ବିଧାନସଭା ଅଧିବେଶନ ପୂର୍ବରୁ ତିନି ଦଳର ବୈଠକ, କେନ୍ଦ୍ର ଅବହେଳା ଉଠାଇ ଘେରିବ ବିଜେଡି

ଭୁବନେଶ୍ବର: ବିଧାନସଭାରେ ବିରୋଧୀଙ୍କ ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ବିଜେଡି। ବିରୋଧୀ ଉଠାଉଥିବା ପ୍ରସଙ୍ଗକୁ ଗୃହରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ରହିବ। କିନ୍ତୁ ବିରୋଧୀଙ୍କୁ ଦୁର୍ବଳ କରିବାର କୌଣସି ସୁଯୋଗକୁ ହାତଛଡ଼ା କରିବ ନାହିଁ। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଅକଳରେ ପକାଇବାକୁ ବିଜେଡି ଯୋଜନା କରିଛି।

ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ କହିଛନ୍ତି ଯେ ଜିଏସ୍‌ଟି ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଓଡ଼ିଶା କମ୍ ରାଜସ୍ବ ପାଉଛି। ଜିଏସ୍‌ଟି କାର୍ଯ୍ୟକାରୀ ହେଲା ପରେ ରାଜ୍ୟ ଏ ବର୍ଷ ୧୨ ହଜାର କୋଟି ଟଙ୍କା ହରାଇଛି। ଆସନ୍ତା ୫ ବର୍ଷରେ ରାଜ୍ୟ ୬୦ ହଜାର କୋଟି ଟଙ୍କା ହରାଇବ। କୋଇଲା ରୟାଲିଟି, ବକେୟା ଜିଏସ୍‌ଟି ଅର୍ଥ ପ୍ରଦାନରେ ବିଳମ୍ବ, ସ୍ବାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ ନ କରିବା, ରେଳବାଇ ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ଦେବାରେ ଅବହେଳାକୁ ବିଜେଡି ଗୃହରେ ଉଠାଇବ। ଏହା ସହ ବିରୋଧୀ ଦଳ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଯେଉଁ ପ୍ରସଙ୍ଗ ଉଠାଇବେ, ତାହାର ଉତ୍ତର ରଖିବାକୁ ସରକାର ପ୍ରସ୍ତୁତ ବୋ‌ଲି ଶ୍ରୀ ଆରୁଖ କହିଛନ୍ତି। ଗୃହରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ସହ ଆଲୋଚନରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ପୂରା ଦମ୍‌ରେ ପ୍ରସ୍ତୁତ ହୋଇଛି ବିଜେପି। ଆଜି ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡ଼ାନ୍ତ ହୋଇଛି। ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ମାହାଙ୍ଗା ହତ୍ୟାକାଣ୍ଡ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ପିଏମ୍‌ ଆବାସ ଘୋଟାଲାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ। ଏହା ସହ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ନ ମିଳିବା, ବେରୋଜଗାର, ଖଣି ଦୁର୍ନୀତି, କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଲାଗୁ ନ କରିବା, ପାନୀୟ ଜଳ ଅଭାବ ଆଦି ବିଭିନ୍ନ ପ୍ରସଙ୍ଗ ମଧ୍ୟ ଉଠାଯିବ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପ‌େର ଆଲୋଚନା ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ ଚଳିତ ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ। ୨୦ ବର୍ଷ ଶାସନ ପରେ ବି ରାଜ୍ୟ ସରକାର ସୀମା ବିବାଦର ସମାଧାନ କରିପାରିଲେ ନାହିଁ। ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି। ସୀମାନ୍ତବର୍ତୀ ଗ୍ରାମଗୁଡ଼ିକରେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବା ପାଇଁ ବିଫଳ ହୋଇଛନ୍ତି। ଗତ ୧୩ ତାରିଖରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପରେ ବି ରାଜ୍ୟ ସରକାର ଏହା ଜାଣିପାରିଲେ ନାହିଁ। ସେହିପରି ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ି ରହୁଛି। ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି। କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ଶାସକ ବିଜେଡିର ନେତା ଓ କର୍ମୀମାନଙ୍କୁ ବଣ୍ଟନ କରାଯାଉଛି। କରୋନା ମୁକାବିଲା ପାଇଁ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ରାଜ୍ୟ ସରକାର ହଡ଼ପ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆସିଥିବା ଚାଉଳ ଡାଲି ବଣ୍ଟନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେବା ଆଦି ପ୍ରସଙ୍ଗକୁ ଗୃହରେ ଉଠାଯିବ।
ବିଧାୟକ ଦଳ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଦଳର ସମସ୍ତ ବିଧାୟକ, ବିଧାୟିକା ଉପସ୍ଥିତ ଥିଲେ ।

The post ବିଧାନସଭା ଅଧିବେଶନ ପୂର୍ବରୁ ତିନି ଦଳର ବୈଠକ, କେନ୍ଦ୍ର ଅବହେଳା ଉଠାଇ ଘେରିବ ବିଜେଡି first appeared on Sambad.



from ରାଜ୍ୟ – Sambad https://ift.tt/3bdNB6c

Post a Comment

0 Comments