
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ଜୀବନରେଖା ଲୋୟର ସୁକତେଲ। ଦୁଇ ଦଶନ୍ଧି ଧରି ଏହାକୁ ନେଇ ଚର୍ଚ୍ଚା। କେତେବେଳେ ଆଶା, ତ ଆଉ କେତେବେଳେ ଆଶଙ୍କା। ସ୍ପିଲ୍ୱେର ୭୦ ପ୍ରତିଶତ କାମ ସରିଯାଇଥିଲେ ବି ଆଶଙ୍କାରେ ଥିଲା ଲୋୟର ସୁକତେଲ। ଜିଲ୍ଲା ପ୍ରଶାସନର ତତ୍ପରତା ଯୋଗୁଁ ଏବେ ଆରମ୍ଭ ହୋଇଛି ରାସ୍ତା କାମ। ଏଥିସହ ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଜଳସଂପଦ ସଚିବ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି। ଫଳରେ ଏହି ପ୍ରକଳ୍ପକୁ ନେଇ ଆଶା ତେଜିୟାନ ହୋଇଛି।
ଆଜି ନୃସିଂହନାଥ ଓ ହରିଶଂକର ପୀଠରେ ଦର୍ଶନ ଓ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣ ଲୋୟର ସୁକତେଲ ପ୍ରକଳ୍ପ ସ୍ଥଳକୁ ଅପରାହ୍ନରେ ପହଞ୍ଚିଥିଲେ। କାର୍ଯ୍ୟ କେତେଦୂର ସମାପ୍ତ ହୋଇଛି ଓ କଣ ସବୁ ସମସ୍ୟା ରହିଛି ତାହାକୁ ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଆର୍ଆର ଡାଇରେକ୍ଟର, ଜିଲ୍ଲାପାଳ ଚଞ୍ଚଳ ରାଣା, ଲୋୟର ସୁକତେଲ କାର୍ଯ୍ୟାଳୟର ସିସିଙ୍କଠାରୁ ନେଇ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏସ୍ପି ନିତିନ କୁଶଲକର ବି ଉପସ୍ଥିତ ଥିଲେ। ଆଲୋଚନା ଓ କାମର ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଲୋୟର ସୁକତେଲ କାମକୁ ନେଇ ହାଇଲେବୁଲ ଟିମ୍ ସମୀକ୍ଷା କରିଛନ୍ତି। ଖୁବ୍ ଶୀଘ୍ର କାମ କେମିତି ଆରମ୍ଭ ହେବ ସେ ନେଇ ଉଦ୍ୟମ କରାଯାଉଛି। ବିସ୍ଥାପିତମାନଙ୍କ ସମସ୍ୟା ନେଇ ଗାଁକୁ ଯାଇ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ସେମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଥିବା ଶ୍ରୀ ମହାପାତ୍ର କହିଛନ୍ତି। ତେବେ ଏକ୍ସଗ୍ରେସିଆ ଉପରେ ସେ କିଛି ପ୍ରତିକ୍ରିୟା ରଖିନାହାନ୍ତି। ଅନ୍ୟପଟେ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପ୍ରକଳ୍ପ କାମକୁ ସଂପୂର୍ଣ୍ଣ କରାଯିବ। ୨୦୨୩ ଯାଏ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ପ୍ରୟାସ ଚାଲିଛି। ଏକ୍ସଗ୍ରେସିଆ ପ୍ୟାକେଜ୍ କଣ ରହିବ ତାହା ଆଗାମୀ ଦିନରେ ସରକାର ଘୋଷଣା କରିବେ ବୋଲି ସେ କହିଛନ୍ତି। ଦିନ ୩ଟା ୩୦ରୁ ପ୍ରାୟ ଅଧ ଘଣ୍ଟା କାଳ ସମୀକ୍ଷା ପରେ ସଚିବମାନେ ଫେରିଥିଲେ।
ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କିଛି ଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ଲୋୟର ସୁକତେଲ ପ୍ରକଳ୍ପର ଅଗ୍ରଗତି ନେଇ ସବିଶେଷ ସମୀକ୍ଷା କରିଥିଲେ।
The post ଗ୍ରାଉଣ୍ଡ ଜିରୋରେ ଟପ୍ ଅଧିକାରୀ : ଲୋୟର ସୁକତେଲ କାମ ଶୀଘ୍ର: ମୁଖ୍ୟ ସଚିବ first appeared on Sambad.
from ରାଜ୍ୟ – Sambad https://ift.tt/2MPVaaT
0 Comments