ପଞ୍ଚାୟତ ନିର୍ବାଚନ ପୋଷ୍ଟରେ ଏବେ ତୁଳନାତ୍ମକ ଚିତ୍ର, ଆନ୍ଧ୍ରର ଭତ୍ତା ୨୨୫୦କୁ ଓଡ଼ିଶାର ୫୦୦

ବ୍ରହ୍ମପୁର/ପାତ୍ରପୁର: ଆନ୍ଧ୍ର ପ୍ରଦେଶ ସରକାର ବିଭିନ୍ନ ଭତ୍ତା ବାବଦକୁ ୨୨୫୦ଟଙ୍କା ଦେଉଥିବାବେଳେ ଓଡ଼ିଶା ସରକାର ମାତ୍ର ୫ଶହ ଦେଉଛନ୍ତି। ପିଲାଙ୍କ ପାଠପଢା ଲାଗି ଜଗନ୍ନାନ୍‌ କିଟ୍‌ ପ୍ରଦାନ କରୁଛି ଆନ୍ଧ୍ର। ପଞ୍ଚାୟତ ନିର୍ବାଚନ ପୋଷ୍ଟରରେ ଆନ୍ଧ୍ରପ୍ରଦେଶ ଏହିଭଳି ‌ଭାବେ ଉଲ୍ଲେଖକରି ଲୋକମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଉଦ୍ୟମ କରୁଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଛି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ୍‌ର ୮ଟି ପଞ୍ଚାୟତର ୩୨ ଗାଁ। ଅଧିକାଂଶ ଗ୍ରାମବାସୀଙ୍କ ନିକଟରେ ଦ୍ବୈତ ପ୍ରମାଣପତ୍ର ଅର୍ଥାତ ଆନ୍ଧ୍ର ଓ ଓଡ଼ିଶାର ଭୋଟର ପରିଚୟପତ୍ର ରହିଥିବା ଜଣାପଡ଼ିଛି।

ଆସନ୍ତା ୧୩ରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ। ଗଞ୍ଜାମର ସୀମାନ୍ତ ଗାଁ ଗୁଡ଼ିକରେ ଆନ୍ଧ୍ର ନିର୍ବାଚନ ତାତି ଦେଖା ଦେବାପ‌ରେ ସୀମାବିବାଦ ପ୍ରସଙ୍ଗ ପୁଣି ମୁଣ୍ଡ ଟେକିଛି। ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତ କୁଲାଡ଼ି ଗାଁର ସାବିତ୍ରୀ ଶବର ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଏହି ଗାଁ ଏବେ ଚର୍ଚ୍ଚାରେ। ଆନ୍ଧ୍ର ପଞ୍ଚାୟତ ନିର୍ବାଚନର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଆଜିଠାରୁ ପ୍ରଚାର ଆରମ୍ଭ ହୋଇଛି। ତେବେ କୁଲାଡ଼ି ଗାଁରେ ଆନ୍ଧ୍ରର ପୋଷ୍ଟର ନାହିଁ କି ପ୍ରଚାର ନାହିଁ। କିନ୍ତୁ ଗୁଡ଼ିଖଳା ଗାଁରେ ଆନ୍ଧ୍ର ପ୍ରଚାର ଗାଡ଼ି ବୁଲୁଥିବା ଆଜି ଗାଁରେ ଆନ୍ଧ୍ର ନିର୍ବାଚନର ପ୍ରଚାରପତ୍ର ଦେଖିବାକୁ ମିଳିଛି।
ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳ ଅର୍ନ୍ତଗତ ତାଳଗୁରାଣ୍ଠି ପଞ୍ଚାୟତର ପ୍ରାର୍ଥୀମାନେ ଗୁଡ଼ିଖଳା ଗାଁରେ ଆନ୍ଧ୍ର ପୋଷ୍ଟର ମାରି ପ୍ରଚାର ଆରମ୍ଭ କରିଛନ୍ତି। ସେହିଭଳି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ପାତ୍ରପୁର ବ୍ଳକ୍‌ର ତୁମ୍ବା ଓ ବୁରାତାଲ ପଞ୍ଚାୟତର କୁଲାଡ଼ି, ବାଞ୍ଜୁଆସାହି, ଗୁଡ଼ିଖଳା, ବାବାନାସାହି ପ୍ରମୁଖ ଗ୍ରାମବାସୀ ଭୋଟ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ତେବେ ସୀମାନ୍ତ ଗ୍ରାମବାସୀ ‌ଆସନ୍ତା ୧୩ ତାରିଖରେ ଯେଭଳି ଆନ୍ଧ୍ରକୁ ଭୋଟ ଦେବାକୁ ନ ଯିବେ ସେଥିଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ଲୋକଙ୍କୁ ମନେଇବା ଆରମ୍ଭ କରିଛି। ପାତ୍ରପୁର ବିଡ଼ିଓ ଓ ତହସିଲଦାର ସୀମାନ୍ତ ଗ୍ରାମଗୁଡ଼ିକୁ ଯାଇ ଲୋକଙ୍କ ସହ ବାରମ୍ବାର ଆଲୋଚନା କରିଛନ୍ତି।‌

ଆସନ୍ତା ୧୩ ତାରିଖରେ ସୀମାନ୍ତ ଗାଁ ଗୁଡ଼ିକ‌ରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମର ଆୟୋଜନ କରିଛି ପାତ୍ରପୁର ତହସିଲ। ଲୋକଙ୍କୁ ଆନ୍ଧ୍ର ନିର୍ବାଚନରେ ମତଦାନରୁ ଦୂରେଇ ରଖିବାକୁ ଏଭଳି ଯୋଜନା ହୋଇଛି। ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି, ସୀମାନ୍ତ ଗାଁ ଗୁଡ଼ିକରେ ଆମର ସବୁବେଳେ ମୋ ତହସିଲ କାର୍ଯ୍ୟକ୍ରମ ହେଉଛି। ରାଜସ୍ବ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆର୍‌ଓଆର୍‌, ପ୍ରାୟ ୮୦ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟାଯିବାର ଯୋଜନା ରହିଛି। ଏଥିରେ ସେଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହେବ।

The post ପଞ୍ଚାୟତ ନିର୍ବାଚନ ପୋଷ୍ଟରେ ଏବେ ତୁଳନାତ୍ମକ ଚିତ୍ର, ଆନ୍ଧ୍ରର ଭତ୍ତା ୨୨୫୦କୁ ଓଡ଼ିଶାର ୫୦୦ first appeared on Sambad.



from ରାଜ୍ୟ – Sambad https://ift.tt/3p1r8y1

Post a Comment

0 Comments