
ବସ୍, ଟ୍ରେନ୍ ସେବା ବାଧାପ୍ରାପ୍ତ
ଭୁବନେଶ୍ବରରେ ଛାତ୍ର କଂଗ୍ରେସ-ପୁଲିସ ଧସ୍ତାଧସ୍ତି
ରାଜପଥରେ ଅଟକିଲା ଶହଶହ ଗାଡ଼ି, ଶତାଧିକ ଗିରଫ
ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଡାକରାରେ ସୋମବାର ସାରା ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରାକୁ ଜନସାଧାରଣଙ୍କ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳଠୁ ନେଇ ଦୋକାନବଜାର ପର୍ଯ୍ୟନ୍ତ ପ୍ରାୟତଃ ବନ୍ଦ ରହିଛି। ସମ୍ବଲପୁର, କଟକ, ବାଲେଶ୍ବର, ବ୍ରହ୍ମପୁର, କୋରାପୁଟ, ରାଉରକେଲା, ଅନୁଗୁଳ ଆଦି ରାଜ୍ୟର ସବୁ ସହର ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ବନ୍ଦ ଶାନ୍ତିପୂର୍ଣ୍ଣ ଓ ସଫଳ ରହିଥିବାରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ବିଜେପି କହିଛି ଯେ ଦଳର ଅସ୍ତିତ୍ବ ବଞ୍ଚାଇବାକୁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ଅନ୍ୟପକ୍ଷରେ ବିଜେଡିର କହିବା କଥା ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଅତିଷ୍ଠ ହେଲେଣି। କେନ୍ଦ୍ର ସରକାର ତୁରନ୍ତ ତୈଳ ଦର ନିୟନ୍ତ୍ରଣ କରିବା ଦରକାର।
କ୍ରମାଗତ ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର ସକାଳ ୭ଟାରୁ ରାଜ୍ୟବ୍ୟାପି କଂଗ୍ରେସ କର୍ମୀମାନେ ବିଭିନ୍ନ ଜିଲ୍ଲାରେ ରାସ୍ତାରୋକ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହି ସମୟ ମଧ୍ୟରେ ବସ ଓ ଟ୍ରକ ଚଳାଚଳ ବନ୍ଦ ରହିଥିବା ବେଳେ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ଆନ୍ଦୋଳନକାରୀମାନେ ଭୁବନେଶ୍ବର, ତାଳଚେର, ଢ଼େଙ୍କାନାଳ, ଛତ୍ରପୁର ଓ ପୁରୀ ଷ୍ଟେସନରେ ରେଳରୋକ କରିବାରୁ କିଛି ସମୟ ପାଇଁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା। ଭୁବନେଶ୍ବର ବିମାନବନ୍ଦରରେ ଓହ୍ଲାଇଲା ପରେ ଅନେକ ଯାତ୍ରୀ ବାହାରକୁ ଯାଇପାରି ନଥିଲେ।
ଭୁବନେଶ୍ବର ରେଳ ଷ୍ଟେସନ୍, ବସଷ୍ଟାଣ୍ଡ୍ ଓ ମାଷ୍ଟରକ୍ୟାଣ୍ଟିନ୍ ଛକରେ କଂଗ୍ରେସର କର୍ମୀମାନେ ଦଳୀୟ ପତାକା ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ବନ୍ଦ ପାଳନବେଳେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍ ଛକରେ କର୍ମୀମାନଙ୍କ ସହ ନିଜେ ପିସିସି ସଭାପତି ଚାଲିଚାଲି ବିକ୍ଷୋଭ କରିବା ଦେଖିବାକୁ ମିଳିଥିଲା। ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ସାଇକେଲ ଚଲାଇ ବିରୋଧ ପ୍ରଦର୍ଶନ କରିଥିଲେ। ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଖଣ୍ଡଗିରି ଛକରୁ ସାଇକେଲ ଶୋଭାଯାତ୍ରାରେ ଆସି ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପିକେଟିଂ କରିଥିଲେ। ସେହିପରି ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜଙ୍କ ନେତୃତ୍ବରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ମୋଟରସାଇକେଲ ଶୋଭାଯାତ୍ରାରେ ରାଜଭବନ ଛକରୁ ବାହାରି ଏଜି ଛକ, ମାଷ୍ଟରକ୍ୟାଣ୍ଟିନ୍ ଛକ ଓ ବାଣୀବିହାର ଛକ ପର୍ଯ୍ୟନ୍ତ ଯାଇଥିଲେ। ବାଣୀବିହାର ଛକରୁ ଫେରି ଦିନ ୧୨ଟାରେ ଛାତ୍ର କଂଗ୍ରେସର କର୍ମୀମାନେ ବିଧାନସଭା ପରିସରକୁ ମାଡ଼ିଯିବା ପାଇଁ ଉଦ୍ୟମ କରିବାରୁ ଲୋୟର ପିଏମ୍ଜି ଛକରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗିରଫ କରିଥିଲା।
ଏହି ବନ୍ଦପାଳନ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ପାଳନ ହୋଇଥିଲା। ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାଶ, ଅମୀୟ ପଟ୍ଟନାୟକ, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ରଶ୍ମି ମହାପାତ୍ରସ, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ରଜତ ଚୌଧୁରୀ, ସଂଗ୍ରାମ ଜେନା, ମନୋଜ ବିଶ୍ବାଳ, ନିହାର ବେହେରା, ବିଶ୍ବଜିତ୍ ଲେଙ୍କା, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ ଦାସ, ଦେବୀ ପ୍ରସାଦ ବାହାଲିଆ, ଦୀପକ ସାହୁ, ଚିନ୍ମୟ ସୁନ୍ଦର ଦାଶ, ଶ୍ରୀୟାସ୍ମିତା ପଣ୍ଡା, ମିହିର ଆଚାର୍ଯ୍ୟ, କୁସୁମ ପ୍ରଧାନ, ଜୟକୃଷ୍ଣ ସୁବୁଦ୍ଧି, ମୋହନ ଜେନା, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ପ୍ରଣତି ମିଶ୍ର, କୈଳାଶ ସାହୁ, କୁଳମଣି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ବନ୍ଦ ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ: ନିରଞ୍ଜନ
ବନ୍ଦକୁ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ବନ୍ଦ ଡାକରା ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଯୋଗୁ ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷକରି ଗରିବ, ଖଟିକିଆ, ଚାଷୀ, ନିମ୍ନ ମଧ୍ୟବିତ୍ତ, ସ୍ବଳ୍ପ ଆୟକାରୀ କର୍ମଚାରୀମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ସେ କହିଥିଲେ ଯେ ବନ୍ଦ ଡାକରା ପୂର୍ବରୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ୧୦ ଟଙ୍କା ଭାଟ୍ ଟିକସ କମାଇବାକୁ ଚିଠି ଲେଖିଥିଲେ। କଂଗ୍ରେସର ଏହି ଅନୁରୋଧ ପରେ ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ଏହି ଟିକସ ଛାଡ଼ କରିବା ନେଇ ସରକାର କୌଣସି ନିଷ୍ପତ୍ତି ନେଲେନାହିଁ। ବରଂ ରାଜକୋଷ ବୃଦ୍ଧି ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତ୍ତିକୁ ମୁଣ୍ଡପାତି ସମର୍ଥନ ଦେଇଛନ୍ତି। କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଛନ୍ତି। କିନ୍ତୁ ଏହି ମହାମାରୀ କାଳରେ ମୋଦୀ ସରକାରଙ୍କ ପ୍ରୋତ୍ସାହନରେ ଦେଶରେ କେବଳ ୧ ପ୍ରତିଶତ ପୁଞ୍ଜିପତିଙ୍କର ଧନରେ ୩୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। କିନ୍ତୁ ଦେଶର ଅର୍ଥନୀତି ସ୍ଥାଣୁ ପାଲଟିଯାଇଛି। ଲୋକଙ୍କର ରୋଜଗାର ହ୍ରାସ ପାଇଛି। ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଠିକ୍ ଏହି ସମୟରେ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର କ୍ରମାଗତ ବଢ଼ାଇ ଚାଲିଛନ୍ତି। ଫଳରେ ଦୈନଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ଦର ଅହେତୁକ ବଢ଼ି ଚାଲିଛି।
The post ତେଲ ଦରବୃଦ୍ଧିର ପ୍ରତିବାଦ : ୬ ଘଣ୍ଟିଆ ଓଡ଼ିଶା ବନ୍ଦ first appeared on Sambad.
from ରାଜ୍ୟ – Sambad https://ift.tt/37ivVoS
0 Comments