
ଭୁବନେଶ୍ବର : ଏକାଧିକ ବାର ପ୍ରଥମ ଡୋଜ୍ ଟିକାକରଣ ଅବଧି ରାଜ୍ୟ ସରକାର ବଢ଼ାଇଥିଲେ ହେଁ ଏବେ ବି ରାଜ୍ୟର ୩ ଜିଲ୍ଲାରେ ଟିକାକରଣ ନୈରାଶ୍ୟଜନକ ରହିଛି। କଟକରେ ୭୧, କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ ୭୯ ପ୍ରତିଶତ ଲେଖାଏଁ ଟିକାକରଣ ସମ୍ଭବ ହୋଇପାରିଛି। ତୃତୀୟଥର ଲାଗି ବଢ଼ା ଯାଇଥିବା ଟିକାକରଣ ଅବଧି ଶେଷ ହେବାକୁ ଆହୁରି ୫ ଦିନ ରହିଥିବା ବେଳେ ଏସବୁ ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ହୋଇପାରିବ କି ନାହିଁ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଅପରପକ୍ଷରେ ଆଜି ରାଜ୍ୟରେ ହୋଇଥିବା ଟିକାକରଣରେ ପ୍ରଥମ ଡୋଜ୍ ପାଇଁ ୭୯ପ୍ରତିଶତ ଓ ଦ୍ବିତୀୟ ଡୋଜ୍ ପାଇଁ ୮୪ ପ୍ରତିଶତ ଟିକାକରଣ କରାଯାଇଛି। ପ୍ରଥମ ଡୋଜ୍ ପାଇଁ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୨୫୩ ପ୍ରତିଶତ ଟିକାକରଣ ହୋଇଛି। କେନ୍ଦ୍ରାପଡ଼ା ନୈରାଶ୍ୟଜନକ ମାତ୍ର ୫ ପ୍ରତିଶତ ଟିକାକରଣ କରାଯାଇଛି। ସେହିପରି ଦ୍ବିତୀୟ ଡୋଜ୍ ପାଇଁ ବାଲେଶ୍ବର ଜିଲ୍ଲାରେ ୧୮୬ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ରାୟଗଡ଼ାରେ ୨୬ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨ଲକ୍ଷ ୯୦ହଜାର ୪୭ଜଣ ଟିକା ନେଇ ସାରିଲେଣି। ଏହାସହ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟ ଟିକାକରଣ ଜାରି ରହିଛି। ପଞ୍ଜୀକୃତ ୨ଲକ୍ଷ ୪ହଜାର ୪୬୯ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ଏବେ ସୁଦ୍ଧା ୧ଲକ୍ଷ ୪୩ହଜାର ୫୩୭ଜଣ ଟିକା ନେଇ ସାରିଲେଣି। ଯାହାର ହାର ରହିଛି ୭୦ ପ୍ରତିଶତ। ଝାରସୁଗୁଡ଼ାରେ ସର୍ବାଧିକ ୮୯ ପ୍ରତିଶତ ଓ ବାଲେଶ୍ବରରେ ସର୍ବନିମ୍ନ ୩୭ ପ୍ରତିଶତ ଯୋଦ୍ଧା ଟିକା ନେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଆଣ୍ଟିବଡି ପରୀକ୍ଷା ପାଇଁ ଲାଗି ରହିଥିବା ଅନିଶ୍ଚିତତା ଆଜି ମଧ୍ୟ ଜାରି ରହିଛି। ଭିମ୍ସାର ବୁର୍ଲାରେ ‘କୋଭିସିଲ୍ଡ’ ପାଇଁ ଆଣ୍ଟିବଡି ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ‘କୋଭାକ୍ସିନ୍’ ପାଇଁ କ୍ୟାପିଟାଲ ହସ୍ପିଟାଲରେ କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ।
The post ୩ ଜିଲ୍ଲାରେ ଟିକାକରଣ ନୈରାଶ୍ୟଜନକ first appeared on Sambad.
from ରାଜ୍ୟ – Sambad https://ift.tt/3s8IbAi
0 Comments