ଆଜିଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ଆଣ୍ଟିବଡି ପରୀକ୍ଷା: ପ୍ରଥମ ଡୋଜ୍ ପାଇଁ କ୍ୟାପିଟାଲ ହସ୍ପିଟାଲ, ଭିମ୍‌ସାରକୁ ଗୁରୁତ୍ବ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ କରୋନା ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ ଆଣ୍ଟିବଡି ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଡୋଜ୍ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ଶରୀରରେ ଆଣ୍ଟିବଡି ସୃ‌ଷ୍ଟି ହୋଇଛି କି ନାହିଁ ତାହାର ପରୀକ୍ଷା କରାଯିବ। କୋଭାକ୍ସିନ୍ ପାଇଁ କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ଓ କୋଭିସିଲ୍‌ଡ ପାଇଁ ଭିମ୍‌ସାର ବୁର୍ଲାର କର୍ମଚାରୀଙ୍କ ପରୀକ୍ଷା କରାଯିବ। ଏହାର ୧୪ଦିନ ପରେ ଦ୍ବିତୀୟ ଡୋଜ୍‌ ପାଇଁ ପୁଣିଥରେ ଆଣ୍ଟିବଡି ପରୀକ୍ଷା ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତମାସ ୧୬ତାରିଖଠାରୁ ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୨ଲକ୍ଷ ୮୮ହଜାର ୪୬୮ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ପ୍ରଥମ ଡୋଜ୍ ଟିକାକରଣ ଚାଲିବ। ଏହାସହ ଚଳିତମାସ ୧୫ତାରିଖରୁ ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ୫ ପ୍ରତିଶତ ଅର୍ଥାତ୍ ୧୮,୨୪୮ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତେବେ ଟିକା ନେଇସାରିଥିବା ସ୍ବାସ୍ଥ୍ୟକର୍ମୀଙ୍କ ଶରୀରରେ ପ୍ରକୃତରେ କରୋନା ଭୂତାଣୁ ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଛି କି ନାହିଁ ତାହା ଜାଣିବା ଲାଗି ଆଣ୍ଟିବଡି ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରରେ ଆରଏମ୍‌ଆରସି ପକ୍ଷରୁ ଏହି ପରୀକ୍ଷା କରାଯିବ। ସେହିପରି ବୁର୍ଲାରେ ଭିମ୍‌ସାର ପକ୍ଷରୁ ଏହି ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୁଇ ହସ୍ପିଟାଲର କର୍ମଚାରୀଙ୍କଠାରେ ଏହି ପରୀକ୍ଷା କରାଯିବ। ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଜଣଙ୍କ ନିକଟରେ ଏହି ପରୀକ୍ଷା କରାଯିବ ତାହା ସ୍ପଷ୍ଟ ହୋଇନାହିଁ।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଟିକାକରଣକୁ ସ୍ବେଚ୍ଛାକୃତ କରାଯାଇ ଥିବା ବେଳେ କାହାରିକୁ ଏଥିପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ତେଣୁ ଯେଉଁମାନେ ସ୍ବେଚ୍ଛାକୃତ ଭାବେ ଆଣ୍ଟିବଡି ପରୀକ୍ଷା ପାଇଁ ରାଜି ହେବ ସେମାନଙ୍କର ନମୁନା ସଂଗ୍ରହ କରାଯିବ। ଏହାର ୧୪ଦିନ ପରେ ଦ୍ବିତୀୟ ଡୋଜ୍ ପାଇଁ ପୁଣିଥରେ ଆଣ୍ଟିବଡି ପରୀକ୍ଷା କରାଯିବ। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୪ଜଣଙ୍କ ଶରୀରରେ ଟିକାକୁ ନେଇ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଜିଲ୍ଲାରେ ଏକାଧିକ ତ ଆଉ କିଛି ଜିଲ୍ଲାରେ ଗୋଟିଏ ହେଲେ ଘଟଣା ନଜରକୁ ଆସି ନ ଥିବା ଡା.ପାଣିଗ୍ରାହୀ କହିଛନ୍ତି।

ରାଜ୍ୟରେ ଆଜି ୧୧୩ଟି ଅଧିବେଶନରେ ପ୍ରଥମ ଡୋଜ୍ ପାଇଁ ୩୪୪୯ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୯୪ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ସେହପରି ଦ୍ବିତୀୟ ଡୋଜ୍ ପାଇଁ ୯୭୮୧ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ୭୬୫୮ଜଣ ଟିକା ନେଇଛନ୍ତି। ଟିକାକରଣ ହାର ୭୮ ପ୍ରତିଶତ ରହିଛି। ଭୁବନେଶ୍ବରରେ ପ୍ରଥମ ଡୋଜ୍‌ର ୩୦ ପ୍ରତିଶତ ଓ ଦ୍ବିତୀୟ ଡୋଜ୍‌ର ୬୯ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୩୨ହଜାର ୬୭୪ ଆଗଧାଡ଼ିର ଯୋଦ୍ଧା ଟିକା ନେଇ ସାରିଛନ୍ତି। ଅପରପକ୍ଷରେ ଆଗଧାଡ଼ିର ଯୋଦ୍ଧାଙ୍କ ପଞ୍ଜୀକରଣର ଶେଷ ତାରିଖ ଆଜି ରହିଥିବା ବେଳେ ସମୁଦାୟ ଆଗଧାଡ଼ିର ଯୋଦ୍ଧାଙ୍କ ସଂଖ୍ୟା ୨ଲକ୍ଷ ୨୦ହଜାର ୫୫୨କୁ ବୃଦ୍ଧି ପାଇଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

The post ଆଜିଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ଆଣ୍ଟିବଡି ପରୀକ୍ଷା: ପ୍ରଥମ ଡୋଜ୍ ପାଇଁ କ୍ୟାପିଟାଲ ହସ୍ପିଟାଲ, ଭିମ୍‌ସାରକୁ ଗୁରୁତ୍ବ first appeared on Sambad.



from ରାଜ୍ୟ – Sambad https://ift.tt/3ubqjXd

Post a Comment

0 Comments