ସ୍ୱାମୀଙ୍କୁ ବଞ୍ଚାଇବାକୁ ୫ ମାସର ପୁଅକୁ ବନ୍ଧା ପକାଇଲା ମା’

ଭଞ୍ଜନଗର : ଗୋଟିଏ ଜୀବନ ବଞ୍ଚାଇବାକୁ ଆଉ ଏକ ଜୀବନ ଲାଗିଲା ବାଜିରେ। ଅଭାବ ଅନଟନ ଭିତରେ ସନ୍ତୁଳି ହେଉଥିବା ପତ୍ନୀଟିଏ ସ୍ବାମୀଙ୍କ ଚିକିତ୍ସା ପାଇଁ ବଡ଼ଭଉଣୀଠୁ ୧୦ ହଜାର ଟଙ୍କା ଆଣି ତା’ବଦଳରେ ନିଜର ଜନ୍ମକଲା ପୁଅକୁ ତା’ ହାତକୁ ଟେକିଦେଇଛି। ଆଉ ଟଙ୍କା ପରିଶୋଧ ପରେ ପୁଅକୁ ପୁଣି ନିଜ କୋଳକୁ ନେବ ବୋଲି ମା’ ପଣ କରିଛି। ସମୟଚକ୍ରରେ ତାକୁ ଏହି ନିଷ୍ଠୁର ନିଷ୍ପତ୍ତି ନେବାକୁ ପଡ଼ିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅଧୀନ ବାରୁଡ଼ା ପଞ୍ଚାୟତ ବାଲିଆପଟା ଗ୍ରାମର ଦୁଃଖା ନାଇକଙ୍କ ପରିବାରର ଏଭଳି କିଛି କରୁଣ ଚିତ୍ର ବିଚଳିତ କରିଦେବା ଭଳି।

ଛୋଟିଆ ଦୁର୍ଘଟଣା ପୂରା ପରିବାରକୁ ଛାର୍‌ଖାର୍ କରି ପକାଇଛି। ଘରର ମୁରବି ଅର୍କମଣ୍ୟ ହୋଇ ‌ଘରେ ପଡ଼ି ରହିଥିବା ବେଳେ ପରିବାର ବୋଝ ଏକାକୀ ପତ୍ନୀ ଝିଲି ମୁଣ୍ଡାଇଛନ୍ତି। ପରିବାରର ଖରାପ ଆର୍ଥିକ ସ୍ଥିତି ତାଙ୍କୁ ତାଙ୍କଠୁ ୫ ମାସର ଶିଶୁପୁତ୍ରକୁ ଦୂରେଇ ନେଇଛି।

ଭଞ୍ଜନଗର ବ୍ଳକ୍ ସାନକୋଦଣ୍ଡା ପଞ୍ଚାୟତ ଯୋଗୀମାରୀ ଗ୍ରାମର ମୂଳବାସିନ୍ଦା ହେଉଛନ୍ତି ଦୁଃଖା। ଦୁଃଖାଙ୍କ କହିବାନୁଯାୟୀ, ତାଙ୍କ ମାଆ ହାର ନାଇକ ଗ୍ରାମରେ ଗ୍ରୁପ୍‌ ଲୋନ୍ ଆଣିଥିଲେ। ପରେ ଆଣିଥିବା ଋଣରୁ କିଛି ପରିଶୋଧ କରିଥିବା ବେଳେ ବଳକା ଟଙ୍କା ଆଉ ପରିଶୋଧ କରିପାରି ନଥିଲେ।  ଏହାପରେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇ ଗ୍ରାମର ଘରଦ୍ବାର ବିକ୍ରି କରି ବାଲିଆପଟା ଗ୍ରାମକୁ ଚାଲି ଆସିଥିଲେ। ସେଠାରେ ଏକ ଝାଟିମାଟିରେ ଚାଳଘରେ ରହୁଥିଲେ। ୮ ବର୍ଷ ଧରି ଦୁଃଖା ଓ ତାଙ୍କ ମା’ ଏକାଠି ହୋଇ ରହିଥିଲେ। ଆଗୁଳପଡ଼ାରେ ଝିଲିଙ୍କ ସହ ଦୁଃଖା ବିବାହ କରିଥିଲେ। ବର୍ତ୍ତମାନ ମାଆ ଅଲଗା ରହୁଛନ୍ତି। ଦୁଃଖା ଓ ଝିଲିଙ୍କ ୪ ବର୍ଷର ଗୋଟିଏ ପୁଅ ଓ ୨ ବର୍ଷର ଗୋଟିଏ ଝିଅ ଥିଲେ। ଗତ ୫ ମାସ ‌ତଳେ ସେମାନଙ୍କ ଆଉ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପତିପତ୍ନୀ ଉଭୟ ଶ୍ରମିକ ଭାବ‌େ କାମ କରି ପରିବାର ପ୍ରତିପୋଷଣ କରୁଥି‌ଲେ।
ସୁଖଦୁଃଖରେ ତେଲଲୁଣର ସଂସାର ଚାଲିଥିବା ବେଳେ ହଠାତ୍ ଏହି ପରିବାର ଉପରେ ଦୁଃଖର କଳାବାଦଲ ଘୋଟି ଆସିଲା। ତିନି ମାସ ତଳେ ଦୁଃଖା ଝିଅକୁ ସାଙ୍ଗରେ ନେଇ କୌଣସି କାମରେ ଭଞ୍ଜନଗର ଆସିଥିବା ବେଳେ ରାସ୍ତା ଡିଭାଇଡର୍‌ରେ ଗୋଡ଼ ବାଜି ଖଣ୍ଡିଆ ହୋଇଯାଇଥିଲା। ଉପଯୁକ୍ତ ଚିକିତ୍ସା ନହୋଇପାରିବାରୁ ଦୁଃଖାଙ୍କ ଗୋଡ଼ ଧି‌ରେ ଧିରେ ଆଣ୍ଠୁ ପର୍ଯ୍ୟନ୍ତ ପଚିଯାଇଥିଲା। ଏହାପରେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ ନେଇଥିଲେ ବି କୌଣସି ଉପଚାର ମିଳି ନଥିଲା।

ବର୍ତ୍ତମାନ ଦୁଃଖାଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ଉତ୍ତମ ଚିକିତ୍ସା ପାଇଁ ଟଙ୍କା ଦରକାର ପଡ଼ୁଥିବାରୁ ଝିଲି ତାଙ୍କ ବଡ଼ଭଉଣୀଙ୍କଠୁ ୧୦ହଜାର ଟଙ୍କା ଆଣିଛନ୍ତି। ସେଥିରେ ଦୁଃଖାଙ୍କ ମଲମପଟି କରି ଔଷଧ ଆଣିଛନ୍ତି। ହେଲେ ଘା’ ଆଜି ପର୍ଯ୍ୟନ୍ତ ଭଲ ହୋଇପାରିନି। ଆଉ ୧୦ ହଜାର ଟଙ୍କା ବଦଳରେ ନିଜ ୫ମାସର ପୁଅକୁ ବଡ଼ଭଉଣୀ ହାତକୁ ଟେକି ଦେଇଛନ୍ତି। ତାଙ୍କ ପାଖରେ ବଡ଼ପୁଅ ଓ ଝିଅ ଅଛନ୍ତି।

ବର୍ତ୍ତମାନ ଦୁଃଖା ନିଜେ କୌଣସି କାର୍ଯ୍ୟ କରିପାରୁନାହାନ୍ତି। ନିତ୍ୟକର୍ମଠୁ ଆରମ୍ଭ କରି ସବୁକିଛି ପାଇଁ ପତ୍ନୀ ଝିଲିଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେପଟେ ପରିବାରର ପୂରା ବୋଝ ଝିଲି ମୁଣ୍ଡାଇଛନ୍ତି। ସ୍ବାମୀଙ୍କ ଚିକିତ୍ସା ଏବଂ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ମୂଲ କାମ କରିବା ପାଇଁ ସକାଳୁ ଯାଉଥିବା ବେଳେ ସନ୍ଧ୍ୟାରେ ଫେରୁଛନ୍ତି। ଏଭଳି ଦୟନୀୟ ସ୍ଥିତିରେ ଦୁଃଖାଙ୍କୁ ସରକାରୀ ସହାୟତା ଯୋଗାଇବା ଜରୁରୀ ହୋଇପଡ଼ିଛି।

The post ସ୍ୱାମୀଙ୍କୁ ବଞ୍ଚାଇବାକୁ ୫ ମାସର ପୁଅକୁ ବନ୍ଧା ପକାଇଲା ମା’ first appeared on Sambad.



from ରାଜ୍ୟ – Sambad https://ift.tt/3q4pygb

Post a Comment

0 Comments