
ଯାଜପୁର : ରାଜ୍ୟ ତଥା ଦେଶର ଅର୍ଥନୈତିକ ମାନଚିତ୍ରରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ କାଳିଆପାଣି କ୍ରୋମ ଉପତ୍ୟକାର ବିଶେଷ ଗରୁତ୍ବ ରହିଛି। କାଳିଆପାଣି ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଆମ ବିକାଶକୁ ଆଗେଇ ନେଉଛି। ଏବେ ଏହି ଅଞ୍ଚଳର ସ୍ଥିତି ବିଗିଡ଼ିବାରେ ଲାଗିଛି। କାରଖାନା ସ୍ଥିତି ଦୋହଲି ଯାଇଥିବା ବେଳେ ଏକାଧିକ କ୍ରୋମ ଖଣି ବନ୍ଦ। ହଜାର ହଜାର କର୍ମଚାରୀ, ଶ୍ରମିକ ନିଯୁକ୍ତି ହରାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଏହି ଅଞ୍ଚଳର ବିକାଶର ସ୍ବପ୍ନ ଦେଖାଇ ଲୋକମାନଙ୍କୁ କୃଷିରୁ ଶିଳ୍ପ ଓ ଖଣିଖାଦାନ ମୁହାଁ କରିଥିବା ରାଜନେତାମାନେ ମଧ୍ୟ ନିଃସହାୟ ହୋଇପଡ଼ିଛନ୍ତି। ଏପରିକି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ଷିୟାନ୍ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମଧ୍ୟ ରାଜରାସ୍ତାରେ ଆନ୍ଦୋଳନକାରୀଙ୍କ ସହ ସାମିଲ ହେଉଥିବାର ଦେଖିବାକୁ ମିଳୁଛି। ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର କଥା କହୁଥିବା ବେଳେ ବିକଶିତ ଅଞ୍ଚଳରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି।
ପ୍ରକାଶ ଥାଉକି, ସରକାର ଇସ୍ପାତ ଉତ୍ପାଦନ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଅଥଚ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ଏକ ବର୍ଷ ହୋଇଗଲା ତାଲା ପଡ଼ିଛି। ସ୍କ୍ରାପ୍ ଭାବେ ବିକ୍ରି ପାଇଁ ଯୋଜନା ଆରମ୍ଭ ହୋଇଛି। ସେହିପରି ମେସ୍କୋ ଓ ମୈଥାନ କାରଖାନାରେ ମଧ୍ୟ ତାଲା ପଡିଛି। ଭିସା ଷ୍ଟିଲ୍ , ରୋହିତ ଫେରୋଟେକ୍ ଓ କେଜେ ଇସ୍ପାତ ଆଂଶିକ ଚାଲିଛି। ଏପରିକି ଟାଟା ଷ୍ଟିଲର ଦ୍ବିତୀୟ ସଂପ୍ରସାରଣ ବନ୍ଦ ରହିଛି। ଏହା ଫଳରେ ଚାଷଜମି ଓ ଘରବାଡ଼ି ଶିଳ୍ପାନୁଷ୍ଠାନ ହାତରେ ଟେକି ଦେଇ ବିସ୍ଥାପିତ ଓ ପ୍ରଭାବିତ ହୋଇଥିବା ହଜାର ହଜାର ପରିବାର ଏବେ ନାହିଁନଥିବା ପରିସ୍ଥିତିରେ ପଡ଼ିଛନ୍ତି। ନିଯୁକ୍ତି ହରାଇଥିବା କର୍ମଚାରୀ ଓ ଶ୍ରମିକଙ୍କ ପରିବାର ମଧ୍ୟ କମ୍ ସଙ୍କଟରେ ପଡ଼ିନାହାନ୍ତି। ଶିଳ୍ପାଞ୍ଚଳ ଭଳି କଳିଆପାଣି କ୍ରୋମ ଉପତ୍ୟକାର ଅଧିକାଂଶ ଖଣିରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଓଏମସି ସାଉଥ୍ କାଳିଆପାଣି ଡି- କ୍ବାରିର ୧୨୬ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ସେହିପରି ବାଲେଶ୍ବର ଆଲଏଜ୍ର କାଳିଆପାଣି ଇସ୍ପାତ କ୍ରୋମ ଖଣିର କର୍ମଚାରୀଙ୍କୁ ୧୦ମାସ ହେଲା ଦରମା ମିଳିନାହିଁ। ଯାହାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଘଡ଼ାଇ ଆନ୍ଦୋଳକାରୀଙ୍କ ସହିତ ରାଜରାସ୍ତାରେ ବସୁଛନ୍ତି।
ସେହିପରି ସରକାରଙ୍କ ଅଧୀନରେ ଥିବା ଆଇଡଡିସି ତଳଙ୍ଗି ଖଣି, ଜିନ୍ଦଲ ଖଣି ବନ୍ଦ ରହିଛି। ଇମ୍ଫାରେ ମଧ୍ୟ କର୍ମଚାରୀ ଆନ୍ଦୋଳନ ଦେଖା ଦେଇଛି। ଟାଟାର ୩ଟି ଖଣିରୁ କମରଦା ଖଣି ଆଜି ପର୍ଯ୍ୟନ୍ତ ଖୋଲି ପାରିଲା ନାହିଁ। ରାଜ୍ୟ ଶାସନ ଦାୟିତ୍ବରେ ଥିବା ବିଜେଡ଼ି ନେତାମାନେ ଏହି ସଙ୍ଗିନ ସ୍ଥିତିରୁ ଅଞ୍ଚଳବାସୀଙ୍କୁ ରକ୍ଷା କରିବା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତା ପ୍ରଦୀପ ବଳସାମନ୍ତ ମଧ୍ୟ ମିଶ୍ରିଲାଲ କାରଖାନାରେ ଶ୍ରମିକ ଛଟେଇ ପ୍ରତିବାଦରେ ଆନ୍ଦୋଳନ କରିବାରୁ ୧୪୪ଧାରା ଜାରି ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟିତ୍ବରେ ଥିବା ୨ଟି ଦଳ ଏହି ସଙ୍ଗିନ ସ୍ଥିିତିରେ ହାତ ଟେକି ଦେବା ଫଳରେ ଆଗାମୀ ଦିନରେ କିଭଳି ଏହି ସ୍ଥିତି ସୁଧୁରିବ? ସେ ନେଇ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି।
The post ଖଣି ଓ ଶିଳ୍ପାଞ୍ଚଳ ସ୍ଥିତି ସଙ୍ଗିନ : ରାଜରାସ୍ତାରେ ରାଜନେତା first appeared on Sambad.
from ରାଜ୍ୟ – Sambad https://ift.tt/3jNBwbF
0 Comments