ଜେଲ୍‌ ଅନ୍ତେବାସୀଙ୍କ ପାଇଁ ଖୁସି ଖବର, ୧୦ ମାସ ପରେ ହେବ ମୁଲାକାତ୍

ଭୁବନେଶ୍ବର: ଜେଲ୍ ଅନ୍ତେବାସୀ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୦ ମାସ ପ୍ରତୀକ୍ଷାର ଅନ୍ତ ଘଟିବ। ସିଧାସଳଖ ମୁଲାକାତ୍ ପାଇଁ ଜେଲ ନିର୍ଦେଶାଳୟକୁ ରାଜ୍ୟ ସରକାର ଆଜି ଅନୁମତି ପ୍ରଦାନ କରିଛନ୍ତି। ଖୁବଶୀଘ୍ର ମୁଲାକାତ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ହାର କମୁଥିବା ବେଳେ ଟିକାକରଣ ଆରମ୍ଭ ହୋଇ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, କୋଭିଡ୍ କଟକଣା ଲାଗୁ ହେବା ପରେ ଗତ ଏପ୍ରିଲ ମାସରେ ଇ-ମୁଲାକାତ୍ ଆରମ୍ଭ ହୋଇଥିଲା। ଭିଡିଓ କଲ୍ ମାଧ୍ୟମରେ ଏହି ମୁଲାକାତ ଚାଲିଥିଲା। ଦୁର୍ବଳ ଇଣ୍ଟରନେଟ୍ ଯୋଗୁଁ ଏହି ମୁଲାକାତ୍ ସଫଳ ହୋଇ ପାରି ନ ଥିଲା। କରୋନା ସଂକ୍ରମଣ ବଢ଼ିବା ପରେ ଏହି ଇ-ମୁଲାକାତ୍ ବନ୍ଦ ହୋଇ ଯାଇଥିଲା। ଫଳରେ ଅନ୍ତେବାସୀ ଓ ସେମାନଙ୍କ ପରିବାର ଲୋକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୮୫ ଜେଲ୍‌ରୁ ୪୪ ଜେଲ୍‌ରେ ସଂକ୍ରମଣ ବ୍ୟାପିଥିଲା। ୧୭ ହଜାର ୪୭୯ କଏଦୀଙ୍କ ଭିତରୁ ୧୫୯୧ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩୧୯ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର ଜୀବନ ଯାଇଛି। ଏବେ ରାଜ୍ୟର ବିଭିନ୍ନ ଜେଲ୍‌ରେ ୧୮ ହଜାର ୯୮୦ କଏଦୀ ଅଛନ୍ତି।

The post ଜେଲ୍‌ ଅନ୍ତେବାସୀଙ୍କ ପାଇଁ ଖୁସି ଖବର, ୧୦ ମାସ ପରେ ହେବ ମୁଲାକାତ୍ first appeared on Sambad.



from ରାଜ୍ୟ – Sambad https://ift.tt/3aO6Enq

Post a Comment

0 Comments