କଟାମୁଣ୍ଡ ରହସ୍ୟ ଉପରୁ ପରଦା ଉଠିଲା : ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା

ଦଶପଲ୍ଲାରୁ ଧରାପଡ଼ିଲେ ହତ୍ୟାକାରୀ ଓ ସହଯୋଗୀ
୭ ଦିନ ପରେ ଜଙ୍ଗଲରୁ ମିଳିଲା କଟାମୁଣ୍ଡ
ତଣ୍ଟିଚିପି ମାରିବା ପରେ ସାଙ୍ଗ ସହ ମିଶି ମୁଣ୍ଡ କାଟିଥିଲା

ଭୁବନେଶ୍ବର : ପ୍ରାୟ ସପ୍ତାହେ ହେଲା କମିସନରେଟ୍‌ ପୁଲିସର ନିଦ ହଜାଇଥିବା ଚାଞ୍ଚଲ୍ୟକର କଟାମୁଣ୍ଡ ରହସ୍ୟ ଉପରୁ ଆଜି ପରଦା ଉଠିଛି। ଚନ୍ଦକା ଜଂଗଲରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମହିଳାଙ୍କ ଶବର ପରିଚୟ ମିଳିବା ସହ ହତ୍ୟାକାରୀ ପ୍ରେମିକ ଓ ତା’ର ସହଯୋଗୀ ଧରାପଡ଼ିଛି। ଶବ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୨ କିଲୋମିଟର ଦୂର ଚନ୍ଦକା ଜଙ୍ଗଲ କଡ଼ ହାତୀ ଟ୍ରେଞ୍ଚ୍‌ ଭିତରୁ କଟାମୁଣ୍ଡଟିକୁ ଜବତ ମଧ୍ୟ କରାଯାଇଛି। ଫଳରେ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ କମିସନରେଟ୍‌ ପୁଲିସ୍‌କୁ ଏକ ବଡ଼ଧରଣର ସଫଳତା ମିଳିଛି।

ମୃତ ମହିଳା ହେଉଛନ୍ତି ମଞ୍ଚେଶ୍ବର ଥାନା ଅଞ୍ଚଳ ଧିରକୁଟି ବସ୍ତିର ମିନତି ପାତ୍ରଙ୍କ ଝିଅ ପୁଷ୍ପଲତା ରାଉଳ(୨୮)। ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ହୁମା ଅଞ୍ଚଳର ଅଙ୍ଗଦ ଦାସ ଓରଫ୍‌ ସଂଜୟ ଓ ତା’ର ସାଙ୍ଗ ଶ୍ରୀକାନ୍ତ ଦାସଙ୍କୁ ଦଶପଲ୍ଲାରୁ ସ୍ପେଶାଲ ସ୍କ୍ବାଡ୍‌ ପୁଲିସ ଆଣିବା ପରେ ଚନ୍ଦକା ଥାନା ପୁଲିସ ଗିରଫ କରିଛି। ପୁଷ୍ପଲତାଙ୍କୁ ପ୍ରଥମେ ଓଢ଼ଣିରେ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡ କାଟି ନେଇଥିବା ସ୍ବୀକାର କରିଛି ଅଙ୍ଗଦ। ପ୍ରେମିକ ଅଙ୍ଗଦ ହେଉଛି ପୁଷ୍ପଲତାଙ୍କ ସମ୍ପର୍କୀୟ ଦିଅର। ପୁଷ୍ପଲତା ଅଙ୍ଗଦ ସହ ଦୀର୍ଘ ଦିନ ଧରି ଲିଭ୍‌-ଇନ୍‌ରେ ରହିବା ପରେ ଅନ୍ୟ ଜଣକୁ ବିବାହ କରିବା ଏବଂ ସ୍ବାମୀଙ୍କୁ ଛାଡ଼ି ପୁଣି ‌ପ୍ରେମିକଙ୍କ ପାଖକୁ ଫେରିଆସିବା ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟକୁ ନେଇ ଅଙ୍ଗଦ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ବୀକାର କରିଛି। ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଏବଂ ହତ୍ୟା ପଛରେ ଥିବା ଆଉ କିଛି ରହସ୍ୟର ଉନ୍ମୋଚନ କର‌ିବାକୁ ପୁଲିସ ଯୋଜନା କରିଛି।

୨୦୧୩ ମସିହାରେ ପୁଷ୍ପଲତା ଗଞ୍ଜାମର ଶରତ ରାଉଳ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର ମାତ୍ର ଦୁଇବର୍ଷ ମଧ୍ୟରେ ଶରତଙ୍କର ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‌ ଯୋଗୁଁ ମୃତ୍ୟୁ ହୋଇ ଯାଇଥିଲା। ସେତେବେଳେ ପୁଷ୍ପଲତା ଗର୍ଭବତୀ ଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ପୁଷ୍ପଲତା ବାପଘରକୁ ଚାଲି ଆସିଥିଲେ ଏବଂ ପଥରଗାଡ଼ିଆ ବସ୍ତିରେ ତାଙ୍କ ମା’ ମିନତିଙ୍କ ସହ ରହିଲେ।

ହେଲେ ପୁଷ୍ପଲତା ଆସିବା ପରେ ସେମାନେ ଧିରକୁଟି ବସ୍ତିରେ ଏକ ଘର ତିଆରି କରି ସେଠାରେ ରହିବାକୁ ଚାଲି ଆସିଥିଲେ। ସେଠାରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ମିନତିଙ୍କ ଏହି ଘରେ ସଂପର୍କୀୟ ଦିଅର ଅଙ୍ଗଦ ଦାସ ଭଡ଼ାରେ ରହୁଥିଲା। ଭଡ଼ାରେ ରହିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ବୈଦିକ ରୀତିରେ ବିବାହ ହୋଇନଥିଲେ ମଧ୍ୟ ଉଭୟ ଏକାଠି ରହିବା ଆରମ୍ଭ କରିଥିଲେ। ସବୁ ଠିକ୍‌ଠାକ୍ ଚାଲିଥିଲା। ଅଙ୍ଗଦ ନିଜ ଗାଡ଼ି (ବୋଲେରା) ଚଲାଉଥିଲେ ଏବଂ ଭଲ ରୋଜଗାର ହେଉଥିବାରୁ ଘର ଚଳୁଥିଲା।

ହେଲେ ପ୍ରାୟ ୫ ବର୍ଷ କାଳ ଅଙ୍ଗଦଙ୍କ ସହ ସ୍ତ୍ରୀ ଭଳି ରହିବା ପରେ ହଠାତ୍‌ ଗତବର୍ଷ ଡିସେମ୍ବର ୨୪ ତାରିଖରେ ଆମ୍‌ଫୋଇ ଜରିଆରେ ପୁଷ୍ପଲତା ଭଦ୍ରକର ପ୍ରୀତିରଞ୍ଜନ ପତି ନ‌ାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହା ଶୁଣିବା ପରେ ଅଙ୍ଗଦଙ୍କ ମୁଣ୍ଡ ଗରମ ହୋଇଯାଇଥିଲା। ସେ ପୁଷ୍ପଲତାଙ୍କ ଭଡ଼ାଘର ଛାଡ଼ି ପାତ୍ରପଡ଼ାରେ ଥିବା ଫୁଲେଶ୍ବରୀ ବସ୍ତିରେ ଥିବା ନିଜର ଏକ ଝୁମ୍ପୁଡ଼ି ଘରେ ରହିବାକୁ ଚାଲି ଯାଇଥିଲେ। ଏଣେ ବିବାହର ୫ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୨୯ ତାରିଖରେ ପୁଷ୍ପଲତା ସ୍ବାମୀ ପ୍ରୀତିରଞ୍ଜନଙ୍କୁ ଧରି ନିଜ ମା’ଙ୍କ ପାଖକୁ ଚାଲି ଆସିଥିଲେ। କିନ୍ତୁ ପୁଷ୍ପଲତା ଓ ପ୍ରୀତିରଞ୍ଜନଙ୍କ ସଂପର୍କ ବେଶି ଦିନ ତିଷ୍ଠି ନ ଥିଲା। ସେମାନଙ୍କ ସଂପର୍କ ଯୋଡ଼ିବା ପୂର୍ବରୁ ପୁଷ୍ପଲତା ପୁଣିଥରେ ଅଙ୍ଗଦ ସହ ପୁଣି ସମ୍ପର୍କ ବଢ଼ାଇଥିଲେ। କିଛି ଦିନ ପରେ ପୁଷ୍ପଲତା ନିଜର ଛୋଟ ଝିଅକୁ ମା’ ମିନତିଙ୍କ ପାଖରେ ଛାଡ଼ି ଅଙ୍ଗଦଙ୍କ ପାଖକୁ ଫୁଲେଶ୍ବରୀ ବସ୍ତିକୁ ଚାଲି ଆସିଥିଲେ। ଏଠାରେ ମାସେ ରହିବା ପରେ ଭରତପୁରର ତାରିଣୀ ବସ୍ତିରେ ଆଉ ଏକ ଘର କରି ଦୁହେଁ ସେଠାକୁ ଚାଲି ଯାଇଥିଲେ ଏବଂ ଫୁଲେଶ୍ବରୀ ବସ୍ତିରେ ଥିବା ଘରକୁ ଭଡ଼ା ଦେଇ ଦେଇଥିଲେ।

ଏତିକିରେ କ‌ାହାଣୀ ସରି ନ ଥିଲା। ଏକ ତ୍ରିକୋଣୀୟ ସଂପର୍କର ଅଡ଼ୁଆ ସୂତାରେ ପୁଷ୍ପଲତା ନିଜକୁ ଏମିତି ଛନ୍ଦାଇ ଦେଇଥିଲେ ଯେ ପରେ ତାହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଅନ୍ୟ ଜଣକୁ ବାହା ହୋଇ ତ‌ାଙ୍କ ପାଖକୁ ଫେରି ଆସିଥିବା ପୁଷ୍ପଲତାଙ୍କୁ ଅଙ୍ଗଦ ଗ୍ରହଣ କରି ନେଇଥିଲେ ହେଁ, ସେ ପୁଣିଥରେ ପ୍ରୀତିରଞ୍ଜନଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଅଙ୍ଗଦଙ୍କ ବାରଣ ସତ୍ତ୍ବେ ବାରମ୍ବାର ପ୍ରୀତିରଞ୍ଜନ ସହ ସଂପର୍କ ରଖିଥିଲେ।

ଏହା ହିଁ ଅଙ୍ଗଦ-ପୁଷ୍ପଲତାଙ୍କ ସମ୍ପର୍କରେ ତିକ୍ତତା ଭରି ଦେଇଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା ଏବଂ ଅନେକ ଥର ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଦୁହେଁ ଚରମ ଅଶାନ୍ତି ମଧ୍ୟରେ ରହୁଥିଲେ। ଗତ ୩ ତାରିଖ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଅଙ୍ଗଦ ପୁଷ୍ପଲତାଙ୍କ ତଣ୍ଟିକୁ ଓଢ଼ଣି‌ରେ ଭିଡ଼ି ହତ୍ୟା କରିଥିଲା। ତେବେ ପୁଷ୍ପଲତା ମରିଯିବା ପରେ ତା’ ମୁଣ୍ଡକୁ ବୁଦ୍ଧିବାଟ ଦିଶିନଥିଲା। ଫୁଲେଶ୍ବରୀ ବସ୍ତିରେ ଅଙ୍ଗଦର ପୁରୁଣା ଘରେ ଭଡ଼ାରେ ରହୁଥିବା ତା‌’ର ସାଙ୍ଗ ଶ୍ରୀକାନ୍ତ ଦାସର ସହାୟତା ଲୋଡ଼ିଥିଲା। ରାଜମିସ୍ତ୍ରି ଭାବେ କାମ କରୁଥିବା ଶ୍ରୀକାନ୍ତ ସାଙ୍ଗର ଅନୁରୋଧ ଏଡ଼ି ପାରି ନ ଥିଲା। ସେ ଅଙ୍ଗଦର ଘରକୁ ଆସିଥିଲା ଏବଂ ବିଳମ୍ବିତ ରାତିରେ ଦୁହେଁ ଚନ୍ଦକା ଜଂଗଲରେ ଶବ ଫିଙ୍ଗିବା ପାଇଁ ଦୁହେଁ ନିଷ୍ପତ୍ତି ନେଇଥିଲେ। କେବଳ ସେତିକି ନୁହେଁ, ପୁଲିସ ଯେମିତି ଶବର ପରିଚୟ ଜାଣିପାରିବ ନାହିଁ, ସେଥିପାଇଁ ସେମାନେ ଶବର ମୁଣ୍ଡ ଗଣ୍ଡି ଅଲଗା କରି ଅଲଗା ଅଲଗା ଜାଗାରେ ଫିଙ୍ଗିବାକୁ ଯୋଜନା କରିଥି‌ଲେ। ତେଣୁ ଶବକୁ ଘରେ ରଖି ସେମାନେ ତାଲା ପକାଇ ଚାଲି ଯାଇଥିଲେ ଏବଂ ଆଇଗିଣିଆ ବଜାରରୁ ଏକ ଛୁରି କିଣିଥିଲେ। ରାତି ପ୍ରାୟ ୧୨ଟା ବେଳେ ସେମାନେ ବୋଲେରୋରେ ପୁଷ୍ପଲତାର ଶବକୁ ନେଇ ଚନ୍ଦକା ଜଙ୍ଗଲକୁ ନେଇଥିଲେ। ସେଠାରେ ଯୋଜନା ମୁତାବକ ମୁଣ୍ଡ କାଟିବା ପରେ ପ୍ରଥମେ କବନ୍ଧଟିକୁ ଚନ୍ଦକା-ଦାସପୁର ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ ଏବଂ ସେଠାରୁ ପ୍ରାୟ ଦୁଇ କିମି ଦୂର ଭରତପୁର ସରସ୍ବତୀ ଶିଶୁ ମନ୍ଦିର ସାମ୍ନା ହାତୀ ଟ୍ରେଞ୍ଚ୍‌ ନିକଟରେ କଟାମୁଣ୍ଡ ଫିଙ୍ଗିଥିଲେ। ଘରେ କୌଣସି ପ୍ରମାଣ ନ ରଖିବା ପାଇଁ ପୁଷ୍ପଲତାଙ୍କର ସମସ୍ତ ପୋଷାକପତ୍ର ଶବ ପାଖରେ ଫିଙ୍ଗି ଦେଇଥିଲେ। ସେଠାରୁ ସେମାନେ ସିଧା ଦଶପଲ୍ଲା ପଳାଇଥିଲେ।

୪ ତାରିଖ ସକାଳେ ମୁଣ୍ଡ ବିହୀନ ମହିଳାଙ୍କ ଶବ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମହିଳାଙ୍କ କଟା ମୁଣ୍ଡ ଏବଂ ପରିଚୟ ନ ମିଳିବାରୁ ପୁଲିସର ଅକଲ ଗୁଡ଼ୁମ୍‌ ହୋଇ ଯାଇଥିଲା। ତେବେ ଏହି ମାମଲାକୁ କମିସନରେଟ୍ ପୁଲିସ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିଲା। ଶବର ପରିଚୟ ଜାଣିବା ଲାଗି ମହିଳାଙ୍କ ଶବ ଓ ପୋଷାକପତ୍ର ଥିବା ପୋଷ୍ଟର ତିଆରି କରି ବିଭିନ୍ନ ସ୍ଥାନରେ ମରାଯାଇଥିଲା। ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଫରେନସିକ ଟିମ୍ ଏବଂ ସନ୍ଧାନୀ କୁକୁର ଜରିଆରେ ତଦନ୍ତ ହେଉଥିଲା ଏବଂ ହତ୍ୟାକାରୀକୁ ଧରିବା ଲାଗି ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ ହୋଇଥିଲା। ଏହି ପୋଷ୍ଟର ଲାଗିବା ପରେ ମହିଳାଙ୍କ ଦେହରେ ତ୍ରିଶୂଳ ଟାଟୁ ଥିବା ଜାଣି ପୁଷ୍ପଲତାଙ୍କ ସ୍ବାମୀ ପ୍ରୀତିରଞ୍ଜନଙ୍କର ସନ୍ଦେହ ହୋଇଥିଲା। ଏଣୁ ସେ ପୁଷ୍ପଲତାଙ୍କର ମା’ଙ୍କୁ ଏ ବାବଦରେ କହିଥିଲେ। ମା’ ମିନତି ପ୍ରଥମେ ପୁଲିସ ନିକଟରୁ ଆସିବାକୁ ସାହସ କରୁ ନ ଥିଲେ। ତେବେ ପାଖପଡ଼ୋଶୀଙ୍କ ପରାମର୍ଶ କ୍ରମେ ଡିସିପିଙ୍କୁ ଅବଗତ କରାଇଥିଲେ। ଏହାପରେ ଗତକାଲି ରାତିରେ ସ୍ପେସାଲ ସ୍କ୍ବାଡ୍ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଦଶପଲ୍ଲାରୁ ଗିରଫ କରି ଭୁବନେଶ୍ବର ନେଇ ଆସିଥିଲା। ସେମାନେ ପୁଲିସ ଆଗରେ ସବୁ ମାନି ଯାଇଥିଲେ।

The post କଟାମୁଣ୍ଡ ରହସ୍ୟ ଉପରୁ ପରଦା ଉଠିଲା : ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା first appeared on Sambad.



from ରାଜ୍ୟ – Sambad https://ift.tt/3d1MGIE

Post a Comment

0 Comments