
କଟକ : ଉତ୍କଳ ବିଶ୍ବବିଦ୍ୟାଳୟର ୟୁନିଭରସିଟି ଡିପିାର୍ଟମେଣ୍ଟ ଅଫ୍ ଟିଚର ଏଜୁକେସନ୍(ୟୁଡିଟିଇ)ରେ ଅଧ୍ୟକ୍ଷ ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ୟୁଡିଟିଇ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ଉତ୍କଳ ବିଶ୍ବବିଦ୍ୟାଳୟ, ଏନ୍ସିଟିଇ ଓ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ୟୁଡିଟିଇ ଅଧ୍ୟକ୍ଷ ପଦ ପାଇଁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଚୟନ ପ୍ରକ୍ରିୟା ଚାଲିପାରିବ କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଂଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଫେବ୍ରୁଆରି ୧୦ ପର୍ଯ୍ୟନ୍ତ ଗ୍ରହଣ କରାଯିବନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ଲିଙ୍ଗରାଜ ଶତପଥୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୟୁଡିଟିଇ ଅଧ୍ୟକ୍ଷ ପଦ ପୂରଣ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷଙ୍କ ପକ୍ଷରୁ ୨୦୨୧, ଜାନୁଆରି ୨୧ରେ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ଏଥିରେ ସେକେଣ୍ଡାରି ଟିଚର ଏଜୁକେସନ୍ ଇନଷ୍ଟିଚ୍ୟୁସନରେ ପ୍ରାର୍ଥୀଙ୍କ ସର୍ବନିମ୍ନ ୮ ବର୍ଷର ଶିକ୍ଷାଦାନର ଅନୁଭବ ଥିବ ବୋଲି ସ୍ପଷ୍ଟ କରାଯାଇଥିଲା। ଆବେଦନକାରୀ ଭୁବନେଶ୍ବର ଏକାମ୍ର କଲେଜର ଶିକ୍ଷା ବିଭାଗରୁ ଆସୋସିଏଟ ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ। ୟୁଡିଟିଇ ଅଧ୍ୟକ୍ଷ ପଦ ପାଇଁ ଅନ୍ୟ ସବୁ ଦୃଷ୍ଟିରୁ ଯୋଗ୍ୟ ଥିବା ଆବେଦନକାରୀ ସେକେଣ୍ଡାରି ଟିଚର ଏଜୁକେସନ୍ ଇନଷ୍ଟିଚ୍ୟୁସନରେ ସର୍ବନିମ୍ନ ୮ ବର୍ଷର ଶିକ୍ଷାଦାନ ନିୟମ ଯୋଗୁଁ ସମସ୍ୟାରେ ପଡ଼ିଥିଲେ। ସ୍ନାତକ ଓ ସ୍ନାତୋକତ୍ତର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନର ଆବେଦନକାରୀଙ୍କ ୨୩ ବର୍ଷର ଅନୁଭବ ରହିଥିବାବେଳେ ୟୁଡିଟିଇ ଅଧ୍ୟକ୍ଷ ପାଇଁ ଏଭଳି ଅଜବ ନିୟମ ଯୋଗୁଁ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ୟୁଡିଟିଇ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଯୋଗ୍ୟତା ଓ ଅନୁଭବ ପ୍ରସଂଗରେ ଯେଉଁ ନିୟମ ରହିଛି ତାହା ୟୁଜିସି ଓ ଏନସିଟିଇ ନିୟମାବଳୀ ଉଲ୍ଲଂଘନ କରୁଛି ବୋଲି ଆବେଦକାରୀ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏପରି ବିଜ୍ଞପ୍ତି ରଦ୍ଦ କରାଯାଉ ଓ ୟୁଜିସି, ଏନସିଟିଇ ନିୟମାବଳୀ ଅନୁସାରେ ୟୁଡିଟିଇ ଅଧ୍ୟକ୍ଷ ପଦ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ମାମଲାରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି, ପିଜି କାଉନସିଲ ଅଧ୍ୟକ୍ଷ, ଏନସିଟିଇ ଅଧ୍ୟକ୍ଷ ଓ ୟୁଜିସିକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
The post ଉତ୍କଳ ବିଶ୍ବବିଦ୍ୟାଳୟର ୟୁଡିଟିଇରେ ଅଧ୍ୟକ୍ଷ ନିଯୁକ୍ତି ବିବାଦ : ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ first appeared on Sambad.
from ରାଜ୍ୟ – Sambad https://ift.tt/3j6NVXS
0 Comments