
୩୦ ହଜାର କେନ୍ଦ୍ରରେ ଦିଆଯିବ ଟିକା
ସରକାରୀ ଡାକ୍ତରଖାନାରେ ମାଗଣା
ଘରୋଇ କେନ୍ଦ୍ରରେ ଶୁଳ୍କ ପଡ଼ିବ
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ପହିଲାରୁ ଦେଶର ବରିଷ୍ଠ ନାଗରିକ(୬୦ ବର୍ଷରୁ ଅଧିକ) ଏବଂ ଗୁରୁତର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ମିଳିବ। ଏହି ସୁବିଧା ଉଭୟ ସରକାରୀ ଟିକା ପ୍ରଦାନ କେନ୍ଦ୍ର ଓ ଘରୋଇ ଡାକ୍ତରଖାନାମାନଙ୍କରେ ଉପଲବ୍ଧ ହେବ। ଏଥିପାଇଁ ଦେଶରେ ୩୦ ହଜାରରୁ ଅଧିକ କେନ୍ଦ୍ର ଖୋଲିବ। ସେଥିରୁ ୧୦ ହଜାର ସରକାରୀ କେନ୍ଦ୍ର ହୋଇଥିବା ବେଳେ ୨୦ ହଜାର ଘରୋଇ କେନ୍ଦ୍ର ରହିବ। ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବାକୁ ଥିବା ବେଳେ ଘରୋଇ ଡାକ୍ତରଖାନାରେ ଟିକା ନେଲେ ହିତାଧିକାରୀଙ୍କୁ ଟିକାର ମୂଲ୍ୟ ଦେବାକୁ ପଡ଼ିବ। ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀମାନଙ୍କୁ ଟିକା ନେବା ପାଇଁ କୌଣସି ଗୁରୁତର ରୋଗରେ ପୀଡ଼ିତ ଥିବା ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଏହି ସୂଚନା ଦେଇ କହିଛନ୍ତି ଯେ ବେସରକାରୀ ବା ଘରୋଇ କେନ୍ଦ୍ରରେ ଜଣେ ହିତାଧିକାରୀଙ୍କୁ ଟିକା ନେବା ପାଇଁ କେତେ ମୂଲ୍ୟ ଦେବାକୁ ହେବ ତାହା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ତିନି ଚାରି ଦିନ ଭିତରେ ନିର୍ଦ୍ଧାରିତ ହେବ। ଟିକା ନିର୍ମାତା ଏବଂ ଡାକ୍ତରଖାନା ଗୁଡ଼ିକ ସହ ଆଲୋଚନା କରାଯାଇ ଏହା ସ୍ଥିର ହେବ।
ସୂଚନାଯୋଗ୍ୟ ଯେ ଗତ ମାସ ୧୬ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ପ୍ରଥମ ଦଫା ଟିକାକରଣରେ ସ୍ବାସ୍ଥ୍ୟକର୍ମୀମାନେ ସାମିଲ ହୋଇଥିଲେ। ସେହିପରି ଦ୍ବିତୀୟ ଦଫାରେ ସୁରକ୍ଷା କର୍ମୀ ଓ ସ୍ବେଚ୍ଛାସେବୀଙ୍କ ପରି ସମ୍ମୁଖ ଭାଗ କୋଭିଡ୍ ଯୋଦ୍ଧାମାନେ ଉପକୃତ ହୋଇଥିଲେ। ତେବେ ଏହି ତୃତୀୟ ଦଫା ପାଇଁ ସରକାର ପ୍ରଥମେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପରେ ତାହାକୁ ୬୦ ବର୍ଷ କରିଛନ୍ତି। ଅପରପକ୍ଷେ ସମ୍ପ୍ରତି କୋଭିସିଲ୍ଡ ଓ କୋଭାକ୍ସିନ୍ ପରି ଦୁଇଟି ଟିକାର ଉପଯୋଗ ପାଇଁ ଅନୁମତି ମିଳିଥିବା ବେଳେ ହିତାଧିକାରୀମାନେ ନିଜ ପସନ୍ଦର ଟିକା ନେଇପାରିବେ କି ନାହିଁ ତାହା ସରକାର ସ୍ପଷ୍ଟ କରିନାହାନ୍ତି। ତେବେ ଉପରୋକ୍ତ ବର୍ଗରେ ଆସୁଥିବା କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସରକାରୀ ଓ ଘରୋଇ କେନ୍ଦ୍ରରେ ଟିକା ନେଇପାରିବେ କି ବୋଲି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଥିଲେ ଯେଉଁମାନେ ଚାହିବେ ସେମାନେ ନେଇପାରିବେ। ତେବେ ଅଧିକାଂଶ ମନ୍ତ୍ରୀ ଅର୍ଥ ପ୍ରଦାନ କରି ଟିକା ନେବେ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ।
ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ପଞ୍ଜାବ ଭଳି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବା ସମୟରେ କେନ୍ଦ୍ର ସରକାର ଏହି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଟିକାକରଣ ଆଜି ଘୋଷଣା କରିଛନ୍ତି। ଏଥିସହିତ ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ଼ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ସ୍ବାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କରୋନା ଯୋଦ୍ଧାମାନଙ୍କ ଟିକାକରଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
The post ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା first appeared on Sambad.
from ରାଜ୍ୟ – Sambad https://ift.tt/3uxMhEi
0 Comments