ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ନେଇ ପ୍ରସ୍ତୁତି ଜୋର୍‌ଦାର୍‌ : ଡେରା ପକାଇବେ ୧୭ ମନ୍ତ୍ରୀ, ୭୦ ବିଧାୟକ

ସୁନ୍ଦରଗଡ଼ : ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଆସୁଛନ୍ତି। ସେ ରାଉରକେଲାଠାରେ ପହଞ୍ଚି ଜିଲ୍ଲାର ବିକାଶମୂଳକ ୮୩୪.୨୩ କୋଟି ବ୍ୟୟରେ ନିର୍ମିତ ୧୬୮ଟି ପ୍ରକଳ୍ପ ଉଦ୍‌ଘାଟନ ଏବଂ ୩୯୫୮.୭୬ କୋଟିର ୨୪୦ଟି ପ୍ରକଳ୍ପ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ବିଜେଡିରେ ଉତ୍ସାହ ପ୍ରକାଶ ପାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋର୍‌ଦାର୍‌ ହୋଇଛି। ୧୭ ଜଣ ମନ୍ତ୍ରୀ ଓ ୭୦ ଜଣ ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତପ୍ରକାର ପ୍ରସ୍ତୁତି କରିବେ ବୋଲି ଜଣାପଡ଼ିଛି।

ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଓ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନ ଧରି ସୁନ୍ଦରଗଡ଼ର ବିଭିନ୍ନ ବ୍ଲକ୍‌ ଗସ୍ତ କରୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛନ୍ତି। ଏହିଭଳି ଭାବେ ୧୪ ତାରିଖ ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ୧୭ ଜଣ ମନ୍ତ୍ରୀ ଓ ୭୦ ବିଧାୟକ ଜିଲ୍ଲାକୁ ଆସିବେ ଏବଂ ଜଣେ ମନ୍ତ୍ରୀଙ୍କ ସହ ୩ରୁ ୪ ବିଧାୟକ ଗୋଟିଏ ଲେଖାଏଁ ବ୍ଲକ୍ ଦାୟିତ୍ବରେ ରହିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବଣାଇଁ ବ୍ଲକ୍ ଦାୟିତ୍ବ ଦିଆଯାଇଥିବାବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଲହୁଣିପଡ଼ା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗୁରୁଣ୍ଡିଆ, ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କୋଇଡ଼ା, ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାଙ୍ଗରପାଲି, ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସୁନ୍ଦରଗଡ଼, ମନ୍ତ୍ରୀ ନବକିଶୋର ଦାସଙ୍କୁ ହେମଗିର, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଲାଠିକଟା, ମନ୍ତ୍ରୀ ଟୁକୁନି ସାହୁଙ୍କୁ କୁତ୍ରା, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ବାଲିଶଙ୍କରା, ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁଙ୍କୁ ଲେଫ୍ରିପଡ଼ା, ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବଡ଼ଗାଁ, ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ସବଡେଗା, ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ବିଶ୍ରା, ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ନୂଆଗାଁ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କୁଆଁରମୁଣ୍ଡା ବ୍ଲକ୍ ଦାୟିତ୍ବ ଦିଆଯାଇଛି। ସେହିପରି ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ମହାନଗର ଦାୟିତ୍ବରେ ରହିବେ। ତାଙ୍କୁ ସହଯୋଗ କରିବେ ସ୍ଥାନୀୟ ବିଧାୟକ ସାରଦା ନାୟକ ଓ ସୁବ୍ରତ ତରାଇଙ୍କ ସମେତ ଦଳର ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପକେଶରୀ ଦେବ। ବ୍ଲକ୍ ଓ ନିର୍ଦ୍ଧାରିତ ପଞ୍ଚାୟତ ଅଞ୍ଚଳରେ ଏଲ୍‌ସିଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣର ସିଧା ପ୍ରସାରଣ କରାଯିବାକୁ ଥିବାବେଳେ ମନ୍ତ୍ରୀ, ବିଧାୟକମାନେ ଏସବୁର ତଦାରଖ କରିବେ। ଏହାଛଡ଼ା ରାଉରକେଲା ସଭାରେ ବିଶାଳ ଜନସମାବେଶ ଦାୟିତ୍ବ ମଧ୍ୟ ଏମାନଙ୍କ ଉପରେ ରହିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ମନ୍ତ୍ରୀ ଓ ବିଧାୟକଙ୍କ ଏ ପ୍ରକାର ଆଗମନକୁ ବିରୋଧୀଦଳ ସମାଲୋଚନା କରିଛନ୍ତି। ‘ଦିନଟିଏ ପାଇଁ ମନ୍ତ୍ରୀ ମେଳଣ ଜିଲ୍ଲାର କେଉଁ କାମରେ ଆସିବ!’ ବୋଲି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ କହିଥିବା ବେଳେ ସାଂସଦ ଜୁଏଲ ଓରାମ ‘ ମନ୍ତ୍ରୀଶୂନ୍ୟ ଜିଲ୍ଲାକୁ ମାଳମାଳ ମନ୍ତ୍ରୀ ଆସିଲେ କ’ଣ ଜିଲ୍ଲାର ବିକାଶ ହୋଇଯିବ କି!’ ବୋଲି କଟାକ୍ଷ କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ ନେଇ ପ୍ରସ୍ତୁତି ଜୋର୍‌ଦାର୍‌ : ଡେରା ପକାଇବେ ୧୭ ମନ୍ତ୍ରୀ, ୭୦ ବିଧାୟକ first appeared on Sambad.



from ରାଜ୍ୟ – Sambad https://ift.tt/3rUJva1

Post a Comment

0 Comments