ପିଏମ୍‌ କିଷାନ ସହାୟତା : କଣ୍ଟା ହୋଇଛି କୃଷି ବିଭାଗ

ଭୁବନେଶ୍ବର : ପିଏମ୍‌ କିଷାନ ସହାୟତା ପାଇବାରୁ ଚାଷୀ ବଞ୍ଚିତ। ଆଇଏଫ୍‌ଏସ୍‌ସି କୋଡ଼୍‌ ସମସ୍ୟା ଯୋଗୁ ଏହି ସମସ୍ୟା ବର୍ଷେ ହେଲା ଲାଗି ରହିଛି। ଚାଷୀମାନେ ସହାୟତା ରାଶି ନ ପାଇ ହନ୍ତସନ୍ତ ହେଉଛନ୍ତି। ଏ ନେଇ ‘ସମ୍ବାଦ’ରେ ଏକାଧିକ ଥର ଖବର ପ୍ରକାଶ ପାଇଥିଲା। ସମବାୟ ବିଭାଗ କି କୃଷି ବିଭାଗ କାହାରି ତତ୍ପରତା ନଥିବା ନେଇ ଗତ ୧ ତାରିଖରେ ପୁଣି ଥରେ ଖବର ପ୍ରକାଶ ପାଇବା ପରେ ଉଭୟ ବିଭାଗ ଜୋରଦାର ତନାଘନା ଆରମ୍ଭ କରିଛନ୍ତି। ଖବର ନେବାରୁ ଜଣାପଡ଼ିଛି ଯେ ରାଜ୍ୟ ସମବାୟ ବ୍ୟାଙ୍କ ତାର ସମସ୍ତ ଶାଖା ପାଇଁ ନୂଆ ସ୍ବତନ୍ତ୍ର ଆଇଏଫ୍‌ଏସ୍‌ସି କୋଡ଼୍‌ ଜାରି କରିଥିଲେ ବି କୃଷି ବିଭାଗ ଅଧୀନରେ ଥିବା ପିଏମ୍‌ କିଷାନ ସେଲ୍‌ର ଅବହେଳା ଯୋଗୁ ଚାଷୀମାନେ ଏ ପର୍ଯ୍ୟନ୍ତ ପିଏମ୍‌ କିଷାନ ସହାୟତା ପାଇପାରିନାହାନ୍ତି।

ଅନୁସନ୍ଧାନ ପରେ ଯେଉଁ ତଥ୍ୟ ସାମନାକୁ ଆସିଛି, ତାହା ଆହୁରି ସାଂଘାତିକ। ୨୦ ହଜାର ଚାଷୀ ନୁହନ୍ତି, ବିଭିନ୍ନ ସମବାୟ ବ୍ୟାଙ୍କ ଶାଖାରେ ଜମା ଖାତା ଥିବା ୫୧ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ସମବାୟ ବିଭାଗ ଭ୍ୟାଲିଡେସନ୍‌ କାମ ସମ୍ପୂର୍ଣ୍ଣ କରିସାରିଛି। କିନ୍ତୁ ପିଏମ୍‌ କିଷାନ ସେଲ୍‌ ଦାୟିତ୍ବରେ ଥିବା ବାବୁମାନଙ୍କ ଅବହେଳା ଯୋଗୁ ବର୍ଷେ ହେଲାଣି ଚାଷୀମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏବେସୁଦ୍ଧା ମାତ୍ର ୧୬ ହଜାର ଆକାଉଣ୍ଟ ପବ୍ଲିକ ଫାଇନାନ୍‌ସ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ (ପିଏଫ୍‌ଏମ୍‌ଏସ୍‌) ପୋର୍ଟାଲରେ ଅପଲୋଡ଼୍‌ ହୋଇଛି। ପିଏଫ୍‌ଏମ୍‌ଏସ୍‌ ପୋର୍ଟାଲରେ ଅପଲୋ଼ଡ଼ ହେବା ପରେ ଯାଇ ୫୧ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ପିଏମ୍‌ କିଷାନ ସହାୟତା ରାଶି ଡିବିଟି ଜରିଆରେ ଆସିବ। ତେବେ ଏତେଦିନ ହେଲା କୃଷି ବିଭାଗର ଅଧିକାରୀ କରୁଥିଲେ କଣ? କ’ଣ ପାଇଁ ରାଜ୍ୟ ସମବାୟ ବ୍ୟାଙ୍କ ତାର ବିଭିନ୍ନ ଶାଖା ପାଇଁ ଆଇଏଫ୍‌ଏସ୍‌ସି ଜାରି କରିଥିଲେ ବି ପିଏମ୍‌ କିଷାନ୍‌ ସେଲ୍‌ ଦାୟିତ୍ବରେ ଥିବା ଅଧିକାରୀମାନେତ୍ବରିତ୍‌ ପଦକ୍ଷେପ ନେଉନଥିଲେ? ଏହି ଅବହେଳା ପାଇଁ ଚାଷୀମାନେ ଦୀର୍ଘ ଦିନ ହେଲାଣି ଅଭିଯୋଗ କରୁଥିଲେ ବି କାହିଁକି କୃଷି ମନ୍ତ୍ରୀ ଚୁପ ରହିଥିଲେ?

ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ସଂସ୍କାର ବ୍ୟବସ୍ଥାରେ ଲୋକଙ୍କୁ ସେବା ଯେପରି ତ୍ବରିତ୍‌ ବେଗରେ ମିଳିବ, ସେଥିପାଇଁ ସବୁ ଅଧିକାରୀ ଶପଥ ନେଇଛନ୍ତି। ଖାଲି ସେତିକି ନୁହେଁ, କୃଷି ବିଭାଗରେ ବି ‘ ମୋ ସରକାର’ ବ୍ୟବସ୍ଥା ଲାଗୁ ହୋଇଛି। କୃଷି ମନ୍ତ୍ରୀ ନିୟମିତ ଅଧିକାରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଦାୟିତ୍ବରେ ଅବହେଳା ନ କରିବାକୁ ତାଗିଦ କରୁଛନ୍ତି। ସମବାୟ ବ୍ୟାଙ୍କରେ ଥିବା ଚାଷୀମାନଙ୍କ ଆକାଉଣ୍ଟ୍‌କୁ ପିଏମ୍‌ କିଷାନ ସହାୟତା ଅର୍ଥ ପହଞ୍ଚୁନି ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ବି ମନ୍ତ୍ରୀ କିପରି ଜାଣିପାରିଲେନି? ନା ସବୁ ଜାଣି ଭିତରେ ପଶିବାକୁ ଚାହିଁଲେନି? ଏହି ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି।

The post ପିଏମ୍‌ କିଷାନ ସହାୟତା : କଣ୍ଟା ହୋଇଛି କୃଷି ବିଭାଗ first appeared on Sambad.



from ରାଜ୍ୟ – Sambad https://ift.tt/3j9kpku

Post a Comment

0 Comments