ମଣ୍ଡିରେ ମହାଦୁର୍ନୀତି : ଅଧ୍ୟାପକ ବି ଧାନ ବିକିଛନ୍ତି!

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ କେମିତି ଚାଷୀଙ୍କୁ ମଣ୍ଡିରେ ଶୋଷଣ କରାଚାଲିଛି ତାର ଚିତ୍ର ଏବେ ସାମ୍ନାକୁ ଆସିବାରେ ଲାଗିଛି। ଅଧ୍ୟାପକଙ୍କୁ ବି ଚାଷୀ ଦର୍ଶାଇ ମଣ୍ଡିରେ ଧାନକିଣା ହୋଇଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ପେକ୍ସରେ ହୋଇଥିବା ଦୁର୍ନୀତି କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ଅନ୍ୟ ଗୋଟିଏ ବ୍ଲକରେ ଚାଷ ଜମି ଥିବାବେଳେ ପାଟଣାଗଡ଼ ବ୍ଲକ ଭଇଁଷା ପେକ୍ସରେ ସେହି ଚାଷ ଜମିରୁ ଅମଳ ଧାନ ବିକ୍ରି ହୋଇଥିଲା। ଏବେ ଆଉ ରୋଚକ ତଥ୍ୟ ପଦାକୁ ଆସିଛି। ଭଇଁଷା ଜ୍ୟୋତିବିକାଶ କଲେଜର ଅଧ୍ୟାପକ ହେଉଛନ୍ତି ଜିତେନ୍ଦ୍ର ଦାସ। ଓଡ଼ିଶା ଫୁଡ୍‌ ପୋର୍ଟାଲର ତଥ୍ୟରୁ ଜଣାଯାଏ ଯେ, ଚାଷୀ ଭାବରେ ଅଧ୍ୟାପକ ଜଣକ ୨୦୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ପୁଣି ପୁଇନ୍ତଳା ବ୍ଲକ ଠେଲକୋମୁଣ୍ଡା ଗାଁର କବରସିଂ କହଁର ନାମକ ଜଣେ ଚାଷୀଙ୍କ ଖାତା ନଂ ଓ ପ୍ଲଟ ନଂ ଦେଇ ଧାନ ବିକ୍ରି କରିଛନ୍ତି। ନିଜକୁ ଜମି ମାଲିକଙ୍କ ପୁଅ ବୋଲି ସେ ଉଲ୍ଲେଖ କରିଛନ୍ତି। ପୂରା ଜାଲିଆତି କରି ଧାନ ବିକିଛନ୍ତି। ଭଇଁଷା ମଣ୍ଡିରେ କେବଳ ଅଧ୍ୟାପକ ନୁହନ୍ତି, ଖୋଦ୍‌ ସେଠାକାର ଡାଟା ଏଣ୍ଟ୍ରି ଅପରେଟର ଲଳିତ ମୋହନ ସାହୁ ମଧ୍ୟ ସମାନ ଢଙ୍ଗରେ ଜାଲିଆତି କରି ଧାନ ବିକିଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ଧାନକିଣାରେ ଏଥର ବଡ଼ଧରଣର ଦୁର୍ନୀତି ହୋଇଛି। ଘଟଣାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଚାଷୀଙ୍କ ତରଫରୁ ଦାବି ହୋଇଛି।

The post ମଣ୍ଡିରେ ମହାଦୁର୍ନୀତି : ଅଧ୍ୟାପକ ବି ଧାନ ବିକିଛନ୍ତି! first appeared on Sambad.



from ରାଜ୍ୟ – Sambad https://ift.tt/3sCc9go

Post a Comment

0 Comments