନ ମଧ୍ୟରେ ୨୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ୭ ଦିନ ଭିତରେ ଚିହ୍ନଟ ହୋଇଥିବା ରାଜ୍ୟର ମୋଟ୍‌ ସଂକ୍ରମିତଙ୍କ ୪୩ ପ୍ରତିଶତ। କେବଳ ସମ୍ବଲପୁର ଜିଲ୍ଲାରେ ଗତ ୭ ଦିନରେ ସର୍ବାଧିକ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସମୟରେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୭ ଦିନ(୨୦ ରୁ ୨୭ ଫେବ୍ରୁଆରି)ରେ ସଂକ୍ରମିତ
ଜିଲ୍ଲା  ସଂଖ୍ୟା
ସମ୍ବଲପୁର ୭୯
ସୁନ୍ଦରଗଡ଼ ୫୬
ବରଗଡ଼ ୩୮
ଝାରସୁଗୁଡ଼ା ୨୯
ବଲାଙ୍ଗୀର ୨୬
ଦେବଗଡ଼ ୧୫
ନୂଆପଡ଼ା ୧୩
ସୁବର୍ଣ୍ଣପୁର ୧୩
ବୌଦ୍ଧ ୬
କଳାହାଣ୍ଡି ୭
ମୋଟ ୨୮୨

The post ପଶ୍ଚିମ ଓଡ଼ିଶାରେ ଫେରିଲା କରୋନା : ବଢ଼ୁଛି ସଂଖ୍ୟା ଓ ସଂକ୍ରମଣ ହାର first appeared on Sambad.



from ରାଜ୍ୟ – Sambad https://ift.tt/2O7cFnw

Post a Comment

0 Comments