ଆଇଟିଆର ତଥ୍ୟ ଲିକ୍‌ ମାମଲା : ଈଶ୍ବରଙ୍କୁ ଆଜୀବନ ଜେଲ୍

ବାଲେଶ୍ବର/ବେତନଟୀ : ବହୁଚର୍ଚ୍ଚିତ ବାଲେଶ୍ବର ଚାନ୍ଦିପୁରସ୍ଥିତ ଆଇଟିଆର ତଥ୍ୟ ଲିକ୍ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବାଲେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍(ପ୍ରଥମ) ଗିରିଜା ପ୍ରସାଦ ମହାପାତ୍ର ଅଭିଯୁକ୍ତ ଆଇଟିଆରର ଅସ୍ଥାୟୀ ଫଟୋଗ୍ରାଫର୍‌ ଈଶ୍ବର ବେହେରାଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଏହି ମାମଲା ବାଲେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍‌(ପ୍ରଥମ)ଙ୍କ ଅଦାଲତରେ ବିଚାରାଧୀନ ଥିଲା। ଦୀର୍ଘଦିନ ଧରି ଜଣେ ମାତ୍ର ସାକ୍ଷୀଙ୍କ ପାଇଁ ମାମଲାର ବିଚାର ହୋଇନପାରି ପଡ଼ିରହିଥିଲା। ଏ ନେଇ ଈଶ୍ବରଙ୍କର ଓକିଲ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ମାମଲା ଫଇସଲା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ଏହି ମାମଲାର ଶୁଣାଣି ଆଜି ହୋଇଥିଲା। ଏହା ଦେଶଦ୍ରୋହ ଓ ଅପରାଧିକ ଷଡଯନ୍ତ୍ର ମାମଲା। ଏଭଳି ମାମଲାରେ ଅଭିଯୁକ୍ତ ଈଶ୍ବରକୁ କଠୋରରୁ କଠୋର ଦଣ୍ଡ ସ୍ବରୂପ ମୃତ୍ୟୁଦଣ୍ଡ ଦେବାକୁ ସରକାର ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ନଳିନୀ କୁମାର ପଣ୍ଡା ଓ ଚିତ୍ତରଂଜନ କାନୁନଗୋ ମାନ୍ୟବର କୋର୍ଟଙ୍କୁ ନିବେଦନ କରିଥିଲେ। ହେଲେ ଈଶ୍ବରଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାସ ଏହାକୁ ଖଣ୍ଡନ କରିବା ସହ ସେ ନିର୍ଦ୍ଦୋଷ ଓ ତାଙ୍କୁ ଛାଡ଼ି ଦିଆଯାଉ ବୋଲି ଅନୁରୋଧ କରିଥିଲେ। ହେଲେ ବିଚାରପତି ଶ୍ରୀ ମହାପାତ୍ର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଦେଖି ଦେଶଦ୍ରୋହ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ଆଇପିସିର ଦଫା ୧୨୧, ୧୨୧(ଏ), ୧୨୦(ବି) ଓ ଅଫିସିଆଲ ସିକ୍ରେସି ଆକ୍ଟର ଦଫା ୩ ଓ ୫ରେ ଈଶ୍ବରଙ୍କୁ ଆଜୀବନ ଜେଲ ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଈଶ୍ବର ସେମିତି କିଛି ବଡ଼ ଦୋଷ କରିନାହାନ୍ତି। ସେ ନିର୍ଦ୍ଦୋଷ ବୋଲି କହିବା ସହ ତଳ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଈଶ୍ବରଙ୍କ ଓକିଲ ଶ୍ରୀ ଦାସ କହିଛନ୍ତି। ମାମଲାରେ ସମୁଦାୟ ୨୯ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସେଥି ମଧ୍ୟରେ କିଛି ବୈଜ୍ଞାନିକ,୨ ଜଣ ସାଧା‌ରଣ ଲୋକ, ଜଣେ ପୋଷ୍ଟମାଷ୍ଟର ଓ ପୁଲିସ ରହିଥିଲେ। ବହୁଚର୍ଚ୍ଚିତ ଏହି ମାମଲାର ଶୁଣାଣି ଆଜି ରହିଥିବା ବେଳେ ରାୟ କଣ ପ୍ରକାଶ ପାଉଛି ତାହା ଜାଣିବା ପାଇଁ କୋର୍ଟ ବାହାରେ ଲୋକଙ୍କ ଭିଡ଼ ଜମିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଈଶ୍ବର ଆଇଟିଆରରେ ଅସ୍ଥାୟୀ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ। ସେ ବିଦେଶୀ ଗୁପ୍ତଚରଙ୍କୁ ଆଇଟିଆର ସମ୍ବନ୍ଧରେ ତଥ୍ୟ ଲିକ୍‌ କରୁଥିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ରାଜ୍ୟ ଗୁଇନ୍ଦା ବିଭାଗକୁ ଅବଗତ କରାଇଥିଲା। ତାଙ୍କର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ବି ଦେଇଥିଲା। ତନାଘନା ପରେ ଈଶ୍ବର କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କରେ ବିଦେଶୀ ଗୁପ୍ତଚର ଏଜେନ୍ସିକୁ ତଥ୍ୟ ପ୍ରଦାନ କରିଥିବା ନେଇ ଜଣାପଡ଼ିଥିଲା। ତା ପରେ ୨୦୧୫ ଜାନୁଆରି ୨୪ ତାରିଖରେ ଚାନ୍ଦିପୁର ଥାନାରେ ମାମଲା ରୁଜୁ କରାଯାଇ ଈଶ୍ବରଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲା ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ତଦନ୍ତରେ ଈଶ୍ବରଙ୍କ ଆକାଉଣ୍ଟକୁ ମୁମ୍ବାଇ, ଆବୁଧାବି, ମିରଟ, ଆନ୍ଧ୍ରପ୍ରଦେଶ ଓ ବିହାର ଆଦି ସ୍ଥାନରୁ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ଚାନ୍ଦିପୁର ପୁଲିସ ମାମଲା ରୁଜୁ କରି ଈଶ୍ବରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ମିରଟ୍‌ର ଆସିଫ୍‌ ଅଲ୍ଲୀ ଖାଁଙ୍କୁ ବାଲେଶ୍ବର ଅଣାଯାଇ ପଚରାଉଚୁରା କରାଯିବା ପରେ ତାକୁ ମିରଟ ଜେଲକୁ ପଠାଇ ଦିଆଯାଇଥିଲା। ସେ ଆଇଏସ୍‌ଆଇ ପାଇଁ ଗୁପ୍ତଚୋର କାର୍ଯ୍ୟ କରୁଥିବା ଜଣାପଡିଥିଲା।

The post ଆଇଟିଆର ତଥ୍ୟ ଲିକ୍‌ ମାମଲା : ଈଶ୍ବରଙ୍କୁ ଆଜୀବନ ଜେଲ୍ first appeared on Sambad.



from ରାଜ୍ୟ – Sambad https://ift.tt/3tRpMK4

Post a Comment

0 Comments