ଆପର୍ଟମେଣ୍ଟ ମାଲିକାନା ଆଇନ କାର୍ଯ୍ୟକାରୀ ପ୍ରସଂଗ: ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ: ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ (ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ, ୧୯୮୨) ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ପ୍ରସଂଗ ନେଇ ଦାୟର ମାମଲାରେ ସରକାରଙ୍କୁ ଜବାବ ଦାଖଲ ପାଇଁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମହଲତ ମିଳିଛି। ପୂର୍ବରୁ ଜାନୁଆରି ୧୮ରେ ହାଇକୋର୍ଟ ଏହି ମାମଲାରେ ‌ନୋଟିସ୍ ଜାରି କରିଥିବାବେଳେ ଆଜି ସରକାରଙ୍କ ପକ୍ଷରୁ ଏହି ଆଇନ କାର୍ଯ୍ୟକାରୀ ପ୍ରସଂଗରେ ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଏକ ଆପାର୍ଟମେଣ୍ଟରେ ଫ୍ଲାଟ କିଣି ରହୁଥିବା ବେଳେ ସେଠାରେ ଆଇନ ଅନୁସାରେ ଆପର୍ଟମେଣ୍ଟ ମାଲିକଙ୍କ ସଂଘ ଗଠନ ‌ନେଇ ସମସ୍ୟା ଦେଖା ଦେଇଥିଲା। ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣୟନ ହୋଇଥିବାବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ଏବେ ସଂଶୋଧିତ ଆଇନ କାର୍ଯ୍ୟକାରୀ କରାଯିବା କଥା। ଆଇନର ଧାରା ୩ରେ ଥିବା ବ୍ୟବସ୍ଥା ଅନୁସାରେ ସବୁ ଆପର୍ଟମେଣ୍ଟରେ ମାଲିକଙ୍କ ଏକ ସଂଘ ଗଠନ କରାଯିବ। ଏହି ସଂଘ ଆପାର୍ଟମେଣ୍ଟର ରକ୍ଷଣାବେକ୍ଷଣ ଓ ବ୍ୟବସ୍ଥା ପରିଚାଳନା ଦାୟିତ୍ବରେ ରହିବ। ଏଭଳି ସଂଘର ନିଜର ନିୟମାବଳୀ ରହିବ। ଏଭଳି ନିୟମାବଳୀର ତଥ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ। ଏଥିସହିତ ଆପର୍ଟମେଣ୍ଟ ମାଲିକ ସଂଘ ପଞ୍ଜୀକରଣ ମଧ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରେ କରାଯିବ। କିନ୍ତୁ ରାଜ୍ୟରେ ଏବେ ଆପାର୍ଟମେଣ୍ଟ ମାଲିକାନା ଆଇନ ଅନୁସାରେ କେହି କ୍ଷମତାପ୍ରାପ୍ତ ଅଧିକାରୀ ନାହାନ୍ତି। ଫଳରେ ଆପର୍ଟମେଣ୍ଟ ମାଲିକଙ୍କ ସଂଘ ପଞ୍ଜୀକରଣ କରାଯାଇ ପାରୁ ନାହିଁ। ଏଥିସହିତ ବିଭିନ୍ନ ସଂଘ ନିଜ ନିୟମାବଳୀ ମଧ୍ୟ ପ୍ରଣୟନ କରି ପାରୁ ନାହାନ୍ତି। ଆପାର୍ଟମେଣ୍ଟ ମାଲିକାନା ଆଇନ, ୧୯୮୨ ଆସିବା ପରେ ଟାଉନ ପ୍ଲାନିଂ ନିର୍ଦ୍ଦେଶକ, ଓଡ଼ିଶାଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ୨୦୧୫ରେ ଏହି ଆଇନ ସଂଶୋଧିତ ହେବା ପରେ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ଟାଉନ ପ୍ଲାନିଂ ନିର୍ଦ୍ଦେଶକ କାର୍ଯ୍ୟ କରୁ ନାହାନ୍ତି। ଆପାର୍ଟମେଣ୍ଟ ମାଲିକାନା ଆଇନ ଅନୁସାରେ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ ଆଉ ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କ କୌଣସି କ୍ଷମତା ନାହିଁ। ଏହି ପଦବି ଖାଲି ପଡିଛି। ୨୦୧୭, ଏପ୍ରିଲ ୧୫ରେ କ୍ଷମତାପ୍ରାପ୍ତ ଅଧିକାରୀ ନିଯୁକ୍ତି ପ୍ରସଂଗ ନେଇ ଟାଉନ ପ୍ଲାନିଂ ନିର୍ଦ୍ଦେଶକ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଆପାର୍ଟମେଣ୍ଟ ମାଲିକାନା ଆଇନରେ ଥିବା ବ୍ୟବସ୍ଥା ଅନୁସାରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେଇ ନାହାନ୍ତି। ଏଭଳି ସ୍ଥିତିରେ କେତେକ ଆପର୍ଟମେଣ୍ଟରେ ରହୁଥିବା ଲୋକମାନେ ଅନେକ ସମୟରେ ଅସୁବିଧାରେ ପଡୁଛନ୍ତି। ତୁରନ୍ତ ଆଇନ ଅନୁସାରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

The post ଆପର୍ଟମେଣ୍ଟ ମାଲିକାନା ଆଇନ କାର୍ଯ୍ୟକାରୀ ପ୍ରସଂଗ: ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ first appeared on Sambad.



from ରାଜ୍ୟ – Sambad https://ift.tt/2MTTZY5

Post a Comment

0 Comments