ବନୀକରଣର ଗଛ ନାହିଁ : ଏଠୁ ଓପାଡ଼ି ସେଠି ପୋତୁଛନ୍ତି!

ବରଗଡ଼ : ବରଗଡ଼ ଜିଲ୍ଲାରେ ବନୀକରଣ ପ୍ରକ୍ରିୟା ବ୍ୟାପକ ହେରଫେର ପରିଲକ୍ଷିତ ହୋଇଛି। ଯେଉଁଠି ବନୀକରଣ ହୋଇଥିବା କୁହାଯାଉଛି, ସେଠାରେ ଆଉ ଗଛ ଦେଖିବାକୁ ମିଳୁନାହିଁ। ରାସ୍ତାକଡ଼ରେ ଲାଗୁଥିବା ଗଛ ରାତିରାତି ଗାଏବ୍‌ ହୋଇଯାଉଛି। ଏପରିକି ବ୍ୟାରିକେଡିଂ ଜାଲି ମଧ୍ୟ ପାର୍‌ ହେଉଛି। ଏହାକୁ ଅନ୍ୟତ୍ର ପୋତି ପୁଣି ବନୀକରଣର ରୂପ ଦିଆଯାଉଛି। କିଛି ମୁଷ୍ଟିମେୟ ଫାର୍ମ ମାଲିକଙ୍କ କାରସାଦି ଯୋଗୁଁ ଗାଁ ଜଙ୍ଗଲ ଏବଂ ରାସ୍ତା କ‌ଡ଼ରେ ଲାଗିଥିବା ଗଛ ଗାଏବ୍ ହୋଇଯାଉଛି। ବନ ବିଭାଗ ବିଭିନ୍ନ ଅନୁଦାନ ଟଙ୍କାରେ ଗଛ ପୋତୁଛି। କିନ୍ତୁ ଗଛ ଲାଗିବା ପରେ ଏଗୁଡ଼ିକୁ କିଛି ସ୍ଥାନୀୟ ଲୋକେ ରାତିରାତି ଓପାଡ଼ି ଫାର୍ମ ମାଲିକମାନଙ୍କୁ ବିକ୍ରି କରୁଛନ୍ତି।

ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରିନ୍ ମହାନଦୀ ଅଭିଯାନ ଆରମ୍ଭ ହୋଇଥିଲା। ମନରେଗା ଯୋଜନାରେ କିଛିମାତ୍ରାରେ ଏହି ବନୀକରଣ ଆଗେଇଥିଲା। ଏହି ଯୋଜନାରେ ଭେଡ଼େନ ବ୍ଲକ୍‌ ସାଲନା-ଦେଶକୁମ୍ଭାରୀ (୪କିମି) ଏବଂ ଡାଲବ-ବାଲିକୁଲୁଣ୍ଡା (୪କିମି) ରାସ୍ତାର ଉଭୟ ପାର୍ଶ୍ବରେ ୪ହଜାର ବିଭିନ୍ନ କିସମର ଗଛ ଲଗାଯାଇଥିଲା। କିନ୍ତୁ ଏବେ ଉଭୟ ରାସ୍ତାରେ ବହୁ ଗଛ ଗାଏବ୍ ହୋଇସାରିଛି। ସେହିପରି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଯୋଜନାରେ ମହୁଲପାଲି-ଦେଶଭଟଲି ୨୪ କ‌ିଲୋମିଟର ରାସ୍ତାର ଉଭୟ ପାର୍ଶ୍ବରେ ୬ହଜାର ଗଛପୋତା ଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବ ଏବଂ ବ୍ୟାରିକେଡ୍‌ ନଥିବାରୁ ଗଛଗୁଡ଼ିକୁ ଗାଈଗୋରୁ ଚରିସାରିଲେଣି। ବଳକା ଗଛ ଲୋକେ ଓପାଡ଼ି ବିକ୍ରି କରୁଥିବା ମଧ୍ୟ ଦେଖା ଦେଇଛି। ଏହାବାଦ ଜିଲ୍ଲାକୁ କାମ୍ପା ଅନୁଦାନ ବାବଦକୁ ୩୦ ହେକ୍ଟର ଜମିରେ ବନୀକରଣ କରିବାକୁ କୁହାଯାଇଥିଲା। ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡ଼ା ଗ୍ରାମ୍ୟ ଜଂଗଲରେ ୬ହଜାର ବିରଳ ଗଛ ରୋପଣ କରାଯାଇଛି। କିନ୍ତୁ ଏହାର ସଠିକ୍‌ ସୁରକ୍ଷା ବ୍ୟବସ୍ଥା ନହେବାରୁ ଅଧା ଗଛ ନଷ୍ଟ ହୋଇସାରିଛି। ଗଛଗୁଡ଼ିକର ସୁରକ୍ଷା ପାଇଁ ବାଉଁଶ କିମ୍ବା ଲୁହା ଜାଲି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଏସବୁ ଅଳ୍ପ କିଛି ଦିନ ପରେ ପୁଣି ଗାଏବ୍‌ ହୋଇଯାଉଛି। ମାମଲାର ତଦନ୍ତ ଆଗେଇଲେ ଏକ ବଡ଼ ଦୁର୍ନୀତିର ଖୁଲାସା ହୋଇପାରିବ ବୋଲି ପରିବେଶବିତ୍‌ମାନେ ମତ ରଖୁଛନ୍ତି।

 

The post ବନୀକରଣର ଗଛ ନାହିଁ : ଏଠୁ ଓପାଡ଼ି ସେଠି ପୋତୁଛନ୍ତି! first appeared on Sambad.



from ରାଜ୍ୟ – Sambad https://ift.tt/3b1Fppx

Post a Comment

0 Comments