
ରାମଚନ୍ଦ୍ରପୁର : ଘସିପୁରା ବ୍ଲକ୍ ମଦନପୁର ପଞ୍ଚାୟତ ଷଟ୍ତିରା ଶାଳୁଅସାହିରେ ଜଳକଷ୍ଟ। ଗରାଏ ପାଣିପାଇଁ ଦୁଇ କିଲୋମିଟର ଦୂର ଯାଉଛନ୍ତି ସାହିର ମହିଳାମାନେ। ଲୋକଙ୍କ ଜଳକଷ୍ଟ ଦୂର କରିବାପାଇଁ ସାହିରେ ନଳକୂପଟିଏ ବସାଇବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନି।

ଗାଁମୁଣ୍ତ ଶାଳବଣ ପାଖରେ ୧୫ଟି ପରିବାର ଘର କରି ରହୁଛନ୍ତି। କିନ୍ତୁ ଏଯାଏ ସେମାନଙ୍କ ପାଖରେ ପାନୀୟ ଜଳ ଓ ବିଜୁଳି ଆଲୁଅ ପହଞ୍ଚି ପାରିନି। ସ୍ନାନଶୌଚ ପାଇଁ ଚୁଆ ପାଣି ଭରସା। ବିଜୁଳି ନଥିବାରୁ ଡିବିରି ଆଲୁଅରେ ଲୋକେ ରାତି କାଟୁଛନ୍ତି। ସାହିର ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ। ଗରାଏ ପାଣିପାଇଁ ମହିଳାମାନେ ଦୁଇ କିଲୋମିଟର ଦୂରରେ ଥିବା ହସନପୁର ସ୍କୁଲ୍ ପରିସର ନଳକୂପକୁ ଯାଉଛନ୍ତି। ଯଦି ସ୍କୁଲ୍ ବନ୍ଦ ତାହେଲେ କଥା ସରିଲା। ସାହିରେ ଗୋଟିଏ ନଳକୂପ ବସାଇବା ପାଇଁ ଲୋକେ ଅନେକ ଥର ସ୍ଥାନୀୟ ସରପଞ୍ଚ ଏବଂ ବିଡିଓଙ୍କୁ ଗୁହାରି କରିଛନ୍ତି। ହେଲେ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ଖରାଦିନ ପୂର୍ବରୁ ସାହିରେ ଏକ ନଳକୂପ ବସାଇବାକୁ ଶ୍ରୀଧର ସାମଲ, ଭାସ୍କର ସାମଲ, ପୂର୍ଣ୍ଣଚନ୍ଦ୍ର ସାହୁ, ଦୁଃଶାସନ ସାହୁ, ମାନସ ସାମଲ, ଅଦ୍ବେତ ବେହେରା, ରାମ ସାହୁ, ମଙ୍ଗୁଳୁ ସାହୁ, ଦିଲୀପ ସାହୁ, ଅନାମ ସାହୁ, ରଂଜନ ସାହୁ, ହରିହର ସାହୁ, କମ୍ପାନି ପେରେଇ ପ୍ରମୁଖ ଦାବି କରିଛନ୍ତି।
The post ଗରାଏ ପାଣି ପାଇଁ ଦୁଇ କିମି ଯାତ୍ରା first appeared on Sambad.
from ରାଜ୍ୟ – Sambad https://ift.tt/3rSkpse
0 Comments