
ଭୁବନେଶ୍ବର : ସରସ୍ବତୀ ପୂଜା ପରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିୟମିତ ଭାବେ ସ୍କୁଲ ଆସିବା ସହ ପୂର୍ବାହ୍ନ ୧୦ଟାରୁ ୪ଟା ପର୍ଯ୍ୟନ୍ତ କ୍ୟାମ୍ପସରେ ରହିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୁହାଯାଇଛି। କ୍ୟାମ୍ପସକୁ ବିଶୋଧନ କରିବା ସହ ସଫାସୁତୁରା କାରିବାକୁ ନିର୍ଦେଶ ଦିଆଯାଇଥିବାରୁ ଖୁବ୍ଶୀଘ୍ର ବିଦ୍ୟାଳୟଗୁଡ଼ିକ ଖୋଲିବା ନେଇ ଅନୁମାନ କରାଯାଉଛି। ତେବେ କେଉଁ ଦିନ ଖୋଲିବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇ ନାହିଁ। ତଥାପି ସରସ୍ବତୀ ପୂଜା ପରେ ଅର୍ଥାତ୍ ଫେବ୍ରୁଆରି ୨୨ କିମ୍ବା ୨୩ରେ ବିଦ୍ୟାଳୟ ଖୋଲିବାକୁ ବିଭାଗ ଯୋଜନା କରିଛି। ତାହାକୁ ଦୃଷ୍ଟିରେ ରଖି ଏସ୍ଓପି ପ୍ରସ୍ତୁତ କରାଯାଉଛି। କେଉଁଭଳି ଓ କେମିତି ଭାବେ ୮ଟି ଯାକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯିବ ତାହାକୁ ନେଇ ଏସ୍ଓପି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ନାତକ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସମେତ ଅଙ୍ଗନବାଡ଼ି ଖୋଲିଲାଣି। ପାଠପଢ଼ା ବି ଆରମ୍ଭ ହୋଇଛି। ତାହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଲାଗି ଗଣଶିକ୍ଷା ବିଭାଗର ଅଧିକାରୀମାନେ ଘନ ଘନ ବୈଠକ କରୁଛନ୍ତି। ଶିକ୍ଷାବିତ୍, ଅଭିଭାବକ, ସ୍କୁଲ କର୍ତୃପକ୍ଷମାନଙ୍କ ସହ ଆଲୋଚନା ଚାଲିଛି। କିଭଳି ଭାବେ ସ୍କୁଲ ଖୋଲିବ ଓ କରୋନା କବଳରୁ ଛୋଟ ପିଲାଙ୍କୁ ରକ୍ଷା କରାଯାଇ ପାଠପଢ଼ା ହେବ ସେନେଇ ବିଚାର ବିମର୍ଶ ହୋଇଛି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଅଙ୍ଗନବାଡ଼ି ଖୋଲିଥିବାରୁ ଆମେ ଏବେ ପ୍ରାଥମିକ ବିଦ୍ୟାଳୟ ଉପରେ ଅଧିକ ଫୋକସ୍ କରୁଛୁ। ପାଖାପାଖି ୧୧ ମାସ ହେଲା ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ପ୍ରଭାବିତ ହେଲାଣି। ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କରୋନା କଟକଣା ଭିତରେ ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଗୋଟିଏ କ୍ୟାମ୍ପସରେ ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା କିଭଳି ହେବ ତାହା ଏବେ ଆମ ପାଇଁ ବଡ଼ ଆହ୍ବାନ। ତାହାର ସମାଧାନ କରିବା ଲାଗି ଏସ୍ଓପିରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା କରାଯିବ ନାହିଁ। ତା’ ବଦଳରେ ପ୍ରତି ଶ୍ରେଣୀର କ୍ଲାସ ୪ ଘଣ୍ଟା ଲେଖାଏଁ ହେବ। ଗୋଟିଏ ସମୟରେ ଅତି ବେଶିରେ ୪ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଡକାଯିବ। ଫଳରେ ପାଠପଢ଼ାରେ କୌଣସି ସମସ୍ୟା ହେବନି କି କ୍ୟାମ୍ପସରେ ଭିଡ଼ ଜମିବନି। ସ୍କୁଲ ସମୟରେ ପରିବର୍ତନ ହେବ। ସକାଳ ୧୦ଟା ବଦଳରେ ୮ଟାରୁ ୪ଟା ପର୍ଯ୍ୟନ୍ତ କ୍ଲାସ ହୋଇପାରେ। ଶିକ୍ଷକ ଶିକ୍ଷୟିତ୍ରୀ ପାଳି କରି ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ। ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ସକାଳେ ପିଲାଙ୍କ କ୍ଲାସ କରିବେ ସେନେଇ ଅପରାହ୍ଣ ପର୍ଯ୍ୟନ୍ତ ରହିବେ ନାହିଁ। ଅପରାହ୍ଣରେ ଅନ୍ୟ ଶିକ୍ଷକମାନେ ପଢ଼ାଇବେ। କ୍ଲାସରୁମ୍ ଭିତରେ ସାମାଜିକ ଦୂରତା ସହ ମାସ୍କ ପରିଧାନ, ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର କରିବାକୁ ଏସ୍ଓପିରେ ଉଲ୍ଲେଖ ହୋଇଛି। ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଏସ୍ଓପି ଜାରି ହେବ ବୋଲି ସୂଚନା ମିଳିଛି।
The post ସରସ୍ବତୀ ପୂଜା ପରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ first appeared on Sambad.
from ରାଜ୍ୟ – Sambad https://ift.tt/36IqZcK
0 Comments