ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା : ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବହୁ ମହିଳା ଆହତ

ପିପିଲି : ପିପିଲି ବ୍ଲକ୍‌ ନୂଆଶାସନ ପଞ୍ଚାୟତରରେ ନିର୍ବାଚନୀ ହିଂସା ସୃଷ୍ଟିହୋଇଛି। ଏଠାରେ ବିଜେଡ଼ି-ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ପଂଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ଚଉଦମାଣ ଗ୍ରାମରେ ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ପ୍ରମୁଖ ରାଜନୈତିକ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ଏକାଧିକ ମହିଳା ଆହତ ହୋଇଥିବା ବେଳେ ଏ ନେଇ ଆଜି ସଂଧ୍ୟା ପ୍ରାୟ ୭ଟାରେ ପିପିଲି ଥାନାରେ ଉଭୟ ପକ୍ଷରୁ ୩ଟି ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ନୂଆଶାସନ ପଞ୍ଚାୟତର ଚଉଦମାଣ ଗ୍ରାମର ମା’ ଜାଗେଶ୍ବରୀଙ୍କ ମନ୍ଦିର ପରିସରରେ ଶନିବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ପ୍ରାୟ ୮ଟି ମହିଳା ଗୋଷ୍ଠୀର ବୈଠକ ଚାଲିଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଜଣେ ମହିଳା ବାଧ୍ୟ କରିବାରୁ କେତେକ ମହିଳା ବିରୋଧ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏ ନେଇ ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ମହିଳା ଆହତ ହୋଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣା ଯେପରି ଅଧିକ ଉଗ୍ର ରୂପ ଧାରଣ ନକରେ ସେଥିପାଇଁ ଘଟଣା ସ୍ଥଳରେ ପୁଲିସ ମୂତୟନ କରାଯିବା ସହ ପରିସ୍ଥିତି ପ୍ରତି ପୁଲିସ କଡ଼ା ନଜର ରଖିଥିବା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି । ଏ ନେଇ ଉଭୟ ରାଜନୈତିକ ଗୋଷ୍ଠୀ ପକ୍ଷରୁ ପୁଲିସରେ ୩ଟି ପୃଥକ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଗଣ୍ତଗୋଳରେ ପିପିଲି ବ୍ଲକ୍‌ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ପୃଷ୍ଟି ଆହତ ହୋଇଥିବା ବେଳେ ତାଙ୍କୁ ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ବିଜେପିର ପ୍ରତିମା ସାହୁ, ଝୁମୁନା ଦେବତା, ସୁକାନ୍ତି ବେହେରା ପ୍ରମୁଖ ଆହତ ହୋଇ ପିପିଲି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ପ୍ରତିମା ଓ ଝୁମୁନାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

The post ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା : ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବହୁ ମହିଳା ଆହତ first appeared on Sambad.



from ରାଜ୍ୟ – Sambad https://ift.tt/3duhRws

Post a Comment

0 Comments