
କେବଳ ରୂପ୍ସା-ବାଙ୍ଗିରିପୋଷି, ଟାଟାନଗର-ବାଦାମପାହାଡ଼ ବିଦ୍ୟୁତକରଣ ପାଇଁ ଅର୍ଥ ବରାଦ
ଫାଇଲ୍ ତଳେ ରହିଗଲା ବାଙ୍ଗିରିପୋଷି-ଗୋରୁମହିଷାଣୀ ଏବଂ ବୁଢ଼ାମରା-ଚାକୁଳିଆ ଯୋଜନା
ବିଜେପିକୁ ଘେରିଲେ ବିରୋଧୀ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରୁ ବିଜେପିରୁ ଅଛନ୍ତି ୬ ବିଧାୟକ ଏବଂ ଜଣେ ସାଂସଦ। ୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମୟୂରଭଞ୍ଜବାସୀ ସମର୍ଥନ ଅଜାଡ଼ି ଦେଇଥିଲେ ମଧ୍ୟ ରେଳ ବଜେଟରେ ଜିଲ୍ଲାକୁ ପୁଣି ଉପେକ୍ଷା କରାଯାଇଛି।
ସୂଚନା ଅନୁସାରେ, ଚଳିତ ରେଳ ବଜେଟ୍ରେ ମିଳିଛି ମାତ୍ର ୫୭ କୋଟି। ତାହା ପୁଣି କାମ ଚାଲିଥିବା ରୂପ୍ସା-ବାଙ୍ଗିରିପୋଷି ଏବଂ ଟାଟାନଗର-ବାଦାମପାହାଡ଼ ବିଦ୍ୟୁତକରଣ ପାଇଁ। ରୂପ୍ସା-ବାଙ୍ଗିରିପୋଷି ପାଇଁ ୨୮.୭୧ କୋଟି ଅର୍ଥ ବରାଦ ହୋଇଥିବାବେଳେ ଟାଟାନଗର-ବାଦାମପାହାଡ଼ ବିଦ୍ୟୁତ୍କରଣ ପାଇଁ ୨୮.୫୬ କୋଟି ରଖାଯାଇଛି। ରେଳ ବିଦ୍ୟୁତକରଣ ପ୍ରସ୍ତାବ ମଧ୍ୟ ଏବର ନୁହେଁ, ପୂର୍ବ ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିଲା। ବାକି କୌଣସି କ୍ଷେତ୍ରରେ ମୟୂରଭଞ୍ଜକୁ ଟଙ୍କାଟେ ମିଳିନି। ବହୁ ପ୍ରତୀକ୍ଷିତ ବୁଡ଼ାମରା-ଚାକୁଳିଆ ପାଇଁ ମାତ୍ର ୧ ହଜାର କୋଟି ଟଙ୍କା ଦିଆଯାଇଛି। ତେବେ ରେଳ ଧାରଣା ପରିବର୍ତ୍ତନ, ରେଳ ଓଭରବ୍ରିଜ୍, ଅଣ୍ଡରବ୍ରିଜ୍ ଏବଂ ଜାରି ରହିଥିବା ନିୟମିତ କାମ ପାଇଁ କିଛି ଆର୍ଥିକ ଅନୁଦାନ ଘୋଷଣା କରିଛି ରେଳ ମନ୍ତ୍ରାଳୟ। ଗତ ବଜେଟ୍ରେ ମଧ୍ୟ ଜିଲ୍ଲାକୁ ଅଣଦେଖା କରାଯାଇଥିଲା। କେବଳ ବିଜେପି ପକ୍ଷରୁ ୨୨ ଦଫା ଦାବି ସମ୍ବଳିତ ଏକ ବିସ୍ତୃତ ପ୍ରସ୍ତାବ ରଖାଯାଇଥିଲା। ସେହିପରି ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ନିକଟରେ ଖଡ଼ଗପୁର ଡିଆରଏମ୍ କାର୍ଯ୍ୟାଳୟ ଏବଂ କୋଲକାତା ଗାର୍ଡେନ୍ରିଚ୍ସ୍ଥିତ ଜିଏମ୍ଙ୍କ କାର୍ଯ୍ୟାଳୟରେ ପ୍ରସ୍ତାବିତ ତିନୋଟି ନୂଆ ପ୍ରକଳ୍ପ ବୁଢ଼ାମରା-ଚକୁଳିଆ, ବାଙ୍ଗିରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ଼-କେନ୍ଦୁଝର ରେଳପଥ ବାବଦରେ ଆଲୋଚନା କରିଥିବା ସୂଚନା ଦେଇଥିଲେ। ମାତ୍ର ଏସବୁ ଲୋକଦେଖାଣିଆ ଥିଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ଉପରୋକ୍ତ ୩ ପ୍ରକଳ୍ପ ସମେତ ବାରିପଦାର ଭଞ୍ଜପୁର ଓ ରାଇରଙ୍ଗପୁରଠାରେ ମାଲ ସାଇଡ଼ିଂ ନିର୍ମାଣ, ବାରିପଦାରେ ଗୁଡ୍ସ ରେକ୍ ପଏଣ୍ଟ୍ ବ୍ୟବସ୍ଥା, ବାଦାମପାହାଡ଼ରୁ କେନ୍ଦୁଝର ନୂତନ ରେଳପଥ ନିର୍ମାଣ, ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ୍ ଏକ୍ସପ୍ରେସ ପୁରୀ ଯାଏ ସଂପ୍ରସାରଣ, ଖଡ଼ଗପୁର-ଯାଜପୁର ପାସେଞ୍ଜର ଟ୍ରେନ୍ କେନ୍ଦୁଝର ପର୍ଯ୍ୟନ୍ତ ଚଳାଚଳ, ବାରିପଦା-ବାଙ୍ଗିରିପୋଷି ରେଳଲାଇନ୍କୁ ବାଦାମପାହାଡ ଭାୟା ତାଳବନ୍ଧ ପର୍ଯ୍ୟନ୍ତ ସଂପ୍ରସାରଣ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଫାଇଲ୍ ତଳେ ରହିଯାଇଛି। ଜିଲ୍ଲାରେ ରେଳ ବିକାଶ ନେଇ ଚଳିତ ବଜେଟରେ କୌଣସି ନୂତନ ପ୍ରସ୍ତାବ ନାହିଁ। ଯେମିତିକି ବସ୍ତା-ରୁପ୍ସା ରେଳଷ୍ଟେସନ୍ ମଧ୍ୟରେ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା, ଟାଟାନଗର-ବାଦାମପାହାଡ ରାତ୍ରି ଟ୍ରେନ୍ ଚଳାଚଳ, ଭଞ୍ଜପୁର ରେଳଷ୍ଟେସନ୍ ନିକଟରେ ଥିବା ଫୁଟ୍ ଓଭରବ୍ରିଜ୍ର ପୁନଃନିର୍ମାଣ ଭଳି ଦାବିଗୁଡ଼ିକ ଶୀତଳଭଣ୍ଡାର ଚାଲିଯାଇଛି।
ରେଳ ବଜେଟରେ କେନ୍ଦ୍ର ସରକାର ମୟୂରଭଞ୍ଜକୁ ଲଲିପପ୍ ଧରାଇଛନ୍ତି ବୋଲି କଂଗ୍ରେସ୍ ନେତା ଯୋଗେଶ ଅଗ୍ରୱାଲ ଅଭିଯୋଗ କରିଥିବାବେଳେ ପୂର୍ବତନ ପୌରାଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କୃଷ୍ଣାନନ୍ଦ ମହାନ୍ତି ଜିଲ୍ଲାରେ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ କେନ୍ଦ୍ର ସରକାର ଜିଲ୍ଲାବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରର ବୈମାତୃକ ମନୋଭାବକୁ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦର ସଭାପତି କଳିଙ୍ଗକେଶରୀ ଜେନା, ମୟୂରଭଞ୍ଜ ରେଲୱେ ଟ୍ରାଭେର୍ଲସ ଫୋରମର ସଭାପତି ଅଭିଜିତ ରାମ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।
ଅନ୍ୟପକ୍ଷରେ, ବିଧାୟକ ପ୍ରକାଶ ସୋରେନ୍ଙ୍କ କହିବା ଅନୁସାରେ, ଆହୁରି ଅଧିକ ଅର୍ଥ କିପରି ମିଳିବ ସେ ନେଇ ବିଜେପି ପ୍ରୟାସ ଜାରି ରଖିଛି।
The post ରେଳ ବଜେଟରେ ମୟୂରଭଞ୍ଜକୁ ପ୍ରତାରଣା first appeared on Sambad.
from ରାଜ୍ୟ – Sambad https://ift.tt/3pR3Z2J
0 Comments