ବୈ‌ଷୟିକ ଶିକ୍ଷା ପାଠ୍ୟକ୍ରମ କମିବନି

ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁଁ ୧୧ ମାସ ହେଲା ଅଚଳାବସ୍ଥା ଲାଗିରହିଛି। ଏହାଦ୍ବାରା ରାଜ୍ୟରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତାଲିମ ସମେତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ କ୍ୟାମ୍ପସ ଚୟନ(କ୍ୟାମ୍ପସ ପ୍ଲେସମେଣ୍ଟ) କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ କମ୍ପାନିଗୁଡ଼ିକ ‘ଅନ୍‌ କ୍ୟାମ୍ପସ ଇଣ୍ଟରଭ୍ୟୁ’ ଜରିଆରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରୁଥିଲେ। ତେବେ କରୋନା ଯୋଗୁଁ ବର୍ତମାନ ଭର୍ଚୁଆଲ ପ୍ଲେସମେଣ୍ଟର ବ୍ୟବସ୍ଥା କରାଯାଇ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା ହୋଇଛି। କରୋନା ଯୋଗୁଁ କ୍ୟାମ୍ପସ ପ୍ଲେସ୍‌ମେଣ୍ଟ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଡିଗ୍ରି, ଡିପ୍ଲୋମା ଓ ଆଇଟିଆଇ ପାଠ୍ୟକ୍ରମରେ କୌଣସି ପ୍ରକାର କାଣ୍ଟଛାଣ୍ଟ ହେବାର ସମ୍ଭାବନା ନଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।

ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ କରୋନା ‌ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ନ ହେବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଇବା କାର୍ଯ୍ୟ ଜାରି ରଖିବା ପାଇଁ ନିର୍ଦେଶ ଦେଇଥିଲେ। ଏହାବ୍ୟତୀତ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଅନ୍‌ଲାଇନ୍‌ରେ ପରୀକ୍ଷା ଓ ଯଥା ସମୟରେ ଫଳାଫଳ ଘୋଷଣା କରିବା ପାଇଁ ମଧ୍ୟ ସରକାର ନିର୍ଦେଶ ଦେଇଥିଲେ। ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ଲାଗି ନିର୍ଦେଶ ଦିଆଯାଇଛି। ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ ରାଜ୍ୟର ସମସ୍ତ ଶିଳ୍ପ ତାଲିମ କେନ୍ଦ୍ରର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଡିସେମ୍ବର ୨୮ରୁ ଶିକ୍ଷାନୁଷ୍ଠାନ ଖୋ‌ଲିଛି। ସେହିପରି ଡିଗ୍ରି ଓ ଡିପ୍ଲୋମା ଶିକ୍ଷାନୁଷ୍ଠାନର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଜାନୁଆରି ୧୧ରୁ ଆରମ୍ଭ ହୋଇଛି। ଆଇଆଇଟି ସମେତ ବୈଷୟିକ ଶିକ୍ଷାନୁଷ୍ଠାନର ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏସ୍‌ଓପି ଜାରି କରାଯିବା ସହ ଫେବ୍ରୁଆରି ୧୦ରୁ ପାଠପଢ଼ା ଚାଲିଛି। ଅଚଳାବସ୍ଥା ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ପାଠ୍ୟକ୍ରମକୁ ଅତିରିକ୍ତ କ୍ଲାସ୍‌ ମାଧ୍ୟମରେ ପୂରଣ କରାଯିବାକୁ ଯୋଜନା ହୋଇଛି। ତେଣୁ ପାଠ୍ୟକ୍ରମରେ କାଣ୍ଟଛାଣ୍ଟ ହେବାର କୌଣସି ସମ୍ଭାବନା ନାହିଁ।

The post ବୈ‌ଷୟିକ ଶିକ୍ଷା ପାଠ୍ୟକ୍ରମ କମିବନି first appeared on Sambad.



from ରାଜ୍ୟ – Sambad https://ift.tt/3qL0ICk

Post a Comment

0 Comments