ୟୁନିଅନ ବ୍ୟାଙ୍କ୍‌ରୁ ୧୪.୮୬ ଲକ୍ଷର କଏନ୍‌ ହଡ଼ପ ଘଟଣା : ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ

ଜଗତସିଂହପୁର : ପାରାଦୀପଗଡ଼ ୟୁନିଅନ ବ୍ୟାଙ୍କ୍‌ରୁ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍‌ ହଡ଼ପ ଅଭିଯୋଗର ତଦନ୍ତ ଯେତିକି ଆଗକୁ ବଢ଼ୁଛି ବ୍ୟାଙ୍କ୍‌ କର୍ମଚାରୀଙ୍କ ସଂପୃକ୍ତି ବିଷୟ ସେତିକି ସାମ୍ନାକୁ ଆସିବାରେ ଲାଗିଛି। ବ୍ୟାଙ୍କ୍‌ର ଜଣେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ତିନିଟି କିସ୍ତିରେ ଏହି ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିବା ଜଣାପଡ଼ିଛି। ତେବେ ଅଡିଟ୍‌ ରିପୋର୍ଟ ପ୍ରଘଟ ପୂର୍ବରୁ ବ୍ୟାଙ୍କ୍‌ କର୍ତୃପକ୍ଷ ଗତ ମାସରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ସଂଗ୍ରାମ କେଶରୀ ବେହେରାଙ୍କୁ ଅନ୍ୟ ଏକ ଶାଖାକୁ ବଦଳି କରାଯାଇଥିଲା। ଇତିମଧ୍ୟରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ ଶ୍ରୀ ବେହେରା, ମହାପ୍ରବନ୍ଧକ ଅମରଜିତ ପଣ୍ତା, ଶିବଶଙ୍କର ପାଢ଼ୀଙ୍କୁ ନିଲମ୍ବନ କରାଯାଇଛି।

ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କ ସୂଚନା ମୁତାବକ ବ୍ୟାଙ୍କ୍‌କୁ ଦୈନିକ ଯେତିକି ଟଙ୍କାର କଏନ୍‌ ଆସୁଥିଲା, ଏହି ଅଧିକାରୀମାନେ ତାର ଦୁଇ ଗୁଣ କଏନ୍‌ ଗ୍ରହଣ ଦର୍ଶାଇ ବ୍ୟାଙ୍କ୍‌ରୁ ନଗଦ ଅର୍ଥ ନେଇ ଯାଉଥିଲେ। ଏହି ଉପାୟରେ ହିଁ ୧୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ସମସ୍ତ ହଡ଼ପ ଟଙ୍କାକୁ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ବେହେରାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ ଜରିଆରେ ହିଁ କାରବାର କରାଯାଇଛି। ପୂର୍ବରୁ ଏହି ବ୍ୟାଙ୍କ୍‌ କର୍ପୋରେସନ ବ୍ୟାଙ୍କ୍ ଥିଲା ଓ ପ୍ରାୟ କ୍ଷତିରେ ଚାଲୁଥିଲା। ଏଣୁ ଏହା ଉପରେ ଉପରିସ୍ଥ ଅଧିକାରୀଙ୍କ ସେତେଟା ନଜର ନଥିଲା। ଯେଉଁ କାରଣରୁ ଏପରି ମୋଟା ଅଙ୍କର ଅର୍ଥ ହେରଫେର୍‌ କରାଯାଇଥିଲା।

ବ୍ୟାଙ୍କ୍‌ର ଅଡିଟ୍ ରିପୋର୍ଟରୁ ଏହି ଟଙ୍କା ହଡ଼ପ ବିଷୟ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତରେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଏହି ଜାଲିଆତି ହୋଇଛି ତାହା ଜାଣିବାକୁ ଲକ୍‌ଥାନା ଇନ୍ସପେକ୍ଟର ପ୍ରଭାସ ଚନ୍ଦ୍ର ସାହୁ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ସ୍ବତନ୍ତ୍ର ଅଡିଟ୍ କରିବାକୁ ଚିଠି କରିଥିବା ଜଣାପଡ଼ିଛି।

The post ୟୁନିଅନ ବ୍ୟାଙ୍କ୍‌ରୁ ୧୪.୮୬ ଲକ୍ଷର କଏନ୍‌ ହଡ଼ପ ଘଟଣା : ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ first appeared on Sambad.



from ରାଜ୍ୟ – Sambad https://ift.tt/2MYBrFH

Post a Comment

0 Comments