
ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ଆଜିଠାରୁ ଆରମ୍ଭ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ବାରା ପରିଚାଳିତ ଏହି ପରୀକ୍ଷା କମ୍ପ୍ୟୁଟର୍ ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ଦେଶର ୩୩୧ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ବିତୀୟ ସିଫ୍ଟ ପରୀକ୍ଷା କରାଯିବ। ପୂର୍ବାହ୍ନରେ ହେବାକୁ ଥିବା ପରୀକ୍ଷା ଲାଗି ପରୀକ୍ଷାର୍ଥୀ ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ଣ ସେକ୍ସନ ଲାଗି ଅପରାହ୍ଣ ୨ଟାରୁ ୨ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ।
ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ସେଗୁଡ଼ିକ ହେଲା, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଭଦ୍ରକ, ବାରିପଦା, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତ୍ସିଂହପୁର, ଭବାନୀପାଟଣା ଓ ଜୟପୁର। କରୋନା ଲାଗି ଚଳିତବର୍ଷ ୪ଟି ସେକ୍ସନ୍ରେ ପରୀକ୍ଷା ହେଉଛି। ଏନ୍ଟିଏ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରିରେ ହେବାକୁ ଥିବା ପରୀକ୍ଷା ଲାଗି ୬ ଲକ୍ଷ ୬୧ ହଜାର ୭୬୧ ଜଣ ନାମ ଆବେଦନ କରିଛନ୍ତି। ସେହିପରି ମାର୍ଚ୍ଚ ସେକ୍ସନ ଲାଗି ୫ ଲକ୍ଷ ୪ହଜାର ୫୪୦, ଏପ୍ରିଲ ସେକ୍ସନ ପାଇଁ ୪ ଲକ୍ଷ ୯୮ ହଜାର ୯୧୦ ଓ ମେ’ ସେକ୍ସନରେ ପରୀକ୍ଷା ଦେବା ଲାଗି ୫ ଲକ୍ଷ ୯ ହଜାର ୯୭୨ ଜଣ ଆବେଦନ କରିଛନ୍ତି। ପରୀକ୍ଷା ଲାଗି ଏଥର ବି କଡ଼ା କଟକଣା ଲାଗୁ ହୋଇଛି। ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀ ଜେଇଇ ମେନ୍ ଆଡମିଟ୍ କାର୍ଡ ସମେତ ଯେକୌଣସି ଫଟୋ ପରିଚୟପତ୍ର, ନିଜସ୍ବ ପାଣି ବୋତଲ, ସାନିଟାଇଜର, ପେନ୍ ଆଣ୍ଡ ପେନ୍ସିଲ୍ ଆଦି ଆଣି ଆସିବେ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି।
The post ଆଜିଠୁ ଜେଇଇ ମେନ୍, ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର first appeared on Sambad.
from ରାଜ୍ୟ – Sambad https://ift.tt/3dBMXCe
0 Comments