ମହାରାଷ୍ଟ୍ର ଫେରନ୍ତା ଯୁବକ କରୋନା ଆକ୍ରାନ୍ତ, ଡାକ୍ତରଖାନା ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି

ଭଦ୍ରକ/ଆଗରପଡା : ମହାରାଷ୍ଟ୍ରରେ ଦ୍ବିତୀୟ ପର୍ଯ୍ୟାୟ କରୋନା ଲହର ଚିନ୍ତା ଉଦ୍ରେକ କରିଥିବାବେଳେ ଆଜି ଭଦ୍ରକ ଜିଲ୍ଲାରୁ ଜଣେ ମହାରାଷ୍ଟ୍ର ଫେରନ୍ତା କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୩୪ ବର୍ଷୀୟ ଏହି ଯୁବକଙ୍କ ଘର ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ।

ଏହି ଯୁବକ ଜଣକ ଗତକାଲି ମହାରାଷ୍ଟ୍ରରୁ ଫେରିବା ପରେ ଆଜି ବନ୍ଧୁଘର ଭଦ୍ରକ ଜିଲ୍ଲା ଆଗରପଡ଼ା ବିଟିପଡ଼ା ଅଞ୍ଚଳକୁ ବସ୍ ଯୋଗେ ଆସିଥିଲେ। ତେବେ ବସ୍‌ରୁ ଓହ୍ଲାଇବା ବେଳେ ତାଙ୍କ ଗୋଡ଼ ମୋଡ଼ି ହୋଇ ଯାଇଥିଲା। ଚିକିତ୍ସା ପାଇଁ ସଂପର୍କୀୟଙ୍କ ସହାୟତାରେ ସେ ଆଗରପଡ଼ା ଡାକ୍ତରଖାନାକୁ ଆସିଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ କରାଯିବା ବେଳେ ପଜିଟିଭ୍‌ ରିପୋର୍ଟ ଆସିଥିଲା। ସଂକ୍ରମିତ ଯୁବକ ମହାରାଷ୍ଟ୍ରରୁ ଫେରିଥିବା ଜଣାପଡ଼ିବା ପରେ ଆଗରପଡ଼ା ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ବିଳାସିନୀ ବେହେରା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରିବା ସହ ସଂକ୍ରମିତ ଯୁବକଙ୍କୁ ଡାକ୍ତରଖାନା ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରିଛନ୍ତି। ସେପଟେ ଭଦ୍ରକରୁ ଏକ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିବାକୁ ଯାଇଛନ୍ତି। ଯୁବକ ଜଣକ ବସ୍‌ରେ ଆସିଥିବାରୁ ତାଙ୍କ ମାଧ୍ୟମରେ ଅନେକ ଲୋକ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ତେବେ ଆଗ ଭଳି ଆଉ କଣ୍ଟାକ୍ଟ ଟ୍ରେସିଂ ହେଉନଥିବାରୁ ମୁମ୍ବାଇରୁ ଘରକୁ ଫେରିବା ବାଟରେ ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତା’ର ବିବରଣୀ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗ ଉଦ୍ୟମ ଆରମ୍ଭ କରିଛି।

The post ମହାରାଷ୍ଟ୍ର ଫେରନ୍ତା ଯୁବକ କରୋନା ଆକ୍ରାନ୍ତ, ଡାକ୍ତରଖାନା ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି first appeared on Sambad.



from ରାଜ୍ୟ – Sambad https://ift.tt/3bpqg1z

Post a Comment

0 Comments