ଆତ୍ମବଳ ହିଁ ମଣିଷକୁ ଆଗକୁ ବଢ଼ାଏ : ଅନେକ ମହିଳାଙ୍କ ପାଇଁ ଉଦାହରଣ ସୁମତି

ନୂଆପଡ଼ା, (ଅଶ୍ବିନୀ ପାଣିଗ୍ରାହୀ): ପୁରୁଷଠାରୁ ନାରୀ କମ୍ ନୁହେଁ। ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇପାରେ। ଏ କଥା ପ୍ରମାଣିତ କରିଛନ୍ତି ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ଗାଁର ସୁମତି ବରିହା। ମାଛ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିସହିତ, ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସୁମତିଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍‌। ଆଗକୁ ଯିବା ପାଇଁ ଖାଲି ଶିକ୍ଷା ଏକମାତ୍ର ମାଧ୍ୟମ ନୁହେଁ। ନିଜର ନୂଆ ଚିନ୍ତାଧାରା ସହିତ ଆତ୍ମବଳ ହିଁ ମଣିଷକୁ ଆଗକୁ ନେବାରେ ସହାୟକ ହୋଇଥାଏ। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହା ଧ୍ରୁବସତ୍ୟ। ସୁମତି ମନ ମଧ୍ୟରେ ସେହିଭଳି ଏକ ଭିନ୍ନ ଚିନ୍ତାଧାରା ବସା ବାନ୍ଧିଥିଲା। ବିଶେଷକରି, ଗଁାର ମହିଳାମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ଏବଂ ନିଜ ଗୋଡ଼ରେ ଠିଆହୋଇ ଅର୍ଥ ଉପାର୍ଜନ କରିପାରିବେ, ସେଥିପ୍ରତି ଧ୍ୟାନ ଦେଇଥିଲେ ସୁମତି। ସେଇଠୁ ଆରମ୍ଭ ହେଲା ଜୀବନର ଏକ ଭିନ୍ନ ଯାତ୍ରା। ୨୦୦୮ ମସିହା ନଭେମ୍ବର ୩ ତାରିଖରେ ସେ ପ୍ରଥମେ ୧୦ ଜଣ ମହିଳାଙ୍କୁ ଏକାଠି କରି ଏକ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏସ୍‌ଜି) ଗଠନ କଲେ। ତାହାରି ମାଧ୍ୟମରେ ପ୍ରଥମେ ଗ୍ରାମର ଏକ ପୋଖରୀକୁ ନିଲାମରେ ଆଣି ମାଛଚାଷ ଆରମ୍ଭ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମହିଳାମାନେ ପୋଖରୀରେ ନିଜେ ଜାଲ ପକାଇ ମାଛ ସଂଗ୍ରହ କରିଥା’ନ୍ତି। ଏହି ମାଛକୁ ବିକ୍ରି କରି ବର୍ଷକୁ ୫୦ ହଜାରରୁ ୬୦ ହଜାର ଟଙ୍କା ଉତ୍ପାଦନ କରିବାକୁ ସକ୍ଷମ ହୋଇଥା’ନ୍ତି ସୁମତି ଓ ଅନ୍ୟମାନେ। କୁହାଯାଏ, ଗୋଟିଏ କ୍ଷେତ୍ରରେ ସଫଳ ହେଲେ ମଣିଷ ଅନ୍ୟଦିଗ ପ୍ରତି ମନ ବଳାଏ। ସୁମତିଙ୍କ କ୍ଷେତ୍ରରେ ଠିକ୍‌ ସେୟା ହିଁ ଘଟିଲା। ଏହାପ‌ରେ ଅନ୍ୟ ମହିଳାଙ୍କ ସହଯୋଗରେ ହଳଦୀ ଗୁଣ୍ଡ, ଡାଲି, କୋଦୋ ଚାଉଳ, ରାଶିଲଡୁ ସହ ବିଭିନ୍ନ ପ୍ରକାର ସମଗ୍ରୀ ତିଆରି କରି ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ବିକ୍ରି କଲେ। ଏଥିରୁ ମଧ୍ୟ ବର୍ଷକୁ ୧ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି।

ଏହି ଏସ୍‌ଏସଜିର ପ୍ରଶଂସନୀୟ କାମକୁ ଦେଖି ଅଧିକ ବ୍ୟବସାୟ ପାଇଁ ନୂଆପଡ଼ା ମିସନ ଶକ୍ତି ପକ୍ଷରୁ ଜୟ ମାଁ ମହାଲକ୍ଷ୍ମୀ ଏସଏସଜିକୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୪୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ବିଭାଗଠାରୁ ସହାୟତା ପାଇ ବର୍ତ୍ତମାନ ଏସଏସଜି ବହୁ ପରିମାଣରେ ହଳଦୀ, କୋଦୋ ଚାଉଳ, ରାଶିଲଡୁ ତିଆରି କରି ବିଭିନ୍ନ ଦୋକାନରେ ବିକ୍ରି କରିବା ସହ ବିଭିନ୍ନ ମହୋତ୍ସବ, ପର୍ବପର୍ବାଣୀରେ ଗାଁଗୁଡ଼ିକରେ ଷ୍ଟଲ କରି ବିକ୍ରି କରି ଭଲ ରୋଜଗାର କରୁଛନ୍ତି। ଏହାସହିତ ଦର୍ଲିମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଅନ୍ୟ ମହିଳାମାନେ କିପରି ସ୍ବାବଲମ୍ବୀ ହୋଇପାରିବେ, ସେ ନେଇ ମଧ୍ୟ ସଚେତନ କରାଉଛନ୍ତି। ଏହି ଉଦ୍ୟମ ଓ ତା’ ସହିତ ଯୋଡ଼ି ହୋଇଥିବା ସଫଳତା ପାଇଁ ସୁମତି ଏବେ ଖାଲି ପ୍ରଶଂସା ସାଉଁଟୁ ନାହାନ୍ତି, ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

The post ଆତ୍ମବଳ ହିଁ ମଣିଷକୁ ଆଗକୁ ବଢ଼ାଏ : ଅନେକ ମହିଳାଙ୍କ ପାଇଁ ଉଦାହରଣ ସୁମତି first appeared on Sambad.



from ରାଜ୍ୟ – Sambad https://ift.tt/3jg1Tah

Post a Comment

0 Comments