ବିନା ବିଦ୍ୟୁତ୍‌, ବିନା ମେସିନରେ ଜମିରେ ମଡ଼ାଉଛି ପାଣି

ପଛୁଆ ଅଞ୍ଚଳର ପ୍ରସ୍ପୁଟିତ ପ୍ରତିଭା ରାଜେଶ
ସ୍ବଳ୍ପ ଖର୍ଚ୍ଚରେ ତିଆରି କଲେ ବାମ୍ବୋ ପାଣି ପମ୍ପ୍‌

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଏକ ପଛୁଆ ଅଞ୍ଚଳର ଆଦିବାସୀ ଯୁବକ ରାଜେଶ ସୋରେନ। ସେ ବୈଜ୍ଞାନିକ ନୁହନ୍ତି। ବେଶି ପାଠ ମଧ୍ୟ ପଢ଼ିନାହାନ୍ତି। ମାତ୍ର ତାଙ୍କର ସୃଷ୍ଟି ଆଜି ଶହ ଶହ ଗରିବ ଚାଷୀଙ୍କ ଜଳସେଚନ ସମସ୍ୟା ଦୂର କରିବାକୁ ବାଟ ଦେଖାଇଛି। ବାରିପଦା ବ୍ଲକ୍‌ ବେତନା ପଞ୍ଚାୟତ ସାନଡ଼ାକୋଇ ଗ୍ରାମର ମାନସିଂ ସୋରେନ୍‌ଙ୍କ ପୁଅ ରାଜେଶ(୨୬)ଙ୍କ ‘ବାମ୍ବୋ ପାଣି ପମ୍ପ୍‌ ଜଳସେଚନ କ୍ଷେତ୍ରରେ ବେଶ୍‌ ଉପଯୋଗୀ ହୋଇପାରିଛି। ମାତ୍ର ୬୦୦ ଟଙ୍କାରେ ୪ଟି ବାଉଁଶ ଖୁଣ୍ଟ, ଏକ ପୁରୁଣା ସାଇକେଲ୍ ରିଂ, ପୁରୁଣା ଚପଲ, ଦୁଇଟି ପ୍ଲାଷ୍ଟିକ୍ ପାଇପ୍ ଏବଂ ୧୦-୧୨ ଫୁଟ୍‌ର ଏକ ଦୌଡି ସାହାଯ୍ୟରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରିଛନ୍ତି ଏହି ଅଭିନବ ଜଳସେଚନ ଯନ୍ତ୍ର। ଏହାକୁ ତିଆରି କରିବାକୁ ରାଜେଶ ୩ ଦିନ ପରିଶ୍ରମ କରିଛନ୍ତି। ଏହି ନିଆରା ପାଣି ପମ୍ପ ବିନା ମେସିନ୍ ଏବଂ ବିନା ବିଦ୍ୟୁତ୍ ସଂଯୋଗରେ ଚାଲୁଛି। ଯେତେ‌ ସମୟ ଚାହିଁଲେ ସେତେ ସମୟ ପର୍ଯ୍ୟନ୍ତ ଜମିକୁ ଜଳସେଚନ କରାଯାଇପାରୁଛି। ସ୍ବଳ୍ପ ଖର୍ଚ୍ଚ ଏବଂ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡ଼ୁନଥିବାରୁ ରାଜେଶଙ୍କ ଏହି ନିଆରା ବାମ୍ବୋ ପାଣି ପମ୍ପ୍‌ ବର୍ତ୍ତମାନ ଆକର୍ଷଣର କେନ୍ଦ୍ର ପାଲଟିଛି।

ଆବଶ୍ୟକତା ହିଁ ରାଜେଶଙ୍କୁ ଏହି ଉଦ୍ଭାବନ ପାଇଁ ବାଟ କଢ଼ାଇଥିଲା। ଆଜକୁ ପ୍ରାୟ ୬ ମାସ ତଳେ ରାଜେଶଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ନ୍ୟୁଟ୍ରି ଗାର୍ଡେନ୍‌ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିବା ପାଇଁ ସହାୟତା ମିଳିଥିଲା। ସେ ବେଶ୍‌ କିଛିଦିନ ଧରି ନିଜ ବଗିଚାରେ ବିଲାତି, ବାଇଗଣ, ବୋଇତାଳୁ ଆଦି ପନିପରିବା ଚାଷ କରି ଭଲ ଅମଳ ମଧ୍ୟ କରିଥିଲେ। ହେଲେ ଜଳସେଚନ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଲା। ରାଜେଶ ଭାର ସାହାଯ୍ୟରେ ପାଣି ବୋହି ପରିବା ଚାଷ କରୁଥିଲେ। ପ୍ରତିଦିନ ଭାରରେ ପାଣି ବୋହି ଚାଷ କରିବା ସମ୍ଭବ ହେଲାନି। ତାହା ଅଳ୍ପ ଖର୍ଚ୍ଚ ଏବଂ ବିନା କୌଣସି ବୈଷୟିକ ଜ୍ଞାନଧାରୀ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ଏହାର ସମାଧାନ କଥା ଚିନ୍ତା କଲେ। ଶେଷର ନିଜ ପାଖରେ ମିଳୁଥିବା ସମ୍ବଳକୁ ଉପଯୋଗ କରି ତିଆରି କରିଥିଲେ ବାମ୍ବୋ ପାଣି ପମ୍ପ। ଯାହା ବର୍ତ୍ତମାନ ତାଙ୍କ ଜମିକୁ ଜଳସେଚିତ କରିପାରୁଛି।

ଏହି ପାଣିପମ୍ପ ଏବେ ତାଙ୍କୁ ନୂଆ ପରିଚୟ ଆଣିଦେଇଛି। ଆଖପାଖ ଅଞ୍ଚଳର ବହୁ ଚାଷୀ ଏବେ ଏହି କୌଶଳ ଶିଖିବାକୁ ତାଙ୍କ ପାଖକୁ ଆସୁଛନ୍ତି ଓ ନିର୍ମାଣ କାର୍ଯ୍ୟ ଶିଖିବା ପରେ ହସହସ ମୁହଁରେ ଫେରୁଛନ୍ତି। ରାଜେଶଙ୍କୁ ଏହି ପ୍ରକ୍ରିୟାରେ ସହେଯାଗର ହାତ ବଢାଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଏଏସ୍‌ (ପ୍ରବେସନ୍‌) ମଧୁସ୍ମିତା ସିଂ। ଆଜିର ଯୁବପିଢ଼ି ଚାକିରି ପଛରେ ପଡ଼ି ଚାଷ ପ୍ରତି ବିମୁଖ ହେଉଛନ୍ତି। ମାତ୍ର ରାଜେଶଙ୍କ ଭଳି ଜଣେ ଅର୍ଦ୍ଧଶିକ୍ଷିତ ଆଦିବାସୀ ଯୁବକ ଚାଷ ପ୍ରତି ମନ ବଳାଇ ନିଜର ଜ୍ଞାନ କୌଶଳ ବଳରେ ଜଳସେଚନ ପାଇଁ ଏକ ଚମତ୍କାର ବିକଳ୍ପ ସୃଷ୍ଟି କରିବା ନିଶ୍ଚିତ ଭାବରେ ଆନନ୍ଦର ବିଷୟ ବୋଲି ମଧୁସ୍ମିତା କହିଛନ୍ତି।

The post ବିନା ବିଦ୍ୟୁତ୍‌, ବିନା ମେସିନରେ ଜମିରେ ମଡ଼ାଉଛି ପାଣି first appeared on Sambad.



from ରାଜ୍ୟ – Sambad https://ift.tt/3uy7rSF

Post a Comment

0 Comments