ରାସ୍ତା‌ ନିର୍ମାଣ, ପାଇପ୍‌ଲାଇନ୍ ପାଇଁ ପରିବେଶ ମଞ୍ଜୁରୀ ଦରକାର ନାହିଁ

ଭୁବନେଶ୍ବର : ରାସ୍ତା ନିର୍ମାଣ କିମ୍ବା ପାଇପ୍‌ଲାଇନ୍ ବିଛାଇବା ପାଇଁ ମାଟି ଖୋଳା ନିମନ୍ତେ ପରିବେଶ ମଞ୍ଜୁରୀ ଆଉ ଦରକାର ପଡ଼ିବ ନାହିଁ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁମୋଦନ କରିଛି। ଆଜି ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଚିଠି ଲେଖାଯାଇ ଅବଗତ କରାଯାଇଛି।

ବିଭିନ୍ନ ଅଞ୍ଚଳ‌େର ରାସ୍ତା, ପାଇପଲାଇନ୍ ନିର୍ମାଣ ଆଦି ନିମନ୍ତେ ମାଟି ଖୋଳା ଯାଉଥିବା ବେଳେ ସେଗୁଡ଼ିକ ଜଙ୍ଗଲ ଓ ଜଳାଶୟ ଅଞ୍ଚଳରେ ଥିବାରୁ ପରିବେଶ ମଞ୍ଜୁରୀର ଆବଶ୍ୟକତା ପଡ଼ୁଥିଲା। ମାତ୍ର ଏଥି ଯୋଗୁ ବିକାଶମୂଳକ କାର୍ଯ୍ୟ ଅହେତୁକ ବିଳମ୍ବ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ଏହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଗତ ବର୍ଷ ମାର୍ଚ୍ଚ ମାସରେ ଏସବୁ କାର୍ଯ୍ୟ ନିମନ୍ତେ ରହିଥିବା ପରିବେଶ ମଞ୍ଜୁରୀ ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେଇଥିଲେ। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ଆଧାରରେ ଗତ ୧୫.୧୦.୨୦୨୦ରେ ହୋଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଠକରେ ରାସ୍ତା, ପାଇପ୍‌ଲାଇନ୍ ପରି ପ୍ରକଳ୍ପରେ ମାଟି ଖୋଳା ପାଇଁ ପରିବେଶ ମଞ୍ଜୁରୀ ଦରକାର ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଗତ ମାସ ୭ ତାରିଖରେ ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ହୋଇଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଜଳଭଣ୍ଡାର, ବ୍ୟାରେଜ, ଡ୍ୟାମ୍ , ନଦୀ ଓ କେନାଲର ରକ୍ଷଣାବେକ୍ଷଣ ନିମନ୍ତେ ବିନା ପରିବେଶ ଅନୁମତିରେ ମାଟି ଖୋଳାଯାଇପାରିବ। ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ। ଜଳସେଚନ କିମ୍ବା ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ମଧ୍ୟ ମାଟି ଖୋଳା ଯାଇପାରିବ। ଏଥି ପାଇଁ ମଧ୍ୟ ପରିବେଶ ମଞ୍ଜୁରୀର ଆବଶ୍ୟକତା ପଡ଼ିବ ନାହିଁ।

The post ରାସ୍ତା‌ ନିର୍ମାଣ, ପାଇପ୍‌ଲାଇନ୍ ପାଇଁ ପରିବେଶ ମଞ୍ଜୁରୀ ଦରକାର ନାହିଁ first appeared on Sambad.



from ରାଜ୍ୟ – Sambad https://ift.tt/3cIgaen

Post a Comment

0 Comments