
କଟକ : ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଏହି ଅଦାଲତ ଅବମାନନା ମାମଲା ଦାୟର ହୋଇଛି। ଏ ସଂପର୍କିତ ମାମଲାର ଫେବ୍ରୁଆରି ୨୨ରେ ହାଇକୋର୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଶୁଣାଣି ସମୟରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତଙ୍କ ଆଦେଶ ଉଲ୍ଲଂଘନ ପ୍ରସଂଗରେ କାରଣ ଦର୍ଶାଇବେ ବୋଲି ନିର୍ଦ୍ଦେଶ ରହିଛି।
ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୫ରେ ହାଇକୋର୍ଟ ଏ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ୨୦୨୦ ଡିସେମ୍ବର ୩୦ରେ ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟସ୍, ଓଏଫସ୍ ଗ୍ରୁପ୍-ଏ(ଜେବି)ର ଅଧିକାରୀଙ୍କୁ ଡେପୁଟି କଂଜରଭେଟର ଅଫ୍ ଫରେଷ୍ଟସ୍ ଓଏଫଏସ ଗ୍ରୁପ୍-ଏ(ଏସବି) ପଦବିକୁ ଆଡ୍-ହକ୍ ପ୍ରମୋସନ୍ ପ୍ରଦାନ ସଂପର୍କିତ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି କାର୍ଯ୍ୟକାରୀ ଉପରେ ଅଙ୍କୁଶ ଜାରି କରିଥିଲେ। ଏଥି ସହିତ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜାନୁଆରି ୨୨ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପ୍ରସଂଗରେ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରି ୨୨ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ମାଧ୍ୟମରେ ଜବାବ ରଖିଥିଲେ। ୨୦୨୦, ଡିସେମ୍ବର ୩୦ର ବିଜ୍ଞପ୍ତି ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ନେଇ ତଥ୍ୟ ସତ୍ୟପାଠ ସହିତ ଦାଖଲ କରାଯାଇଥିଲା। ଜାନୁଆରି ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ପଦୋନ୍ନତି ପ୍ରସଂଗରେ ରହିଥିବା ଅସଂଗତି ଦୂର କରିବାକୁ ସଚିବଙ୍କୁ କହିଥିଲେ। ଫେବ୍ରୁଆରି ୧୫ରେ ରିଟ୍ ଅପିଲର ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ସହିତ ଜଙ୍ଗଲ ଓ ପରିବେଶ ବିଭାଗ ଡେପୁଟି ସେକ୍ରେଟାରି ୨୦୨୧, ଜାନୁଆରି ୨୯ରେ ପିସିସିଏଫ୍ ଓ ଏଚଓଏଫଏଫଙ୍କୁ ଲେଖିଥିବା ଚିଠିର ନକଲ ଦାଖଲ କରିଥିଲେ। ଏଥିରେ ୨୦୨୦, ଡିସେମ୍ବର ୩୦ର ବିଜ୍ଞପ୍ତି ଅନୁସାରେ ଜଣେ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିବା ନେଇ ସ୍ପଷ୍ଟ ହୋଇଥିଲା। ଏଥିରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜଙ୍ଗଲ ଓ ପରିବେଶ ବିଭାଗ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ଫେବ୍ରୁଆରି ୧୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଫେବ୍ରୁଆରି ୨୨ରେ ବ୍ୟକ୍ତିଗତ ଭାବେ ସଚିବ ହାଜର ହୋଇ ଅଦାଲତଙ୍କ ଆଦେଶ ଉଲ୍ଲଂଘନ ପ୍ରସଂଗରେ କାରଣ ଦର୍ଶାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଆବେଦନକାରୀ ବ୍ରଜମୋହନ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ଓ ଶିଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।
The post ଜଙ୍ଗଲ ଓ ପରିବେଶ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା : ୨୨ରେ ବ୍ୟକ୍ତିଗତ ହାଜିରା first appeared on Sambad.
from ରାଜ୍ୟ – Sambad https://ift.tt/2M8pnSj
0 Comments