ହାତଛଡ଼ା ହୋଇଯିବ କି କୋଟିଆ?

ଭୁବନେଶ୍ବର : ଓଡ଼ିଶା ମାଟି (କୋଟିଆ)ରେ ଆଜି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ଘଟଣା ଇତିହାସ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା ଉପରେ ଏହା ପ୍ରଚଣ୍ଡ କୁଠାରଘାତ ବୋଲି ବୁଦ୍ଧିଜୀବୀ ମହଲ ମତ ରଖିଛନ୍ତି। କହିଛନ୍ତି ଯେ ରାଜ୍ୟ ସରକାର, ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ନିଜ ଦାୟିତ୍ବ ଓହ୍ଲାଇପାରିବେ ନାହିଁ। ମୁଖ୍ୟଶାସନ ସଚିବ, ପୁଲିସ ଡିଜିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନସ୍ତରର ଅଧିକାରୀମାେନ ଠିକଣା ଭାବେ ଦାୟିତ୍ବ ନିର୍ବାହ କରିଥିଲେ କି ନାହିଁ ତାହା ମଧ୍ୟ ବଡ଼ ଅନୁସନ୍ଧାନକୁ ଅପେକ୍ଷା କରେ। କେବଳ ସେତିକି ନୁହେଁ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ତତ୍ପରତା ନ ଦେଖାଇବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି।

ଷଢ଼େଇକଳା ଓ ଖରସୁଆଁର ଦୁଃଖ ଆଜି ବି ରାଜ୍ୟବାସୀଙ୍କ ମନରେ ତାଜା ହୋଇ ରହିଛି। କେଉଁ ପରିସ୍ଥିତିରେ ଓଡ଼ିଶା ଏହି ଦୁଇ ଅଞ୍ଚଳ ହରାଇଲା, ତାହା ବିତର୍କ ପାଇଁ ସୁଯୋଗ ରଖେ। ଠିକ୍ ଏମିତି ସମୟରେ କୋରାପୁଟ ଜିଲ୍ଲା କୋଟିଆ ଫାଟୁସିନେରୀ ପଞ୍ଚାୟତରେ ଶହ ଶହ ଓଡ଼ିଶା ଭୋଟର ଆନ୍ଧ୍ର ନିର୍ବାଚନ ପାଇଁ ଭୋଟ୍ ଦେଇ ଏହି ପ୍ରସଙ୍ଗକୁ ପୁଣି ତାଜା କରିଦେଇଛନ୍ତି।

ଆନ୍ଧ୍ରସରକାର ଆଜି ହଠାତ୍ ଆସି ନିର୍ବାଚନ କରିଦେଲେ ତାହା ନୁହେଁ। ଗଣମାଧ୍ୟମରେ ଗତ କିଛି ଦିନ ଧରି ବାରମ୍ବାର ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇଛି। ତା ପରେ ବି ଯେଭଳି ତତ୍ପରତା ଦେଖାଯିବା କଥା ତାହା କୌଣସି ସ୍ତରରେ ପରଲକ୍ଷିତ ହେଲା ନାହିଁ ବୋଲି ଅଭିଯୋଗ ଉଠିଲାଣି।

ଜଣେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସ୍ଥାନୀୟ ଅଞ୍ଚଳର ବିକାଶ କାର୍ଯ୍ୟକୁ ସ୍ବତନ୍ତ୍ର ଧ୍ୟାନ ଦେବା ଲାଗି କେବିକେ ପାଇଁ ଜଣେ ବରିଷ୍ଠ ଅଧିରକାରୀଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସତ୍ତ୍ବେ କାହିଁକି ସ୍ଥାନୀୟ ଲୋକେ ଓଡ଼ିଶା ଅପେକ୍ଷା ଆନ୍ଧ୍ରକୁ ଆଖେଇଲେ? ଏହି ଅଧିକାରୀ ଜଣକ କି ଦାୟିତ୍ବ ତୁଲାଉଥିଲେ? ଗୋଟିଏ ସମୟରେ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲାମାନଙ୍କରେ ଓଡ଼ିଆ ଭାଷା ପ୍ରାଞ୍ଜଳ କହିପାରୁଥିବା ଅଧିକାରୀଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଉଥିଲା। ଆଜି ଦିନରେ ସରକାର ଏ ଦିଗକୁ ଆଖିବୁଜି ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଭାଷା ଓ ସେମାନଙ୍କ ସହିତ ପ୍ରଶାସନ ଯୋଡ଼ି ହୋଇନପାରିଲେ, ଯେଉଁ ବିପଦ ଆଶଙ୍କା ହେଉଥିଲା, ତାହା ଏବେ ସାମ୍ନାକୁ ଆସିଲା।

ସଂପୃକ୍ତ ପୂର୍ବତନ ପ୍ରଶାସକମାନଙ୍କର କହିବା କଥା ହେଉଛି ଯେ ଏ ପ୍ରସଙ୍ଗରେ ଆର୍‌ଡିସିଙ୍କର ଭୂମିକା କ’ଣ? ସେ କେତେଥର ସେ ଅଞ୍ଚଳକୁ ଯାଇ ଏଥିରେ ହସ୍ତକ୍ଷେପ କରିଥିଲେ? କାହିଁକି ମୁଖ୍ୟଶାସନ ସଚିବ ଏହି ପ୍ରସଙ୍ଗରେ ତନାଘନା କଲେ ନାହିଁ? କେଉଁ ପରିସ୍ଥିତିରେ ଆନ୍ଧ୍ର ପୁଲିସ ଓଡ଼ିଶା ଭିତରେ ଫୋର୍ସ ସହିତ ପଶିଲା ଓ ନିର୍ବାଚନ କଲା? ଓଡ଼ିଶା ପୁଲିସର କିଛି ବି ଭୂମିକା ନଥିଲା? ଯଦି ବାତ୍ୟା ପୂର୍ବରୁ ପ୍ରଶାସନ କେଇ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଉଦ୍ଧାର କରିପାରୁଛି, ସେହି ପ୍ରଶାସନ କେଇ ଶହ ଲୋକଙ୍କୁ ରୋକିପାରିଲା ନାହିଁ?

ରାଜନୈତିକ ବିଶେଷଜ୍ଞମାନଙ୍କର କହିବା କଥା ହେଲା ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରୁଟିଏ ବି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇନାହାନ୍ତି। ସେପଟେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଅଛନ୍ତି। ସେ ବି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ନାହିଁ। କେନ୍ଦ୍ରରେ ଓଡ଼ିଶାର ଦୁଇ ଜଣ େକନ୍ଦ୍ରମନ୍ତ୍ରୀ ଅଛନ୍ତି। ସେମାନେ ମଧ୍ୟ ଏହି ପ୍ରସଙ୍ଗରେ ନିରବ ରହିଲେ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦଳମତ ନିର୍ବିଶେଷରେ ରାଜନୈତିକ ଦଳ ଏହି ଘଟଣାରେ ଏକାଠି ହୋଇପାରିଲେ ନାହିଁ। ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି-ବିଜେପି-କଂଗ୍ରେସ ଯଦି ସେଠାରେ ଅଡ଼ି ବସିଥାନ୍ତେ, ସମ୍ଭବତଃ ଆଜି ସ୍ଥାନୀୟ ଲୋକଙ୍କ ଉପରେ ଏହାର ଭିନ୍ନ ପଡ଼ିଥାନ୍ତା ବୋଲି ଏହି ମହଲ ମତ ରଖୁଛନ୍ତି।

ପ୍ରକାଶଥାଉକି, ରାଜ୍ୟ ସରକାର ଶେଷ ମୁହୂର୍ତରେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ମାମଲା କରିଥିଲେ। ଯେଉଁଥିରେ କୋର୍ଟ ନିର୍ବାଚନ ପ୍ରକ୍ରିୟା ବନ୍ଦ କରିବା ପାଇଁ କୌଣସି ନିର୍ଦେଶ ଦେଇନଥିଲେ। କୋର୍ଟ ଆନ୍ଧ୍ରପ୍ରଦେଶର ମତ ମାଗିଛନ୍ତି, ଯାହା ଉପରେ ପରବର୍ତୀ ଶୁଣାଣି ହୋଇପାରେ।

The post ହାତଛଡ଼ା ହୋଇଯିବ କି କୋଟିଆ? first appeared on Sambad.



from ରାଜ୍ୟ – Sambad https://ift.tt/37ckaA9

Post a Comment

0 Comments