ଭୁବନେଶ୍ବରର ଟ୍ୟାକ୍ସି ଚାଳକଙ୍କୁ ହତ୍ୟା ଘଟଣା : ପ୍ରେମୀଯୁଗଳ ଗିରଫ

ବୋରିଗୁମ୍ମା : ଭୁବନେଶ୍ୱର ଜାଗମରା ଅଞ୍ଚଳର ଟ୍ୟାକ୍ସି ଡ୍ରାଇଭର ସୁଧୀର ସାହୁଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ପୁଲିସ। ଲୁଟ୍ ଉଦ୍ଦେଶ୍ୟ ନୁହେଁ, ଯୁବତୀଙ୍କ ସହ ଦୁର୍ବ୍ୟବହାର କରିବାରୁ ଗଳା ଚିପି ସୁଧୀରଙ୍କୁ ହତ୍ୟା କରାଯାଇଥିଲା। ରାଉରକେଲାରୁ ମଙ୍ଗଳବାର ପ୍ରେମୀ ଯୁଗଳଙ୍କୁ ଗିରଫ ପରେ ବୁଧବାର ବୋରିଗୁମ୍ମା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲୀ ଏହି ସୂଚନା ଦେଇଛନ୍ତି। ଘଟଣାର ସବିଶେଷ ତଥ୍ୟ ଦେଇ ଅଭିଯୁକ୍ତଙ୍କ ଠାରୁ ଲୁଟ୍ ହୋଇଥିବା କାର୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ବି କହିଛନ୍ତି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତରାୟ ଯାଜପୁର ଜିଲ୍ଲା କରିମାବାଦ ଗାଁର ମୂଳ ବାସିନ୍ଦା ଏବଂ ବିବାହିତ। ସେହିପରି ଅଭିଯୁକ୍ତା ଯୁବତୀ ଅଳ୍ପନା ନାୟକ ମଧ୍ୟ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର। ଦୁହିଁଙ୍କ ମଧ୍ୟରେ ବହୁ ଦିନ ହେଲା ପ୍ରେମ ସଂପର୍କ ରହିଥିଲା। ଭୁବନେଶ୍ବର ନନ୍ଦନକାନନ ନିକଟରେ ଗୋଟିଏ ଆପାର୍ଟମେଣ୍ଟ ଭଡ଼ା ନେଇ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ। ଦୁହେଁ ଗୁପ୍ତେଶ୍ବର ବୁଲିବାକୁ ନିଷ୍ପତ୍ତି ନେଇ ଭୁବନେଶ୍ବର ଜାଗମରା ଅଞ୍ଚଳର ଟ୍ୟାକ୍ସି ମାଲିକ ତଥା ଡ୍ରାଇଭର ସୁଧୀର ସାହୁଙ୍କୁ ଯୋଗାଯୋଗ କରିଥିଲେ। ଜାନୁଆରି ମାସ ୨୫ତାରିଖ ଦିନ ସକାଳୁ ଭୁବନେଶ୍ବର ଛାଡ଼ିଥିବାବେଳେ ରାୟଗଡ଼ା ହୋଇ ସେହିଦିନ ରାତିରେ କୋରାପୁଟ ପହଞ୍ଚିଥିଲେ। କିନ୍ତୁ ରାସ୍ତାରେ ଗୁପ୍ତେଶ୍ବର ବଦଳରେ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଯିବାକୁ ନିଷ୍ପତ୍ତି ନେଇ ଗୋଟିଏ ଢାବାରେ ରାତ୍ରୀ ଭୋଜନ ପାଇଁ ଅଟକିଥିଲେ। ଉକ୍ତ ଢାବାରେ ପ୍ରକାଶ ଏବଂ ସୁଧୀର ପ୍ରଚୁର ମଦ୍ୟପାନ କରିବା ପରେ ପୁଣି ଗନ୍ତବ୍ୟ ଅଭିମୁଖେ ବାହାରିଥିଲେ। ତେବେ ସୁଧୀର ଥକି ଯାଇଥିବାରୁ ପ୍ରକାଶ ଗାଡ଼ି ଚଲାଇଥିଲେ। ରାସ୍ତା ଜାଣି ନପାରି ପ୍ରକାଶ ବୋରିଗୁମ୍ମା-ରାଣୀଗଡ଼ ରାସ୍ତାରେ ଚାଲି ଆସିଥିଲେ। ବିଳମ୍ବିତ ରାତିରେ ରାସ୍ତା ନ ପାଇବାରୁ ବୋରିଗୁମ୍ମା ବ୍ଲକ ଛତର୍ଲା ନିକଟରେ ଗାଡ଼ି ରଖି ‌ସମସ୍ତେ ଶୋଇପଡ଼ିଥିଲେ। ମଦ ନିଶାରେ କାଳେ ସୁଧୀର ବାରମ୍ବାର ଅଳ୍ପନାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ସ୍ପର୍ଶ କରିଥିଲେ। ଏଥିରେ ଅଳ୍ପନା ଉତ୍ତ୍ୟକ୍ତ ହୋଇ ପାଟିତୁଣ୍ଡ କରିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଶେଷରେ ପ୍ରେମୀ ଯୁଗଳ ଗୋଟିଏ ଗାମୁଛାରେ ସୁଧୀରଙ୍କ ବେକକୁ ଚିପି ହତ୍ୟା କରିଥିଲେ। ରାସ୍ତା କଡ଼ରେ ଶବ ଫୋପାଡ଼ି କାର୍‌ ନେଇ ସେଠାରୁ ଚାଲି ଯାଇଥିଲେ। କିଛିଦୂର ଯିବା ପରେ ସୁଧୀରଙ୍କ ମୋବାଇଲକୁ ମଧ୍ୟ ରାସ୍ତାରେ ଫିଙ୍ଗି ଦେଇଥିଲେ।

ସୁଧୀରଙ୍କ ଶବ ମିଳିବା ପରେ ବୋରିଗୁମ୍ମା ପୁଲିସ ତନାଘନା ଆରମ୍ଭ କରିଥିଲା। କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ୬ଜଣିଆ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ରେ ବୋରିଗୁମ୍ମା ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଜୟପୁର ସଦର ଥାନା ଏସ୍‌ଆଇ ଆଦିତ୍ୟ ମହାଙ୍କୁରଙ୍କ ସହ ଅନ୍ୟମାନେ ସାମିଲ ଥିଲେ। ଅଜଣା ଅଭିଯୁକ୍ତଙ୍କ ପରିଚୟ ଏବଂ ଠିକଣା ପ୍ରଥମେ ଖୋଜି ବାହାର କରିଥିଲା ପୁଲିସ। ଏହାପରେ ସେମାନଙ୍କ ସମ୍ଭାବ୍ୟ ଅବସ୍ଥିତି‌ ସଂପର୍କରେ ଜାଣିବା ପରେ ରାଉରକେଲା ପହଞ୍ଚିଥିଲା ପୁଲିସ ଟିମ୍। ଗତକାଲି ରାଉରକେଲାର ଅମର ଭବନ ହୋଟେଲରେ ଚଢ଼ଉ କରି ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ଧରିଥିଲା। ଆଜି ବୋରିଗୁମ୍ମାରେ ପହଞ୍ଚି ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ସୁଧୀରଙ୍କ କାର୍, ପର୍ସ ସହ ତିନୋଟି ମୋବାଇଲ ଜବତ କରାଯାଇଛି।

The post ଭୁବନେଶ୍ବରର ଟ୍ୟାକ୍ସି ଚାଳକଙ୍କୁ ହତ୍ୟା ଘଟଣା : ପ୍ରେମୀଯୁଗଳ ଗିରଫ first appeared on Sambad.



from ରାଜ୍ୟ – Sambad https://ift.tt/3jBC3gM

Post a Comment

0 Comments