
ଆଠମଲ୍ଲିକ, (ଶ୍ରୀକାନ୍ତ ମିଶ୍ର): ଛାତଘର ଗାଁକୁ ବିପଦ। ଘରେ ଛାତ ପଡିଲେ ଠାକୁରାଣୀ ରାଗିବେ। ଗାଁରେ ଅନିଷ୍ଟ ହେବ। ଏମିତି ଏକ ଅନ୍ଧବିଶ୍ବାସରେ ଆବାହମାନ କାଳରୁ ବୁଡି ରହିଥିବା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗାଁରେ ଆଜି ପ୍ରଥମଥର ଲାଗି ଛାତଘର ନିର୍ମାଣ ହୋଇଛି। ପ୍ରଶାସନ ସହଯୋଗରେ କୋଠଘର ଛାତ ପକାଯାଇଛି। ଏଥିରେ ଗାଁ ଲୋକେ ସହଯୋଗ କରିଥିଲାବେଳେ ଆଗକୁ ଏହି ଗାଁରେ ବିଭିନ୍ନ ସରକାରୀ ଯୋଜନାରେ ଛାତଘର ନିର୍ମାଣ କରିବାର ବାଟ ଫିଟିଛି।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗ୍ରାମପଞ୍ଚାୟତର ବେଲାଦୁଲା ଗାଁରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଛାତ ଘର ନ ଥିଲା। ଘରେ ଛାତ ପକାଇଲେ ଗାଁକୁ ବିପଦ ବୋଲି ଶହଶହ ବର୍ଷ ଧରି ଏକ ଅନ୍ଧବିଶ୍ୱାସ ରହି ଆସିଛି। କନ୍ଧପଡ଼ା ନାଳ ଓ ମହାନଦୀର ମିଶ୍ରଣ ସ୍ଥଳରେ ଥିବା ମା ମାଉଳି ଠାକୁରାଣୀଙ୍କ ଭୟରେ ବେଲାଦୁଲାର ବଡ଼ସାହି, ସାନସାହି ଓ ସୁଦସାହିର ଲୋକମାନେ ଘରେ ଛାତ ପକାଉ ନ ଥିଲେ। ଏପରିକି କୌଣସି ସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, କୋଠଘର, ଆବାସ ଗୃହର ମଧ୍ୟ ଛାତ ପଡି ପାରୁ ନ ଥିଲା। ଫଳରେ ସମସ୍ତ ସରକାରୀ ଯୋଜନାରୁ ଗ୍ରାମବାସୀ ବାଦ ପଡୁଥିଲେ l ଗ୍ରାମବାସୀଙ୍କ ମନରୁ ଏଭଳି ଅନ୍ଧବିଶ୍ୱାସ ହଟାଇବା ପାଇଁ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ବହୁବାର ଗାଁକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିଥିଲେ l ଶେଷରେ କନ୍ଧପଡ଼ା ପଞ୍ଚାୟତ ଅନୁଦାନ ଅର୍ଥରୁ ବେଲାଦୁଲା ଗାଁର ବଡ଼ସାହିରେ ଏକ କୋଠଘର ନିର୍ମାଣ ପାଇଁ ଗ୍ରାମବାସୀଙ୍କୁ ରାଜି କରାଇଥିଲେ। ୩ ଲକ୍ଷ ଟଙ୍କାରେ ଏହି ଘର ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଆଉ ଆଜି ଗାଁରେ ଗ୍ରାମବାସୀଙ୍କ ସହଯୋଗରେ କୋଠଘର ଛାତ ପକାଯାଇଛି। ଗ୍ରାମବାସୀ ଏକାଠି ହୋଇ ଗାଁରେ ପୂଜାପାଠ କରିବା ପରେ ଏହି ଛାତପକା କାମ ଆରମ୍ଭ ହୋଇଥିଲା। ବୌଦ୍ଧ ଜିଲ୍ଲା ରାମଗଡ଼ କୋଇଲିସୁତା ମହିମା ଟୁଙ୍ଗି ଆଶ୍ରମର ସାଧୁ ନିରଞ୍ଜନ ଦାଶ, ଭକ୍ତ ଦୟାସାଗର ମେହେର, ସୁଧାଂଶୁ ଗୁରାଣ୍ଡି, ସୁନୀଲ କୁମାର ବେହେରା, ଅଖିଳ ଗିରି, କପିଳ ମେହେର ଓ ଡିଙ୍ଗିର ବେହେରା ପୂଜାର୍ଚ୍ଚନା କରିଥିଲେ l ବିଡିଓ ଶ୍ରୀ ଆଚାର୍ଯ୍ୟ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ଛାତପକା କାର୍ଯ୍ୟ ତଦାରଖ କରିଥିଲେ। ଗ୍ରାମ ଗୋଷ୍ଠୀ ସହାୟିକା ସୁନିତା ମେହେରଙ୍କ ନେତୃତ୍ୱରେ ଗାଁର ମହିଳାମାନେ ସିମେଣ୍ଟ କଂକ୍ରିଟ ମୁଣ୍ଡରେ ବୋହି ଛାତ ଉପରକୁ ନେଉଥିବା ଦେଖାଯାଇଥିଲା। ଏହି ବେଲାଦୁଲା ଗାଁର ୯୦ ବର୍ଷୀୟ ଧରଣୀ ମେହେର କହନ୍ତି ଯେ କେବଳ ଚାଳ କୁଡ଼ିଆକୁ ନେଇ ଏହି ଗାଁ ବସ୍ତି ବସିଥିଲା। ସେଦିନୁ ମା ମାଉଳିଙ୍କ ଭୟରେ କେହି ପକ୍କାଘର ନିର୍ମାଣ କରୁନଥିଲେ l ପ୍ରଶାସନ ପକ୍ଷରୁ ଗାଁରେ ଆଜି କୋଠଘର ଛାତ ପଡୁଥିବାରୁ ଖୁସି ଲାଗୁଛି ବୋଲି ସେ କହିଛନ୍ତି। ଗାଁର ୮୫ ବର୍ଷ ବୟସ୍କ ଖଗେଶ୍ୱର ମେହେର କହିଛନ୍ତି, ଗାଁରେ ଯିଏ ଛାତ ଘର ନିର୍ମାଣ କରିବ, ତାର ମୃତ୍ୟୁ ହେବ ବୋଲି ଅନ୍ଧବିଶ୍ୱାସ ରହିଥିଲା। ଆଜି ଗାଁକୁ ଏହି ଅନ୍ଧବିଶ୍ୱାସରୁ ପ୍ରଶାସନ ମୁକ୍ତ କରିଛି।
ଗାଁରେ ଛାତ ଘର ନିର୍ମାଣ ଆରମ୍ଭ ହେବା ପରେ ଏବେ ବିଭିନ୍ନ ସରକାରୀ ଯୋଜନାରେ ଏଠାରେ ଘର ନିର୍ମାଣର ଆଶା ସଂଚାର ହୋଇଛି।
The post ଅନ୍ଧବିଶ୍ୱାସର ଅନ୍ତ : ବେଲାଦୁଲା ଦେଖିଲା ଛାତ ଘର first appeared on Sambad.
from ରାଜ୍ୟ – Sambad https://ift.tt/3tKO5cs
0 Comments