
ଭୁବନେଶ୍ବର/କଟକ : ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ କେବଳ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ। ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିବ ବୋଲି ଜଣାପଡ଼ିଛି। ଜିଏସ୍ଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ (ଏଫ୍ଏସ୍ଏସ୍ଆଇ) ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛି। ଏହି ବନ୍ଦକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରୁଥିବାରୁ ରାଜ୍ୟରେ ଦୋକାନ ବଜାର ବନ୍ଦ ରହିବ। ବ୍ୟବସାୟୀ ମହାସଂଘର ବନ୍ଦ ଡାକରାକୁ ନଜରରେ ରଖି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯେ, ସର୍ବଭାରତୀୟ ବ୍ୟବସାୟୀ ସଂଘ ୨୬ତାରିଖରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି। ତେଣୁ ବିକ୍ଷୋଭକାରୀମାନେ ଗାଡ଼ି, ରେଳ ଅଟକାଇବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିପାରନ୍ତି। ଏପରିକି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସମ୍ମୁଖରେ ପିକେଟିଂ କରିପାରନ୍ତି। କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବା ଦରକାର।
ଅପରପକ୍ଷେ ବନ୍ଦ ପାଇଁ ରାଜ୍ୟରେ ବସ୍, ଟ୍ରକ୍ ଓ ଅଟୋ ଚଳାଚଳ ପ୍ରଭାବିତ ହେବନି ବୋଲି ବିଭିନ୍ନ ସଂଘ ସ୍ପଷ୍ଟ କରିଛନ୍ତି। ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ, ଆମେ ବସ୍ ଚଲାଇବୁ। ବ୍ୟବସାୟୀ ସଂଘ ବସ୍ ଚଳାଚଳ ଉପରେ ରୋକ୍ ଲଗାଇବନି ବୋଲି ଆମକୁ କହିଛି। ତେଣୁ ଆମେ ଧାର୍ଯ୍ୟ ସମୟରେ ବସ୍ ଚଳାଇବୁ। ସେହିପରି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ବ୍ୟବସାୟୀ ସଂଗଠନ ଅନୁରୋଧ କରି ନାହାନ୍ତି। ତେଣୁ ବନ୍ଦରେ ବସ୍ ମାଲିକ ସଂଘ ସାମିଲ ହେଉ ନାହାନ୍ତି। ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ସଭାପତି ବିଭୂତି ଦାସ କହିଛନ୍ତି ଯେ, ରାଜ୍ୟରେ ଟ୍ରକ୍ ଚଳାଚଳ ବନ୍ଦ ରହିବନି। ଆମେ ଏହି ବନ୍ଦକୁ ସମର୍ଥନ କରୁନୁ। ସେହିପରି ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ପ୍ରଣବ କୁମାର ପରିଜା କହିଛନ୍ତି ଯେ, ଆମର ଜିଏସ୍ଟି ସମ୍ବନ୍ଧୀୟ ସମସ୍ୟା ଥିଲେ ବି ଆମେ ଏହାକୁ ଅନ୍ୟ ଉପାୟରେ ସମାଧାନ କରିବୁ। ତେଣୁ ଆମେ ଏହି ଦିନିକିଆ ବନ୍ଦ ଡାକରାରେ ସାମିଲ୍ ହେବୁନି। ସବୁଦିନ ପରି ଶୁକ୍ରବାର ମଧ୍ୟ ଟ୍ରକ୍ ଚଳାଚଳ କରିବ। ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି ଯେ, ଲୋକ ବାହାରକୁ ବାହାରିଲେ ଅଟୋ ଚାଲିବ। ଯଦି ସବୁ ସ୍ବାଭାବିକ ହେବ, ତେବେ ଅଟୋ ଚଳାଚଳ ବି ସ୍ବାଭାବିକ ରହିବ।
କ୍ରୁଟ୍ ପକ୍ଷରୁ କୁଯାଇଛି ଯେ, ମୋ ବସ୍ ଚଳାଚଳ ପ୍ରଭାବିତ ହେବନି। ଧାର୍ଯ୍ୟ ସମୟରେ ଧାର୍ଯ୍ୟ ରୁଟ୍ରେ ମୋ ବସ୍ ଚାଲିବ। ଯଦି କେଉଁଠି ମୋ ବସ୍କୁ ଅଟକାଯାଏ ତେବେ ତା’ପରେ ଯାହା ନିଷ୍ପତ୍ତି ନିଆଯିବ।
The post ଆଜି ଭାରତ ବନ୍ଦ : ଦୋକାନ ବଜାର ଖୋଲିବ ନାହିଁ first appeared on Sambad.
from ରାଜ୍ୟ – Sambad https://ift.tt/3pTcwkH
0 Comments