ଭୋଟ୍‌ ପାଇଁ ଆନ୍ଧ୍ର ଯିବାକୁ ନେଇ ପାରାଦୀପରେ ଖୋଳତାଡ଼ : ୨୨୫ ଜଣଙ୍କ ତାଲିକା ପ୍ରସ୍ତୁତ

ଜଗତସିଂହପୁର : ବର୍ଷ ବର୍ଷ ଧରି ପାରାଦୀପରେ ରହି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ଉପଭୋଗ କରୁଥିବା ଷଣ୍ଢକୁଦ ବସ୍ତିର ଶତାଧିକ ଲୋକ ଆନ୍ଧ୍ରର ବି ଭୋଟର। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ବେଶ୍ ତତ୍ପର ହୋଇ ଉଠିଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପୌର ନିର୍ବାହୀ ଅଧିକାରୀ ସୌରୀନ୍ଦ୍ର କୁମାର ରାଉତରାୟଙ୍କ ନେତୃତ୍ବରେ ଗଠନ ହୋଇଥିବା ଟିମ୍ ଉକ୍ତ ବସ୍ତିର ୨୨୫ ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତରାୟଙ୍କ ନେତୃତ୍ବରେ ଏକ ଟିମ୍ ଷଣ୍ଢକୁଦ ବସ୍ତିର ଏଭଳି ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ୧୭,୧୮ ଓ ୧୯ ନମ୍ବର ୱାର୍ଡରେ ଯୋଗାଣ ଅଧିକାରୀ, ୱାର୍ଡ ଅଧିକାରୀ, ସ୍ବଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଓ ଡିଲରମାନେ ଏହି ଟିମ୍‌ରେ ସାମିଲ୍‌ ହୋଇଥିଲେ। ଟିମ୍‌ର ଯାଞ୍ଚ ସମୟରେ ୨୨୫ ଜଣ ଘରେ ନ ଥିବାବେଳେ ସେମାନେ ଆନ୍ଧ୍ରକୁ ପଂଚାୟତ ଭୋଟ୍ ଦେବାକୁ ଯାଇଥାଇପାରନ୍ତି ବୋଲି ସୂଚନା ମିଳିଥିଲା। ଯଦି ତଦନ୍ତରୁ ଉଭୟ ସ୍ଥାନରେ ଏମାନେ ଭୋଟ୍ ଦେଇଥିବା ଜଣାପଡ଼େ, ତେବେ ପାରାଦୀପ ପୌରପାଳିକା ଯୋଗାଉଥିବା ସମସ୍ତ ସରକାରୀ ସୁବିଧାରୁ ଏହି ବସ୍ତିବାସିନ୍ଦାଙ୍କୁ ବଞ୍ଚିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ଧରି ପୌରପାଳିକା ପକ୍ଷରୁ ଧରପଗଡ଼ କରାଯାଇଥିଲା। ଏହା ସତ୍ତ୍ବେ ବି ବହୁ ବସ୍ତିବାସିନ୍ଦା ୧୩ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ଚାଲିଯାଇଥିବା ଜଣାପଡ଼ିଛି। ଆଉ କେତେଜଣ ଆନ୍ଧ୍ରପ୍ରଦେଶ ଯାଇ ସେଠାରୁ ଫେରିଆସିଛନ୍ତି। ସେମାନଙ୍କ କହିବା କଥା ଭୋଟ୍‌ ପାଇଁ ନୁହେଁ ଅନ୍ୟ କିଛି କାମ ପାଇଁ ଯାଇଥିଲେ। ଅନ୍ୟପକ୍ଷରେ, ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ରାଜନେତା ବିରୋଧ କରିଥିବା ଜଣାପଡ଼ିଛି।

The post ଭୋଟ୍‌ ପାଇଁ ଆନ୍ଧ୍ର ଯିବାକୁ ନେଇ ପାରାଦୀପରେ ଖୋଳତାଡ଼ : ୨୨୫ ଜଣଙ୍କ ତାଲିକା ପ୍ରସ୍ତୁତ first appeared on Sambad.



from ରାଜ୍ୟ – Sambad https://ift.tt/3b5cb9v

Post a Comment

0 Comments