
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଗତ ୨୦ ଦିନରେ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି। ହାତୀ ମଡ଼କ ଘଟଣାର କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ଟିମ୍ କଳାହାଣ୍ଡି ଗସ୍ତରେ ଆସି ରବିବାର ଫେରି ଯାଇଛନ୍ତି। ଫେରିବା ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ସଜାଗ ରହିବାକୁ କେନ୍ଦ୍ରୀୟ ଟିମ୍ ତାଗିଦ୍ କରିଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଟିମ୍ କର୍ଲାପାଟ ଯାଇ ସପ୍ତମ ମୃତ ହାତୀ ଓ ଦ୍ୱିତୀୟ ମୃତ ଗାଈକୁ ଠାବ କରିଥିଲେ। ଅନ୍ୟପଟେ ଏମାନଙ୍କ ମୃତଦେହ ଠାବ ନକରିପାରି ଉଭୟ ବନ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା। ଶନିବାର ହାତୀ ମଡ଼କ ଅଞ୍ଚଳ କର୍ଲାପାଟ ପଞ୍ଚାୟତର ପ୍ରାଣୀଧନ ସହାୟତା କେନ୍ଦ୍ରର ନିରୀକ୍ଷକ ଗଣେଶରାମ ପୁଝାରୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି।
ଗତକାଲି କେନ୍ଦ୍ରୀୟ ଟିମ୍ରେ ଉତ୍ତରପ୍ରଦେଶ ବରେଲିର ସେଣ୍ଟର ଫର୍ ୱାଇଲଡ୍ ଲାଇଫର ବୈଜ୍ଞାନିକ ଡା. କରିକଲାନ ମାଥେସ, ଏଲିଫେଣ୍ଟ୍ ସେଲର ଜାତୀୟ ସଂଯୋଜିକା ଡା. ପ୍ରଜ୍ଞା.ପି ପଣ୍ଡା ଓ ଓୟୁଏଟିର ପ୍ରଫେସର ଡା. ନିରଞ୍ଜନ ସାହୁ ସାମିଲ ହୋଇଥିଲେ। ଫେରିବା ପରେ ଭବାନୀପାଟଣା ସର୍କିଟ୍ ହାଉସରେ କେନ୍ଦ୍ରୀୟ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ଭେଟି ଆଲୋଚନା କରିଥିଲେ।
ଅନ୍ୟପଟେ, କର୍ଲାପାଟ ଅଭୟାରଣ୍ୟରେ ପୂର୍ବରୁ ୧୭ଟି ହାତୀ ଠାବ ହୋଇଥିଲା। ଏହି ହାତୀମାନେ ୨ଟି ଗୋଷ୍ଠୀରେ ରହୁଥିଲେ। ଗୋଟିଏ ଗୋଠରେ ୮ଟି ଓ ଅନ୍ୟ ଗୋଠରେ ୯ଟି ହାତୀ ରହୁଥିଲେ। ୮ଟି ଗୋଠ ମଧ୍ୟରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ଟି ହାତୀଙ୍କୁ ଠାବ କରାଯାଇପାରିନାହିଁ। ଅନ୍ୟ ଗୋଠର ୯ଟି ହାତୀ କିଆପଦର ଅଞ୍ଚଳରେ ଥିବା ଡିଏଫ୍ଓ କହିଛନ୍ତି। ଗୋଠରୁ ଅଲଗା ହୋଇଯାଉଥିବା ୨ଟି ହାତୀକୁ ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କ ଠାବ ପାଇଁ ବନ ବିଭାଗ ପୂରା ଦମ୍ରେ ଲାଗିଛି।
The post କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣା: ତଦନ୍ତ ସାରି ଫେରିଗଲେ କେନ୍ଦ୍ରୀୟ ଟିମ୍ first appeared on Sambad.
from ରାଜ୍ୟ – Sambad https://ift.tt/3ka2wCm
0 Comments