ରାଚ୍ଛିପୁରରେ ବି ବନ ବିଭାଗର ଦୁର୍ନୀତି : ଦୁଇ ଚକିଆକୁ ଟ୍ରାକ୍ଟର, ଟ୍ୟାଙ୍କର ଦର୍ଶାଇ ଲୁଟ୍‌

ଯାଜପୁର : ଯାଜପୁର ଜିଲ୍ଲାରେ ବନ ବିଭାଗର ପୁଳା ପୁଳା ଦୁର୍ନୀତି ପଦାରେ ପଡ଼ିଛି। ସ୍କୁଟର ଓ ବାଇକ୍‌କୁ ପାଣି ଟ୍ୟାଙ୍କର, କାରକୁ ଟ୍ରକ୍‌ ଦେଖାଇ ଅଧିକାରୀମାନେ ଅର୍ଥ ହଡ଼ପ କରିଛନ୍ତି। ଏଭଳି କି ବୃଦ୍ଧ ଅଲେଖ ବାବାଙ୍କ ନାମରେ ମଧ୍ୟ ଅର୍ଥ ଚଳୁ କରିବାକୁ ପଛାଇ ନାହାନ୍ତି। ଏତେସବୁ ପରେ ମଧ୍ୟ ଭିଜିଲାନ୍ସ ବିଭାଗ ଚୁପ୍‌ ବସିଛି । ଭିଜିଲାନ୍ସର ଏହି ନିରବତା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି।।

ଯାଜପୁର ରୋଡ ରେଞ୍ଜରେ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରେ ସହରୀ ବନୀକରଣ ଯୋଜନାରେ ଦୁର୍ନୀତି ହୋଇଥିବା ନଜରକୁ ଆସିଛି। ଆର୍ଥିକ ବର୍ଷ ୨୦୧୯-୨୦ ରେ ରାଚ୍ଛିପୁରଠାରେ ଲଗାଯାଇ ଥିବା ଗଛ ପାଇଁ କଣ୍ଟା ତାର ବୁହାରେ ଖର୍ଚ୍ଚ ହୋଇଛି ୫୦ ହଜାର ୪୦୦ ଟଙ୍କା । ଭାଉଚର ନମ୍ବର-୨୦ ଜେଆର୍ ୨/୨୦ ରେ ଓଆର୍ ୦୪ ଏମ୍ ୨୪୬ ଟ୍ରାକ୍ଟର ଟ୍ରଲି(ଡାଲା)ରେ ବୁହାଯାଇଛି। କିନ୍ତୁ ଓଆର୍ ୦୪ ଏମ୍ ୨୪୬ ନମ୍ବର ହୋଉଛି ବଜାଜ୍ ପଲସର ମୋଟର ସାଇକେଲ। ଏହାର ମାଲିକ ହେଉଛନ୍ତି ମନୋଜ ମଣ୍ଡଳ। ଏହି ରାଚ୍ଛିପୁର ଠାରେ ପାଣି ଦେବା ପାଇଁ ଓଆର୍ ୦୪ ଏମ୍ ୨୪୫ ପାଣି ଟ୍ୟାଙ୍କର ବ୍ୟବହାର ହୋଇଛି। ଭାଉଚର ନମ୍ବର-୬ ଜେଆର୍ ୨/୨୦ ରେ ୪୨ ହଜାର, ଭାଉଚର ନମ୍ବର- ୮ ଜେଆର୍ ୨/୨୦ ରେ ୪୨ ହଜାର, ଭାଉଚର ନମ୍ବର- ୧୦ ଜେଆର୍ ୨/୨୦ ରେ ୪୨ ହଜାର ଓ ଭାଉଚର ନମ୍ବର- ୧୨ ଜେଆର୍ ୨/୨୦ ରେ ୪୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ପାଣି ଟ୍ୟାଙ୍କର ଓଆର୍ ୦୪ ଏମ୍ ୨୪୫ ନମ୍ବର ହେଉଛି ବଜାଜ ଡିସକଭର ମୋଟର ସାଇକେଲ। ଏହାର ମାଲିକ ହେଉଛନ୍ତି ପବିତ୍ର ମୋହନ ସାହୁ। ସେହିପରି ଏହି ରାଚ୍ଛିପୁର ଠାରେ ପାଣି ଦେବା ନିମନ୍ତେ ଓଆର୍ ୦୫ ଏଡି ୫୧୧୫ ନମ୍ବର ପାଣି ଟ୍ୟାଙ୍କର ବ୍ୟବହାର କରାଯାଇଛି। ଭାଉଚର ନମ୍ବର -୫ ଜେଆର୍ ୨/୨୦ ରେ ୪୨ ହଜାର , ଭାଉଚର ନଂ- ୭ ଜେଆର୍ ୨/୨୦ ରେ ୪୨ ହଜାର ଟଙ୍କା , ଭାଉଚର ନଂ -୨୪ ଜେଆର୍ ୧୨/୨୦ ରେ ୪୨ ହଜାର ଟଙ୍କା, ଭାଉଚର ନଂ – ୨୫ ଜେଆର୍ ୧୨/୨୦ ରେ ୪୨ ହଜାର ଟଙ୍କା, ଭାଉଚର ନଂ -୨୮ ଜେଆର୍ ୧୨/୨୦ ରେ ୪୨ ହଜାର ଟଙ୍କା ଭାଉଚର ନଂ- ୨୯ ଜେଆର୍ ୧୨/୨୦ ରେ ୪୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଦର୍ଶାଯାଇଛି। ତେବେ ଓଆର୍ ୦୫ଏଡି ୫୧୧୫ ନମ୍ବର ହେଉଛି ଟିଭିଏସ୍ ସ୍କୁଟି ପେପ୍ ପ୍ଲସ୍। ଏହାର ମାଲିକ ହେଉଛନ୍ତି ଅଲିଭା ରାଣୀ। ବନ ଅଧିକାରୀ କେମିତି ବଜାଜ ପଲସର ମୋଟର ସାଇକେଲକୁ ଟ୍ରାକ୍ଟର ଡାଲା, ବଜାଜ ଡିସକଭର ମୋଟର ସାଇକେଲ ଓ ଟିଭିଏସ୍ ସ୍କୁଟି ପେପ ପ୍ଲସକୁ ପାଣି ଟ୍ୟାଙ୍କର ରୂପେ ବ୍ୟବହାର କଲେ ବୋଲି ପ୍ରଶ୍ନ ଉଠୁଛି।

ଜିଲ୍ଲାର ସମସ୍ତ ରେଞ୍ଜରେ ଏହି ଭଳି ବ୍ୟାପକ ଜାଲିଆତି କରାଯାଇ କୋଟି କୋଟି ଟଙ୍କା ଚଳୁ ହୋଇଥିବା ସରକାରୀ ଦସ୍ତାବିିଜ୍ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ତଥାପି ଭିଜିଲାନ୍ସ ବିଭାଗ କାହିିଁକି ନିରବ? କାହା ଚାପରେ ଚେପା ତଦନ୍ତକାରୀ ସଂସ୍ଥା ? ସରକାରଙ୍କ ୫-ଟି ସ୍ଲୋଗାନ ବନ ବିଭାଗ ପାଇଁ ନାହିଁ କି ବୋଲି ପ୍ରଶ୍ନ ଉଠୁଛି।

The post ରାଚ୍ଛିପୁରରେ ବି ବନ ବିଭାଗର ଦୁର୍ନୀତି : ଦୁଇ ଚକିଆକୁ ଟ୍ରାକ୍ଟର, ଟ୍ୟାଙ୍କର ଦର୍ଶାଇ ଲୁଟ୍‌ first appeared on Sambad.



from ରାଜ୍ୟ – Sambad https://ift.tt/372qwCc

Post a Comment

0 Comments