୧୨ ରାଜ୍ୟରୁ ଫେରିଲେ ୭ଦିନ ପୃଥକ୍‌ବାସ ବାଧ୍ୟତାମୂଳକ

ଜିଲ୍ଲାପାଳ, ନଗର ନିଗମ, ବିମାନ ବନ୍ଦର ଓ ପୂର୍ବତଟ ରେଳପଥକୁ ଚିଠି
ଜିଲ୍ଲାରେ ଆର୍‌ଟି-ପିସିଆର ନମୁନା ପରୀକ୍ଷା ବଢ଼ାଅ
ପୁଣି ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୯୪

ଭୁବନେଶ୍ବର : ଦେଶର ୧୨ଟି ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କୁ ୭ଦିନ ବାଧ୍ୟତାମୂଳକ ଭାବେ ଗୃହ ପୃଥକ୍‌ବାସରେ ରହିବାକୁ ହେବ। ଏସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଗୃହ ପୃଥକ୍‌ବାସରେ ରହିଥିବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଲକ୍ଷଣ ପ୍ରକାଶ ପାଏ, ତା’ହେଲେ ତାଙ୍କର ଆର୍‌ଟି-ପିସିଆର୍‌ ନମୁନା ପରୀକ୍ଷା କରିବା ଲାଗି ନିର୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତ‌ରେ ସବୁ ଜିଲ୍ଲାପାଳ, ନଗର ନିଗମ, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଗତକାଲି ରାଜ୍ୟ ସରକାର ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ର ଫେରନ୍ତାଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏଥିପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନ୍‌ରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା କରିବା ଲାଗି କୁହାଯାଇଥିଲା। ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏହି ୧୨ ରାଜ୍ୟ ଫେରାନ୍ତଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକ୍‌ବାସ ଲାଗୁ କରିଛନ୍ତି। ଆର୍‌ଟି-ପିସିଆର୍‌ ନମୁନା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ଚିକିତ୍ସା ପ୍ରୋଟୋକଲ୍‌ ଅନୁସାରେ ଚିକିତ୍ସା କରାଯିବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଜିଲ୍ଲାସ୍ତରରେ ଆର୍‌ଟି-ପିସିଆର୍‌ ନମୁନା ପରୀକ୍ଷା ବଢ଼ାଇବା ଓ କରୋନା ସଚେତନତା କାର୍ଯ୍ୟକ୍ରମକୁ ମିସନ୍ ମୋଡ୍‌ରେ ଆଗେଇନେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ ରାଜ୍ୟରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨ ଦିନ ତୁଳନାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୦ଟି ଜିଲ୍ଲାରୁ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତକାଲି ସୁଦ୍ଧା ରାଜ୍ୟରେ ଏକାଧିକ ଜିଲ୍ଲା କରୋନାମୁକ୍ତ ଥିବା ବେଳେ ଆଜି ଏହି ସଂଖ୍ୟା ମାତ୍ର ୧କୁ ଖସି ଆସିଛି। ଏବେ କେବଳ ଅନୁଗୁଳ ଜିଲ୍ଲାରେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି।

ରାଜ୍ୟରେ ଗତ ସପ୍ତାହର ବ୍ୟବଧାନ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଦିନ ତଳେ ବଢ଼ିଥିଲା। ହେଲେ ଏହାର ୨୪ଘଣ୍ଟା ପରେ ପୁଣିଥରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୧୮କୁ ବୃଦ୍ଧି ପାଇଛି। ‌ଅପରପକ୍ଷରେ ଆଜି କୌଣସି ସଂକ୍ରମିତ କରୋନାରେ ପ୍ରାଣ ହରାଇ ନଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୬୩ଜଣ ସଂକ୍ରମିତ ସୁସ୍ଥ ହେବା ପରେ ରାଜ୍ୟ‌ରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୪ହଜାର ୪୬୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୫୮୭ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

The post ୧୨ ରାଜ୍ୟରୁ ଫେରିଲେ ୭ଦିନ ପୃଥକ୍‌ବାସ ବାଧ୍ୟତାମୂଳକ first appeared on Sambad.



from ରାଜ୍ୟ – Sambad https://ift.tt/3b0qGfX

Post a Comment

0 Comments